ଓଡ଼ିଶାରେ ମହାକାଶ ଗବେଷଣାର ମୂଳଦୁଆ ସ୍ଥାପନ : ଇସ୍ରୋର ଧ୍ୟାନ ଆକର୍ଷଣ କଲା ଭିସୁଟ୍‌

ଛାତ୍ରଛାତ୍ରୀ ହାତରୁ ଖର୍ଚ୍ଚ କରି ତିଆରି କରିଥିଲେ ପ୍ରଥମ ରକେଟ, ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

 ବିକଶିତ ହେବ ରକେଟ ଓ ଉପଗ୍ରହ,କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲା ଇସ୍ରୋ

ସମ୍ବଲପୁର : ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରି ସାରିଥିବା ଓଡ଼ିଶା ଏବେ ମହାକାଶ ଗବେଷଣା କ୍ଷେତ୍ରକୁ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସହାୟତାରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। ଇସ୍ରୋ ଅଧ୍ୟକ୍ଷ ଡ. କେ.ଶିବନ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି। ଗତମାସ ୨୬ ତାରିଖରେ ଇସ୍ରୋ ଏହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛି।
ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋର ୧୮ଟି ଗବେଷଣା କେନ୍ଦ୍ର ଅଛି। ତେବେ ଓଡ଼ିଶାକୁ ଇସ୍ରୋର ଏହା ପ୍ରଥମ ପ୍ରବେଶ। ବାଲେଶ୍ୱର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ୱାରା ପରିଚାଳିତ। ଭିସୁଟ ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହା ସହିତ ଇସ୍ରୋ ଏଭଳି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଚୁକ୍ତି କରିଛି। ଏହି ବିଶ୍ୱବିଦ୍ୟାଳୟର ଛାତ୍ରଦଳ ୨୦୧୬ ମସିହାରେ ନିଜସ୍ବ ଉଦ୍ୟମରେ ୮୦୦ ମିଟର ଦୂରଗାମୀ ରକେଟ ବିକଶିତ କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଥିଲା ଏହି ରକେଟ ଓ ଉପଗ୍ରହ ସହାୟତାରେ ସେମାନେ ହୀରାକୁଦ ବନ୍ଧରେ ଫାଟ ଓ ଜଳଭଣ୍ଡାର ମଧ୍ୟରେ ଥିବା ପଟୁର ସ୍ଥିତି ଅନୁଧ୍ୟାନ କରିବେ। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟର ସହଯୋଗରେ ସେମାନେ ୨୦୧୮ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସର୍ବାଧିକ ୩.୮୯ କିଲୋମିଟର ଦୂରଗାମୀ ୧.୫ ମିଟର ଲମ୍ବ ଓ ୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଉପଗ୍ରହ ସଂଯୁକ୍ତ ରକେଟ ( ଭିଏସଏଲଭି) ତିଆରି କରିଥିଲେ। ଏହା ହିଁ ଇସ୍ରୋର ଦୃଷ୍ଟି ଆକର୍ଷଣ କରିଥିଲା। ଇସ୍ରୋକୁ ଏହି ସୂଚନା ମିଳିବା ପରେ ୨୦୧୮ ଡିସେମ୍ବରରେ ଏହାର ଏକ ବୈଜ୍ଞାନିକ ଦଳ ଭିସୁଟ ଆସି ଏହି ରକେଟକୁ ଦେଖିଥିଲେ। ଏହା ସେମାନଙ୍କୁ ପ୍ରଭାବିତ କରିଥିଲା। ମାତ୍ର ମାସକ ପରେ; ୨୦୧୯ ଜାନୁଆରୀରେ ଇସ୍ରୋ ଭିସୁଟରେ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟସ୍ତରୀୟ ମହାକାଶ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା କରିଥିଲା। ଭିସୁଟର ଯୁବବିଜ୍ଞାନୀଙ୍କ ଦ୍ବାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ଓ ଉତ୍‌କ୍ଷେପଣ ଯାନ ଲିମକା କୀର୍ତ୍ତୀମାନ ପୁସ୍ତକ ( ଲିମକା ବୁକ ଅଫ ରେକର୍ଡ-୨୦୧୯)ରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରୀ ୨୭ ତାରିଖରେ “ମନ୍‌ କି ବାତ୍‌’ରେ ଏଥିପାଇଁ ଭିସୁଟ ଛାତ୍ରଛାତ୍ରୀଙ୍କୁ ପ୍ରଂଶସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିସୁଟ ଛାତ୍ର ବୈଜ୍ଞାନିକମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ। ସେହି ବର୍ଷ ଇସ୍ରୋ ଦ୍ୱାରା ଶ୍ରୀହରିକୋଟାରେ ଆୟୋଜିତ ବିଶ୍ୱ ମହାକାଶ ସପ୍ତାହ ଓ ଅନ୍ତରୀକ୍ଷ ପ୍ରଦର୍ଶନୀରେ ଭିସୁଟ ଦ୍ୱାରା ବିକଶିତ ରକେଟକୁ ପ୍ରଥମ ପୁରସ୍କାର ମିଳିଥିଲା। ଇସ୍ରୋ ସହାୟତାରେ ରକେଟ ଓ ଉପଗ୍ରହ ଆକାର ବିକଶିତ କରିବାରେ ଭିସୁଟ ଦେଶର ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ।

