ଦିଲ୍ଲୀରେ ପହଞ୍ଚିଲା ଦ୍ୱିତୀୟ ସ୍ୱତନ୍ତ୍ର ବିମାନ, ସୁରକ୍ଷିତ ଯାତ୍ରା କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ଦ୍ୱିତୀୟ ବୋଇଙ୍ଗ-୭୭୭ ଏୟାର ଇଣ୍ଡିଆ ୱାନ ସ୍ୱତନ୍ତ୍ର ବିମାନ ଶନିବାର ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଦୁଇଟି ଭିଭିଆଇପି ବିମାନ ଏୟାର ଇଣ୍ଡିଆ ୱାନ ମଧ୍ୟରୁ ପ୍ରଥମଟି ଚଳିତ ମାସ ଆରମ୍ଭରେ ଭାରତରେ ପହଞ୍ଚିଥିଲା। ଏହା ପୂର୍ବରୁ ଅଗଷ୍ଟ ମାସରେ, ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ, ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଏହି ବିମାନକୁ ଆଣିବା ପାଇଁ ଆମେରିକା ଗସ୍ତ କରିଥିଲେ।

ଏୟାର ଇଣ୍ଡିଆ ୱାନ ଏକ ଉନ୍ନତ ତଥା ସୁରକ୍ଷିତ ଯୋଗାଯୋଗ ପ୍ରଣାଳୀ ସହିତ ସଜ୍ଜିତ ହୋଇଛି ଯାହା ଅଡିଓ ଏବଂ ଭିଡିଓ ଯୋଗାଯୋଗ କାର୍ଯ୍ୟକୁ ବିନା କୌଣସି ବଧରେ ସମ୍ପନ୍ନ କରିଥାଏ। ଏଥିରେ କୌଣସି ତଥ୍ୟ ହ୍ୟାକିଂ କିମ୍ବା ଟ୍ୟାପ୍ ହେବାର ସମ୍ଭାବନା ନାହିଁ। ଏଥିରେ ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ଖଞ୍ଜା ଯାଇଛି ଏବଂ ଭାରତୀୟ ବାୟୁସେନା ପାଇଲଟଙ୍କ ଦ୍ୱାରା ଏହା ପରିଚାଳିତ ହେବ।

ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣର ମଧ୍ୟ ପ୍ରଭାବ ପଡ଼ିବ ନାହିଁ। ଏହି ବିମାନଟି ନିଜେ ବାୟୁରେ ଇନ୍ଧନ ଭାରି ପାରିବ ଓ ଏକ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଉଡ଼ିବାରେ ସକ୍ଷମ ହେବ। ବିମାନ ମଧ୍ୟରେ ଏକ ଅଫିସ୍ ଏବଂ ଏକ ମିଟିଂ ରୁମ୍ ମଧ୍ୟ ରହିଛି। ଏଥିରେ ଆଧୁନିକ ଏବଂ ସୁରକ୍ଷିତ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ରହିଛି।

ଏହି ବିମାନ ବିଷୟରେ କିଛି ତଥ୍ୟ –

– ଏଥିରେ ଥିବା ମିସାଇଲ୍ ଆପ୍ରୋଚ୍ ଚେତାବନୀ ବ୍ୟବସ୍ଥାରେ ଲାଗିଥିବା ସେନ୍ସର ପାଇଲଟଙ୍କୁ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ଦେଇଥାଏ
– ଶତ୍ରୁ ପକ୍ଷର ଜିପିଏସ୍ ଏବଂ ଡ୍ରୋନ୍ ସିଗନାଲ ରୋକିବା ପାଇଁ ସକ୍ଷମ
– ଆଣ୍ଟି-ମିସାଇଲ୍ ସିଷ୍ଟମ୍ ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିଥାଏ
– କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବସ୍ଥା
– ଆଧୁନିକ ଏବଂ ସୁରକ୍ଷିତ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା
– ଥରେ ଇନ୍ଧନ ଭର୍ତ୍ତି ହେଲେ ୧୭ ଘଣ୍ଟା ପାଇଁ ନିରନ୍ତର ଉଡିପାରେ

Comments are closed.