ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କଲା ‘କ୍ୟୁଆର ସାମ’

ବାଲେଶ୍ୱର : ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ମଙ୍ଗଳବାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୪୨ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ମାନବବିହୀନ ଯାନ ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା।

ବଂଶୀ ଟାର୍ଗେଟକୁ ପ୍ରଥମେ ଆକାଶମାର୍ଗକୁ ନିକ୍ଷେପ କରାଯିବା ପରେ ରାଡ଼ାର ମାଧ୍ୟମରେ ଏହାକୁ ଚିହ୍ନଟ କରିବା ପରେ ସ୍ବୟଂଚାଳିତ ଭାବେ ଉତ୍‌କ୍ଷେପଣ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କରିଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି। ଏହି ସଫଳତା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲ ୨୦୧୭ ଜୁନ ୪ ତାରିଖରେ ପ୍ରଥମେ ପରୀକ୍ଷା କରାଯାଇଥିଲାବେଳେ ଏହା ଥିଲା ଅଷ୍ଟମ ପରୀକ୍ଷା।

ପ୍ରତିରକ୍ଷା ବିଭାଗର ଏହି ନିୟମିତ ବ୍ୟାବହାରିକ ପରୀକ୍ଷାରେ ଏହା ଗତି, ଲକ୍ଷ୍ୟଭେଦ କରିବାର କ୍ଷମତା ଓ ମାରକ କ୍ଷମତା ସମ୍ପର୍କରେ ବିକଶିତ କରାଯାଇଥାଏ। ପ୍ରତିକୂଳ ଓ ଅନୁକୂଳ ପାଗରେ ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରିବା ପାଇଁ ଏହାକୁ ଏକ କାନିଷ୍ଟରରୁ ଉତକ୍ଷେପଣ କରାଯାଇଥିଲା।

Comments are closed.