ବୀର ସୁରେନ୍ଦ୍ର ସାଏ ମହାକାଶ ଗବେଷଣା ପ୍ରକଳ୍ପ ସ୍ଥାପନ କରିବା ପାଇଁ ଇସ୍ରୋ ବର୍ଷକ ତଳେ ୨୦୨୦ ଅଗଷ୍ଟ ୨୫ ତାରିଖରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି କେନ୍ଦ୍ରରେ ଦୂରଗାମୀ ରକେଟ ତିଆରି ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. ଶିବନ ଆଶା ପ୍ରକାଶ କରିଥିଲେ। କରୋନା କାରଣରୁ ଇସ୍ରୋ ଦଳ ଏଠାକୁ ନ ଆସି ବାଙ୍ଗାଲୁରୁ ମୁଖ୍ୟାଳୟରୁ ଆଭାସି ମାଧ୍ୟମରେ ସମୀକ୍ଷା କରିଛନ୍ତି। ଗବେଷଣା କେନ୍ଦ୍ର ସ୍ଥାପନ ଦିଗରେ ଅଗ୍ରଗତି ସମ୍ପର୍କରେ ଭିସୁଟ କୁଳପତି ପ୍ରଫେସର ଡ.ବଂଶୀଧର ମାଝୀ, ପ୍ରଫେସର ଦେବଦତ୍ତ ମିଶ୍ର, ପ୍ରଫେସର ରବୀନ୍ଦ୍ର କୁମାର ସାହୁ, ପ୍ରଫେସର ସୁଧାଂଶୁ ଶେଖର ଦାସ, ପ୍ରଫେସର ଜୟପ୍ରକାଶ ପଣ୍ଡା, ଡ.ସରୋଜ କୁମାର ଷଡ଼ଙ୍ଗୀ, ପ୍ରକଳ୍ପ ସଂଯୋଜକ ଡ. ହରିଶ କୁମାର ସାହୁ ଓ ମହାକାଶ ଗବେଷଣାରତ ଛାତ୍ରଛାତ୍ରୀ ଇସ୍ରୋ ନିର୍ଦେଶକ ଏନ. ସୁଧୀର କୁମାର ଓ ଉପିନର୍ଦେଶକ ନିଶାନ୍ତ କୁମାରଙ୍କୁ ଅବଗତ କରାଇଥିଲେ। କରୋନା ଯୋଗୁ ପ୍ରଥମ କିଛି ମାସ କାର୍ଯ୍ୟର ଗତି ମନ୍ଥର ହୋଇଥିଲେ ମଧ୍ୟ ଏବେ ତାକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଇସ୍ରୋକୁ ସୂଚନା ଦିଆଯାଇଛି। ଚୁକ୍ତି ସ୍ୱାକ୍ଷର ପରେ ଏହା ଇସ୍ରୋ ସହିତ ପ୍ରଥମ ସମୀକ୍ଷା ବୈଠକ ଥିଲା। ଗବେଷଣା କେନ୍ଦ୍ର ନିର୍ମାଣରେ ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କଲା ପରେ ଇସ୍ରୋ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରିଥିବା ୫୦ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଏହି କେନ୍ଦ୍ରରେ ମହାକାଶ ଗବେଷଣା ସହିତ ଶବ୍ଦ ସୃଷ୍ଟିକାରୀ ଦୂରଗାମୀ ରକେଟ, ଉପଗ୍ରହ ଓ ଉପଗ୍ରହ ଉତ୍‌କ୍ଷେପଣ ଯାନ ବିକଶିତ କରାଯିବ। ଏଠାରେ ବିକଶିତ ରକେଟ ମହାକାଶରେ କେତେ ଦୂର ଯାଇପାରିବ, ସାଙ୍ଗରେ କେତେ ଓଜନର ଇନ୍ଧନ ଓ ଉପଗ୍ରହ ନେଇପାରୁଛି ତାହା ଇସ୍ରୋ ଅନୁଧ୍ୟାନ କରି ଅନୁମୋଦନ କଲା ପରେ ତାକୁ ବିକଶିତ କରାଯିବ।
ପ୍ରକାଶଯୋଗ୍ୟ ଇସ୍ରୋର ୬ ଜଣ ବୈଜ୍ଞାନିକ ଓ ଭିସୁଟର ୫ ଜଣ ପ୍ରଫେସରଙ୍କୁ ନେଇ ଗଠିତ ଯୁଗ୍ମ ପରିଚାଳନା ସମିତି (ଜେଏମସି) ଏହି ପ୍ରକଳ୍ପକୁ ପରିଚାଳନା କରୁଛନ୍ତି। ଭିସୁଟ କୁଳପତି ଏହି ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି।

Comments are closed.