ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ : ଖସିଗଲେ ମାଓନେତା, ଜବତ ହେଲା ବିପୁଳ ପରିମାଣ ଗୁଳିଗୋଳା ଓ ମାଓ ସାମଗ୍ରୀ

ମାଲକାନଗିରି : ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ସର୍ଚ ଅପରେସନ କରାଯାଇ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ମାଓସାମଗ୍ରୀ ଜବତ କରାଯାଇଛି।

ଘଟଣାସମ୍ପର୍କରେ ମାଲକାନଗିରି ପୁଲିସ ପକ୍ଷରୁ ଜାରି କରାଯାଇଥିବା ଏକ ଗଣମାଧ୍ୟମ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ଗୁନାମାମୁଡି ଜଙ୍ଗଲରେ ମାଓ ନେତା ଜଗନ ଓ ମାଓନେତ୍ରୀ ଅରୁଣା ଏକ ଶିବିରି ଚଳାଇଛନ୍ତି। ସୂଚନା ମିଳିବା ପରେ ଓଡ଼ିଶା ପୁଲିସର ଏସଓଜି, ଡିଭିଏଫ, ବିଏସଏଫ ଓ ଆନ୍ଧ୍ରପ୍ରଦେଶ ପୁଲିସର ମିଳିତ ବାହିନୀ ପକ୍ଷରୁ ଏକ ନକ୍ସଲ-ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା। ମାଲକାନଗିରି-ଆନ୍ଧ୍ର ସୀମାରେ ଥିବା ପେପରମେଟଲା ଥାନା ଅଞ୍ଚଳରେ ଥିବା ଭୀମରାମ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ହଠାତ ଗୁଳିଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯିବା ସହ ଗୁଳି ଚାଳନା କରାଯାଇଥିଲା। ଦିର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିିନିମୟ ଚାଲିବା ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ପୁଲିସ ପକ୍ଷରୁ ଆଇଇଡି, ଜୀବନ୍ତ ଗୁଳି, ଏସଏଲଆର ମାଗାଜିନ, ଡିଟୋନେଟର, ରେଡିଓ, ମାଓ ପୁସ୍ତକ, ମାଓ ୟୁନିଫର୍ମ ଆଦି ଜବତ ହୋଇଛି ।

Comments are closed.