ପଶ୍ଚିମବଙ୍ଗରେ ୧୦ ଜୁନ୍‌ରୁ ସିରିଏଲ୍ ଶୁଟିଂ ପାଇଁ ଅନୁମତି

କୋଲକାତା : ପ୍ରାୟ ଦୁଇମାସ ଲକଡାଉନ୍ ପରେ ଏବେ ଧୀରେ ଧୀରେ ଲକଡାଉନକୁ କୋହଳ କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ଅନଲକ୍-୧ରେ ଦେଶର ଅନେକ ରାଜ୍ୟରେ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବା ସହ ଜରୁରୀ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଦୁଇ ମାସ ଧରି ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିର ଶୁଟିଂ ମଧ୍ୟ ବନ୍ଦ ରହିଥିଲା। ଏନେଇ ପଶ୍ଚିମବଙ୍ଗ ସରକାର ଜୁନ୍ ୧୦ ରୁ ଏକ ବଙ୍ଗଳା ଟିଭି ସିରିଏଲ୍ ଶୁଟିଂ କରିବାକୁ ନେଇ ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗ ମନ୍ତ୍ରୀ ଅରୁପ ବିଶ୍ୱ କହିଛନ୍ତି ଯେ, ବଙ୍ଗଳା ଟିଭି ସିରିଏଲର ଶୁଟିଂ ଜୁନ୍ ୧୦ ରୁ ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ଶିଶୁ କଳାକାରମାନଙ୍କୁ ଅନୁମତି ଦିଆଯିବ ନାହିଁ। ଏଥିସହ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ଅରୁପ ବିଶ୍ୱ ହେଉଛନ୍ତି ରାଜ୍ୟର ପିଡବ୍ଲ୍ୟୁଡି, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ। ସେମାନେ ମନୋରଞ୍ଜନ ଶିଳ୍ପର ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି।
ସେ କହିଛନ୍ତି ଯେ, ’୬୫ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ କଳାକାରମାନଙ୍କ ସିରିଏଲରେ ଅଭିନୟ କରିବା ପାଇଁ ଲିଖିତ ଆକାରରେ ଦେବାକୁ ପଡିବ, ତାପରେ ସେମାନେ ଯାଇ ଶୁଟିଂ କରିପାରିବେ।’ ଏହାପୂର୍ବରୁ ଅରୁପ ବିଶ୍ୱ ଟେଲିଭିଜନ ନିର୍ମାତା, ଅଭିନେତା ଏବଂ ଟେକ୍ନିସିଆନଙ୍କ ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପରେ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଉପସ୍ଥିତ ଜଣେ ନିର୍ମାତା କହିଛନ୍ତି ଯେ, ଅନ୍ତରଙ୍ଗ ଦୃଶ୍ୟର ଶୁଟିଂ କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Comments are closed.