ବିଛା ବିଷରୁ କୋଟିପତି, ୧ ଗ୍ରାମ ବିଷର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର ଅଜବ ପେସା ପାଇଁ ଚର୍ଚ୍ଚାରେ ରହିଆସନ୍ତି। କେବଳ ଚର୍ଚ୍ଚା ନୁହେଁ, ତାହା ସେମାନଙ୍କୁ ନିଜ କ୍ୟାରିୟରରେ ସଫଳତା ମଧ୍ୟ ଦେଇଥାଏ। ଏଭଳି ଜଣେ ବ୍ୟକ୍ତି ହେଲେ ମିଶରର ମହମ୍ମଦ ହାମ୍‌ଦୀ ବୋସ୍ତା। ତାଙ୍କର ପେସା ଆଉ ନିଶା ହେଉଛି କଙ୍କଡ଼ା ବିଛା ଏବଂ ସାପ ଧରିବା। କିନ୍ତୁ ଏହି ଅଜବ ପେସା ପାଇଁ ସେ ଦିନେ କୋଟିପତି ବନିଜିବେ, ତାହା କେବେ କଳ୍ପନା କରି ନ ଥିଲେ।

Image Courtesy: Aajtak

୨୫ ବର୍ଷୀୟ ହାମ୍‌ଦୀ ମିଶରର ମରୁଭୂମି ଏବଂ ତଟବର୍ତ୍ତୀ ଅଞ୍ଚଳରୁ ବିଛା ଧରନ୍ତି। ଏହା ପ୍ରଥମେ ତାଙ୍କର ଏକ ସଉକ୍‌ ଥିଲା। ଏହି ସଉକ ପାଇଁ ସେ ଆର୍କିଓଲୋଜି ଡିଗ୍ରୀ ପାଠପଢ଼ା ମଧ୍ୟ ଛାଡ଼ି ଦେଇଥିଲେ। ପରେ ସେ ଧରୁଥିବା ବିଛାଙ୍କଠାରୁ କିପରି ବିଷ ବାହାର କରାଯାଏ ତାହା ଶିଖିଲେ। ଅନ୍ତର୍ଜାତୀୟ ବଜାରରେ ଏହି ବିଷର ଚାହିଦା ଅଧିକ ଥିବାରୁ ତାହାକୁ ବିକ୍ରି କରିବାର ବ୍ୟବସାୟ ଆରମ୍ଭ କଲେ।

ବର୍ତ୍ତମାନ ୨୫ ବର୍ଷୀୟ ହାମ୍‌ଦୀ ‘କାଏରୋ ଭେନମ୍‌’ କମ୍ପାନୀର ମାଲିକ। ଏହା ଏଭଳି ଏକ କମ୍ପାନୀ, ଯେଉଁଠି ୮୦ ହଜାରରୁ ଅଧିକ ବିଛା ଏବଂ ସାପଙ୍କୁ ରଖାଯାଇଛି। ଏସବୁ ସାପ ଏବଂ ବିଛାଙ୍କଠାରୁ ବିଷ ବାହାର କରି ଔଷଧ ନିର୍ମାତା କମ୍ପାନୀଗୁଡ଼ିକୁ ବିକ୍ରି କରାଯାଉଛି। ହାମ୍‌ଦୀ ବିଶେଷ କରି ବିଛା ବିଷକୁ ୟୁରୋପ ଏବଂ ଆମେରିକାର ବିଭିନ୍ନ ଔଷଧ ନିର୍ମାତା କମ୍ପାନୀକୁ ସପ୍ଲାଇ କରନ୍ତି। ସେଠାରେ ଏହାକୁ ଆଣ୍ଟିଭେନମ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ୧ ଗ୍ରାମ ବିଷ ପାଇଁ ସମ୍ପୃକ୍ତ କମ୍ପାନୀ ପ୍ରାୟ ୧୦ ହଜାର ଆମରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩ ଲକ୍ଷ ଟଙ୍କା) ଦେଇଥାନ୍ତି।

ବିଷ ବାହାର କରାଯାଏ କିପରି ?

ଅତିବାଇଗଣୀ ରଶ୍ମି ସହାୟତାରେ ଧରାଯାଉଥିବା ବିଛାମାନଙ୍କଠାରୁ ବିଷ ବାହାର କରିବା ଲାଗି ହାଲ୍‌କା ମାତ୍ରାରେ ଇଲେକ୍ଟ୍ରିକ୍‌ କରେଣ୍ଟ ଦିଆଯାଏ। ଇଲେକ୍ଟ୍ରିକ୍‌ କରେଣ୍ଟ ଲାଗିବା ପରେ ବିଛାମାନଙ୍କଠାରୁ ବିଷ ବାହାରିଥାଏ ଏବଂ ତାହାକୁ ଏକ ପାତ୍ରରେ ଷ୍ଟୋର୍‌ କରାଯାଇଥାଏ।

ବିଷର ଚାହିଦାର କାରଣ

ରଏଟର୍ସର ଏକ ରିପୋର୍ଟ ଅନୁସାରେ, ବିଛାର ୧ ଗ୍ରାମ ବିଷରୁ ପ୍ରାୟ ୨୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଆଣ୍ଟିଭେନମ୍‌ ଡୋଜ୍‌ ପ୍ରସ୍ତୁତ ହୋଇଥାଏ। ଆଣ୍ଟିଭେନମ୍‌ ଔଷଧ ପ୍ରସ୍ତୁତି ସମୟରେ ବିଛା ବିଷର ପରିମାଣ କେତେ ରହିବ ତାହାକୁ ଅଧିକ ଧ୍ୟାନ ଦିଆଯାଇଥାଏ।

ସେଣ୍ଟର୍ସ ଫର ଡିଜିଜ୍‌ କଂଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ଲୋକଙ୍କୁ ବିଷାକ୍ତ ସାପ କିମ୍ବା ବିଛା ଦଂଶନ କରିଥାନ୍ତି। ଏହି ବିଷାକ୍ତ ଜନ୍ତୁ ଦଂଶିବା ପରେ ପୀଡ଼ିତଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ୍‌ ଯଥେଷ୍ଟ ପରିମାଣରେ ମିଳି ନ ଥାଏ। ସେଥିପାଇଁ ଏହି ଔଷଧର ମୂଲ୍ୟ ଅଧିକ ରହିଥାଏ।

Comments are closed.