ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆର ମଉଡ଼ମଣି

‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଜୁମ୍ ଭିଡ଼ିଓ ଯୋଗେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’ ପୁରୀ ଗଜପତି ମହାରାଜା କହିଥିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଧପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରୁ ଜଣାଯାଏ ଯେ ରାଜା ଇନ୍ଦଦ୍ୟୁମ୍ନଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀ ସ୍କନ୍ଧପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପଢି ମହାପ୍ରଭୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଲେ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହୋଇପାରିବ।
ବରେଣ୍ୟ ବକ୍ତାମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଧର୍ମଶାସ୍ତ୍ରବିତ୍ ଡ.ଅତୁଲ କୁମାର ନନ୍ଦ, ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ଉପରେ ତଥ୍ୟ ଓ ତତ୍ତ୍ୱଭିତ୍ତିକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ।

 

ଆନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଭାର ସଭାପତି ଡ. ବଦ୍ରୀନାଥ ପଟ୍ଟନାୟକ, ଉତ୍କଳ ବିଦ୍ୱତ ପରିଷଦର ଉପଦେଷ୍ଟା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଐତିହ୍ୟ ସଂରକ୍ଷଣ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଜୟଚନ୍ଦ୍ର ବ୍ରହ୍ମା, ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ଓ ସୌମ୍ୟାଶ୍ରୀ ଆଶୀର୍ବାଦମ। ଆଜିର କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ତିରୁପତିରୁ ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments
Loading...