ବିଜେପି ଛାଡ଼ିଲେ ଦାମ; କହିଲେ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଉଛି

ଭୁବନେଶ୍ଵର: ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ବିଜେପି ହାତ ଛାଡ଼ିଛନ୍ତି। ସେ ଦଳରୁ ଇସ୍ତଫା ଦେବା ସହିତ ଇସ୍ତଫାପତ୍ରକୁ ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ​‌ସେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି।

ଦାମ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ବିଜେଡିରେ ଥିଲାବେଳେ ମୁଁ ଦାୟିତ୍ଵଗ୍ରହଣ କରିଥିବା କୃଷି, ସମବାୟ ଏବଂ ଉଦ୍ୟାନକୃଷି ବିଭାଗରେ ଲଗାମଛଡ଼ା ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ସାଧାରଣ ସ୍ବାର୍ଥର ଲୁଣ୍ଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ସ୍ବର ଉତ୍ତୋଳନ କରିବାରୁ ମୁଁ ଦଳ ଏବଂ ମନ୍ତ୍ରିମଣ୍ଡଳରୁ ବିହଷ୍କୃତ ହୋଇଥିଲି। ପରବର୍ତ୍ତୀ ସମୟରେ ବିଜେପିର ନେତାମାନେ ଜନସ୍ବାର୍ଥ ସାଧନରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରରୋଚିତ କରି ନିଜ ଆଡୁ ଦିଲ୍ଲୀ ନେଇ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ମିଶାଇଥିଲେ। ମାତ୍ର ଦୁଃଖର ବିଷୟ ସାଧାରଣ ନିର୍ବାଚନ ପରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ଅନୁଭବ କଲି। ଏହା ଯୋଗୁ ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି ହେଲା। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ପ୍ରାୟ ୬ ଥର ମନ୍ତ୍ରୀ ଭାବେ କାର୍ଯ୍ୟ କଲା ପରେ ଏବେ ମୋର ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।

Comments are closed.