ବ୍ରିଟିଶ ଚିକିତ୍ସକଙ୍କ ଚେତାବନୀ, ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ହୋଇପାରେ ଭୟଙ୍କର

ଲଣ୍ଡନର ବରିଷ୍ଠ ଚିକିତ୍ସକମାନେ ବ୍ରିଟିଶ ରାଜନୈତିକ ଦଳଗୁଡିକୁ ଚେତାବନୀ ଦେଇଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଅଧିକ ଭୟଙ୍କର ହୋଇପାରେ। ସେହି ଚିକିତ୍ସକମାନେ ଏକ ପାତ୍ରରେ ଦର୍ଶାଇଛନ୍ତି ଯେ ବ୍ରିଟେନରେ ଆଗାମୀ ଦିନରେ କରୋନା ମହାମାରୀର ପ୍ରକୋପ ଆକଳନ କରିବା କଷ୍ଟସାଧ୍ୟ। ସେଠାରେ ମିଳିଥିବା ତଥ୍ୟ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୂର୍ବଠାରୁ ଅଧିକ ବିପଦପୂର୍ଣ୍ଣ ବୋଲି ସେମାନେ ବ୍ରିଟିଶ ରାଜନେତାମାନଙ୍କୁ ଅବଗତ କରାଇଛନ୍ତି।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏହି ଚିଠିରେ ରୟାଲ କଲେଜ ଅଫ୍ ସର୍ଜନର ସଭାପତି ଡେରେକ ଆଲଡରସନ, ରୟାଲ କଲେଜ ଅଫ୍ ଫିଜିସିଆନ୍ସର ଅଧ୍ୟକ୍ଷ ଆଣ୍ଡ୍ରିୟୁ ଗୋଡାର୍ଡ ଏବଂ ରୟାଲ୍ କଲେଜ୍ ଅଫ୍ ଏମରଜେନ୍ସି ମେଡିସିନର ଅଧ୍ୟକ୍ଷ କ୍ୟାଥରିନ୍ ହେଣ୍ଡରସନ ଦସ୍ତଖତ କରିଛନ୍ତି। ସେହି ଚିଠିରେ ସେମାନେ କହିଛନ୍ତି, ଏହି ଭୂତାଣୁ ପ୍ରସାର ରୋକିବା ପାଇଁ ଯଦିଓ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରହିଛି, କିନ୍ତୁ ଏଥିରେ ଅନେକ ପ୍ରତିବନ୍ଧକ ରହିଛି।

ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଅର୍ଥନୀତିକୁ ଗତିଶୀଳ କରାଇବା ପାଇଁ ଆସନ୍ତା ମାସରେ ଇଂଲଣ୍ଡରେ ପବ୍, ରେଷ୍ଟୁରାଣ୍ଟ ଏବଂ ହୋଟେଲ ପୁଣି ଖୋଲିବ। କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ଖରାପ ସ୍ଥରରେ ରହିଛି କିନ୍ତୁ ଲକଡାଉନ୍ ଫଳରେ ବ୍ରିଟେନ ଗଭୀର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଏହାର ମୁକାବିଲା ପାଇଁ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବା ଏକମାତ୍ର ଉପାୟ ବୋଲି ସମ୍ପୃକ୍ତ ଚିକିତ୍ସକମାନେ କହିଛନ୍ତି।

Comments are closed.