ମାସ୍କର ଅଦ୍ଭୁତ ହିନ୍ଦୀ ଅନୁବାଦ କରି ଚର୍ଚ୍ଚାରେ ବିଗ୍‍ ବି

ମୁମ୍ବଇ: ବଲିଉଡ଼ର ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ସାଧାରଣତଃ ନିଜ ଅନନ୍ୟ ପ୍ରତିଭା ପାଇଁ ସର୍ବଦା ଚର୍ଚ୍ଚିତ। କିନ୍ତୁ ନିକଟରେ ତାଙ୍କର ଏକ ଅଦ୍ଭୁତ ଏବଂ ମଜାଳିଆ ହିନ୍ଦୀ ଅନୁବାଦକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଜୋର ଧରିଛି। ମାସ୍କର ଅଦ୍ଭୁତ ହିନ୍ଦୀ ଅନୁବାଦ କରି ବିଗ୍‍ ବି ଲୋକଙ୍କୁ ଚକିତ କରିବା ସହ ସେମାନଙ୍କ ମନୋରଞ୍ଜନ ମଧ୍ୟ କରିଛନ୍ତି। ଏପରିକି କିଛି ଲୋକ ଏହି ଅନୁବାଦ ଶୁଣି ଏହାକୁ ମନେରଖିବା ବହୁତ କଷ୍ଟ ବୋଲି କହିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ମାସ୍କର ହିନ୍ଦୀ ଅନୁବାଦ କରିଛନ୍ତି। ସେ ତାଙ୍କର ଏକ ଫଟୋ ଶେୟାର୍‌ କରି ଲେଖିଛନ୍ତି, “ମିଳିଗଲା! ମିଳିଗଲା! ମିଳିଗଲା! ବହୁତ ପରିଶ୍ରମ ପରେ ମାସ୍କର ହିନ୍ଦୀ ଅନୁବାଦ ମିଳିଗଲା”। ସେ ମାସ୍କର ହିନ୍ଦୀ ଅନୁବାଦ କରି ଲେଖିଛନ୍ତି “ନାସିକାମୁଖ ସଂରକ୍ଷକ କୀଟାଣୁରୋଧକ ବାୟୁଛାନକ ବସ୍ତ୍ରଡୋରିଯୁକ୍ତପଟ୍ଟିକା”।

ଅମିତାଭଙ୍କ ଏହି ପୋଷ୍ଟ୍‌ ଦେଖି ପ୍ରଶଂସକମାନେ ମଜାଦାର କମେଣ୍ଟ୍‌ ଦେଇଛନ୍ତି। ଜଣେ ଲେଖିଛନ୍ତି, ସାର୍‌ ଏତେ ଭୟଙ୍କର ଅନୁବାଦକୁ କିପରି ମନେ ରଖି ହେବ? ଅନ୍ୟ ଜଣେ ଲେଖିଛନ୍ତି, ଏହା ଅନୁବାଦ ନା ପରବର୍ତ୍ତୀ କେବିସି ପ୍ରଶ୍ନ? ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ହେ ଭଗବାନ ମୁଁ ଠିକ୍‌ ଭାବେ ପଢ଼ିପାରୁ ନାହିଁ।

Comments are closed.