କାମ କରୁନି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା, ଠାକୁରଙ୍କ ଦର୍ଶନ ପାଇଁ ଦୁର୍ଦଶା ଭୋଗୁଛନ୍ତି ବରିଷ୍ଠ ନାଗରିକ

ପୁରୀ: ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁନି ଶ୍ରୀମନ୍ଦିର ପ୍ରଶାସନର ଦର୍ଶନ ବ୍ୟବସ୍ଥାବଳି (ଏସ୍‌ଓପି)। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ଏପର୍ୟ୍ୟନ୍ତ କରାଯାଇନି ସ୍ବତନ୍ତ୍ର ବ୍ୟବସ୍ଥା। ଏଥିଯୋଗୁଁ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ମନଦୁଃଖରେ ଫେରୁଛନ୍ତି ଶହ ଶହ ଭକ୍ତ। କାହାକୁ ସମ୍ପର୍କୀୟମାନେ ଟେକି ମାର୍କେଟଛକରୁ ମନ୍ଦିର ଭିତରକୁ ନେଉଛନ୍ତି ତ ଆଉକିଏ ବ୍ୟାରିକେଡ୍‌ରେ ଚାଲିନପାରି ଫେରୁଥିବା ଦେଖିବାକୁ ମିଳିଛି।

ଗୁରୁବାରଠାରୁ ଅବାଧ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଦୁଃଖ ବୁଝିବାକୁ କୌଣସି ଅଧିକାରୀ ଆଗ୍ରହ ପ୍ରକାଶ କରିନାହାନ୍ତି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମାର୍କେଟଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ୟ୍ୟନ୍ତ ପ୍ରାୟ ଦେଢ କିଲୋମିଟର ଭକ୍ତଙ୍କୁ ଚାଲିବାକୁ ପଡୁଛି। ବ୍ୟାରିକେଡ୍‌ର ୫୦% ଅଞ୍ଚଳରେ ଉପରେ କନା ବନ୍ଧାଯାଇଥିବା ବେଳେ ମାର୍କେଟଛକରୁ ମରୀଚିକୋଟ୍‌ ଛକ ପର୍ୟ୍ୟନ୍ତ ଖୋଲାରହିଛି। ଏଥିଯୋଗୁଁ ଖରାବେଳେ ଶ୍ରଦ୍ଧାଳୁ କଲବଲ ହେଉଛନ୍ତି। ସେହିପରି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ବୃଦ୍ଧି ପାଉଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଜୋତା ଏବଂ ମୋବାଇଲ ଷ୍ଟାଣ୍ଡ ଯଥେଷ୍ଟ ହେଉନାହିଁ। ଭକ୍ତମାନେ ସିଂହଦ୍ବାର ଦେଇ ମନ୍ଦିରରେ ପ୍ରବେଶ କରୁଛନ୍ତି ଏବଂ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି। ଏହାସତ୍ତ୍ବେ ଉତ୍ତରଦ୍ବାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଗାଡି ଚଳାଚଳ ଏପର୍ୟ୍ୟନ୍ତ ବନ୍ଦ କରାଯାଇ ନାହିଁ। ଏଥିଯୋଗୁଁ ଦୋଳବେଦୀ କୋଣ ସମେତ ମନ୍ଦିର କାର୍ୟ୍ୟାଳୟ ନିକଟସ୍ଥ ସଂକୁଚିତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି।

ସେହିପରି ସାମାଜିକ ଦୂରତ୍ବ କଟକଣା ପାଳନ କରାଯାଉ ନାହିଁ। ସିଂହଦ୍ବାର ସମ୍ମୁଖ ଅଞ୍ଚଳ ସମେତ ବ୍ୟାରିକେଡ ଭିତରେ ଭକ୍ତଙ୍କ ଗହଳି ଯୋଗୁଁ କରୋନା ସଂକ୍ରମଣର ଆଶଙ୍କା ରହିଛି। ୧୦ମାସ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସହ କୋଭିଡ ରିପୋର୍ଟ ଦେଖାଇବା କଟକଣା ପ୍ରତ୍ୟାହାର ଯୋଗୁଁ ବହୁ ବୟସ୍କ ବ୍ୟକ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମନ୍ଦିର ପ୍ରଶାସନର ବାରମ୍ବାର ଘୋଷଣା ସତ୍ତ୍ବେ ସେମାନଙ୍କ ପାଇଁ ଏପର୍ୟ୍ୟନ୍ତ ସ୍ବତନ୍ତ୍ର ବ୍ୟାରିକେଡ୍‌ କିମ୍ବା ହୁଇଲ୍‌ ଚେୟାର ବ୍ୟବସ୍ଥା କରାଯାଇ ନାହିଁ।

ଶୁକ୍ରବାର ରାଜ୍ୟ ବାହାରୁ ଆସିଥିବା ଜଣେ ୮୦ବର୍ଷ ବୟସ୍କ ବୃଦ୍ଧାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଖରାରେ ଟେକି ଟେକି ନେଉଥିବା ଦେଖିବାକୁ ମିଳିଛି। ଆଉକିଛି ବରିଷ୍ଠ ନାଗରିକ ବ୍ୟାରିକେଡ୍‌ରେ ଏତେବାଟ ଚାଲିନପାରି ଅଧାବାଟରୁ ଫେରିଥିବା ଜଣାପଡିଛି। ତେଣୁ ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଯଥାଶୀଘ୍ର କରାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ (ଉନ୍ନୟନ) ଅଜୟ କୁମାର ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସୂଚନାକେନ୍ଦ୍ର ପାଖରୁ ସ୍ବତନ୍ତ୍ର ବ୍ୟାରିକେଡ କରାଯାଇଛି। ଜଗନ୍ନାଥ ବଲ୍ଲଭ ମଠରେ ଦୁଇଟି ବ୍ୟାଟେରି ଅଟୋ ରଖାଯାଇଛି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ତାହାକୁ ବ୍ୟବହାର କରିପାରିବେ। ଏହି ବ୍ୟବସ୍ଥା ସମ୍ପର୍କରେ ଜାଣିପାରୁ ନ ଥିବା ବୃଦ୍ଧ ବ୍ୟକ୍ତିମାନେ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ମନ୍ଦିରକୁ ଯାଉଛନ୍ତି। ତେଣୁ ବ୍ୟାରିକେଡ ଆରମ୍ଭ ହୋଇଥିବା ସ୍ଥାନରେ ଖୁବ୍‌ଶୀଘ୍ର ସୂଚନା ଫଳକ ଲଗାଯିବ। ବ୍ୟାରିକେଡ ଆକାର ହ୍ରାସପାଇଁ ଚିନ୍ତା କରାଯାଉଥିବା ସେ କହିଛନ୍ତି।

Comments are closed.