ଏସ୍‍ସିଓ ଶିଖର ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦୀ : ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜୁନ୍‍ ୧୩ ଓ ୧୪ରେ କିର୍ଗିଜସ୍ତାନ ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିପକ୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ମୋଦୀ ଓ ଇମ୍ରାନଙ୍କ ମଧ୍ୟରେ କୌଣସି ସାକ୍ଷାତକାର ହେବ ନାହିଁ। ପାକିସ୍ତାନ ବିଦେଶ ସଚିବ ସୋହେଲ ମହମୁଦଙ୍କ ଭାରତ ଗସ୍ତକୁ ରବୀଶ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କହିଛନ୍ତି। ତାଙ୍କ ସହ କୌଣସି ଅଧିକାରୀକ ବୈଠକର କାର୍ଯ୍ୟକ୍ରମ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ ସୋହେଲ ବୁଧବାର ଦିଲ୍ଲୀ ଆସିଥିଲେ। ଦିଲ୍ଲୀ ଜାମା ମସଜିଦରେ ଇଦ୍‍ ଅବସରରେ ସେ ନମାଜ ପାଠ କରିଥିଲେ। ତାଙ୍କର ଏହି ଗସ୍ତ ପରେ ଏସ୍‍ସିଓ ଶିଖର ସମ୍ମିଳନୀରେ ମୋଦୀ ଓ ଇମ୍ରାନଙ୍କ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଇମ୍ରାନ ଖାନ ଗତ ବର୍ଷ ଅଗଷ୍ଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ମୋଦୀ ତାଙ୍କୁ ଭେଟି ନାହାନ୍ତି। ଇମ୍ରାନ ବହୁ ଥର ମୋଦୀଙ୍କୁ ଭେଟିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ସପ୍ତଦଶ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ପୁନଃ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କୁ ଇମ୍ରାନ ଅଭିନନ୍ଦନ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଓ ମୋଦୀଙ୍କ ମଧ୍ୟରେ ୨୦୧୫ ଡିସେମ୍ବରରେ ସାକ୍ଷାତକାର ହୋଇଥିଲା। ସେତେବେଳେ ଇମ୍ରାନ ତେହରିକ-ଇ-ଇନ୍ସାଫ ଦଳ ମୁଖ୍ୟ ଭାବେ ଭାରତ ଗସ୍ତରେ ଆସିଥିଲେ।

Comments are closed.