୧୦୦ କୋଟିକୁ ବିହନ ନିଗମ କର୍ପସ ପାଣ୍ଠି ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର କୃଷି ଓ କୃଷକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଆସୁଛନ୍ତି। କୃଷି ବଜେଟରେ ଏ ‌ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। କୃଷି‌ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ପାଇଁ ସାର ଓ ବିହନର ଭୂମିକାକୁ ଦୃଷ୍ଟିରେ ରଖି ଏଥିପାଇଁ ଶନିବାର ବସିଥିବା କ୍ୟାବିନେଟ ବୈଠକରେ କେତେ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବିହନ ନିଗମ କର୍ପସ ପାଣ୍ଠିକୁ ୧୦୦ କୋଟିକୁ ବୃଦ୍ଧି କରିଛନ୍ତି। ସେହିପରି ସାର ବିତରଣରେ ରାଜ୍ୟ ସମବାୟ ବିପଣନ ନିଗମ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ କର୍ପସ ପାଣ୍ଠି ଅନୁପାତ ୯୦:୧୦ରେ ଦେବା ପାଇଁ ସ୍ଥିର କରାଯାଇଛି। ସାର ମହଜୁଦ ରଖିବା ଏବଂ ଚାଷୀମାନଙ୍କର ଦରକାର ମୁତାବକ ଯୋଗାଇବା ପାଇଁ ସୁଧ ମୁକ୍ତ କର୍ପସ ପାଣ୍ଠିର ବ୍ୟବସ୍ଥା ଘୋଷଣା କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ବାରା ପାକ୍ସ,ଲାମ୍ପସ ଏବଂ ବେସରକାରୀ ସ୍ବୀକୃତିପ୍ରାପ୍ତ ବିକ୍ରେତାଙ୍କ ମାଧ୍ୟମରେ ଉନ୍ନତମାନର ବିହନ ଏବଂ ଚାରା ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ରାଜ୍ୟ ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧି ପାଇ ପ୍ରାୟ ୧୭୯ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁଥି ପାଇଁ ପୂର୍ବ ନିର୍ଦ୍ଧାରିତ ୬୦ କୋଟି କର୍ପସ ପାଣ୍ଠିରେ ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ଠିକ୍ ସମୟରେ ବିହନର ମୂଲ୍ୟ ପ୍ରଦାନ କରିବା ସମ୍ଭବ ହୋଇପାରୁ ନାହିଁ। ଏଣୁ କର୍ପସ ପାଣ୍ଠିର ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅନୁଭବ କରାଯାଇ ବିହନ ନିଗମକୁ ସମୁଦାୟ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ଉନ୍ନତମାନର ବିହନ ଏବଂ ଚାରା ସଂଗ୍ରହ ଓ ଚାଷୀମାନଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ। ଏହାଦ୍ବାରା ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ହେବା ସହିତ କୃଷକ ଲାଭବାନ ହେବେ। ସେହିପରି ରାଜ୍ୟର ସାର ବ୍ୟବହାର ହେକ୍ଟର ପ୍ରତି ମାତ୍ର ୭୨ କେଜି ରହିଥିବାରୁ ଏହାକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ (୨୫.୬୮%) ଓ ଓଡ଼ିଶା କୃଷି ଶିଳ୍ପ ନିଗମ (୪.୩୯%) ସମୁଦାୟ ସାରର ପ୍ରାୟ ୩୦ ଭାଗ ଯୋଗାଇ ଦେଇଛନ୍ତି। ସାର ମହଜୁଦ ରଖିବା ଏବଂ ଚାଷୀମାନଙ୍କର ଦରକାର ମୁତାବକ ଯୋଗାଇବା ପାଇଁ ସୁଧ ମୁକ୍ତ କର୍ପସ ପାଣ୍ଠିର ବ୍ୟବସ୍ଥା ଘୋଷଣା କରିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ସାର ସଂଗ୍ରହ କରି ଚାଷୀଙ୍କୁ ଯୋଗାଣର ବ୍ୟବସ୍ଥା କରାଯାଇଛି। ୧୦୦ କୋଟି ଟଙ୍କା କର୍ପସ ପାଣ୍ଠି ଯାହାକି ଅତୀତରେ ୭୫:୨୫ ଅନୁପାତରେ ଓଡ଼ିଶା ରାଜ୍ୟ ସମବାୟ ବିପଣନ ନିଗମ ଓ ଓଡ଼ିଶା କୃଷି ଶିଳ୍ପ ନିଗମଙ୍କୁ ଯଥାକ୍ରମେ ଦିଆଯାଉଥିଲା। ବର୍ତ୍ତମାନ ତାହା ୯୦:୧୦ ଅନୁପାତରେ ଦେବା ପାଇଁ ସ୍ଥିର ହୋଇଛି। ଉଭୟ ସଂସ୍ଥାର ସାର ବିତରଣରେ ଭାଗୀଦାରିତାକୁ ବିବେଚନା କରି ଏହି ପରିବର୍ତ୍ତିତ ଅନୁପାତ ସ୍ଥିର କରାଯାଇଛି। ଏହି ପାଣ୍ଠିର ଉପଯୁକ୍ତ ବ୍ୟବହାର ଓ ପର୍ୟ୍ୟାଲୋଚନା ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ନୋଡାଲ ଅଫିସର ଅଟନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ବାରା ଏହି ସୁଧମୁକ୍ତ ଋଣକୁ ଅନୁମୋଦନ କରାଯିବ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ଉଭୟ ଅଧିକୃତ ସଂସ୍ଥା ତଥା ଓଡ଼ିଶା ରାଜ୍ୟ ସମାବୟ ବିପଣନ ମହାସଂଘ ଓ ଓଡ଼ିଶା କୃଷି ଶିଳ୍ପ ନିଗମଙ୍କୁ ପ୍ରଦାନ କରାଯିବ।

ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ସଂସ୍ଥା ଉକ୍ତ ପାଣ୍ଠିକୁ ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଏକ ଅଲଗା ଫ୍ଲେକ୍ସି ଏସକ୍ରୋ ଆକାଉଣ୍ଟରେ ରଖିବାର ବ୍ୟବସ୍ଥା କରିବେ। ଏହି ପାଣ୍ଠି ଓଡ଼ିଶା ରାଜ୍ୟ ମଧ୍ୟରେ ସାର ମହଜୁଦ କରିବା ପାଇଁ ବ୍ୟବହାର କରାଯିବ। ଏହି ସୁଧମୁକ୍ତ ରୁଣ ୯ ମାସ ସାରର ଉପଲବ୍ଧତା ପାଇଁ ବ୍ୟବହାର କରିବା ସହିତ ସରକାରଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରସ୍ତ କିରିବ।

Comments are closed.