ଆନ୍ଧ୍ରପ୍ରଦେଶ: ସ୍କୁଲ ଖୋଲିବା ପରେ ବ୍ୟାପିଲା କରୋନା, ୨୦,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଟେଷ୍ଟ ପାଇଁ ନିର୍ଦେଶ

ହାଇଦ୍ରାବାଦ: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କରେ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ ସରକାର କୋଭିଡ୍‌ ନିୟମ ପାଳନ କରି ସ୍କୁଲ ଖୋଲିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବ ଓ ହାତ ଧୋଇବା ଆଦି ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ତେବେ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରାଯିବା ସତ୍ତ୍ବେ ଆନ୍ଧ୍ର ପ୍ରଦେଶରେ ବହୁ ସଂଖ୍ୟକ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୬୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ଯାହା ଏବେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ସଂକ୍ରାନ୍ତରେ ଆନ୍ଧ୍ର ପ୍ରଦେଶ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିବା ପିଟିଆଇ ଟ୍ୱିଟ୍ କରି ଜଣାଇଛି।

ଗତ ନଭେମ୍ବର ୨ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଖୋଲିଥିଲା। ପ୍ରକାଶମ ଜିଲାର ୪ଟି ଜିଲା ପରିଷଦରେ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ଶିକ୍ଷା କମିଶନଙ୍କ ସୂଚନା ଅନୁଯାୟୀ କରୋନା ଭୂତାଣୁ ପାଇଁ ୮ ମାସ ଲକ୍‌ଡାଉନ୍‌ ହେବା ପରେ ସ୍କୁଲ ଖୋଲଯାଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବା ସତ୍ତ୍ବେ ପୂର୍ବ ଯାଦବାଲିର କାମଭରପୁକୋଟା ଜୋନ୍‌ରେ ସ୍କୁଲ ଯାଉଥିବା ୮ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ବିଜୟନଗରମ୍‌ ଜିଲାର ନବମ ଓ ଦଶମ ଶ୍ରେଣୀର ୨୭ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ନଭେମ୍ବର ୨ ସ୍କୁଲ ଖୋଲିବା ପ୍ରଥମ ଦିନ ନେଲୋର୍‌ ଜିଲାର ଗ୍ରାମାଞ୍ଚଳରେ ୫ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ଚିତ୍ତୋର ଜିଲାରେ ୧୫୯ ଶିକ୍ଷକ ଓ ୯ଜଣ ଛାତ୍ରଛାତ୍ରୀ ବୁଧବାର ସୁଦ୍ଧା ସଂକ୍ରମିତ ହୋଇଛନ୍ତି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେଉଥିବା ଘଟଣା ଏବେ ଆନ୍ଧ୍ର ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। କରୋନାର ଭୟାବହତା ଦୃଷ୍ଟିରୁ ସରକାରୀ ଓ ବେସରକାରୀ ସ୍କୁଲର ୨୦,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କରୋନା ଟେଷ୍ଟ କରିବା ସହିତ ଟେଷ୍ଟ ରିପୋର୍ଟ ନଭେମ୍ବର ୮ ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ଯେଉଁ ଶିକ୍ଷକମାନଙ୍କ କରୋନା ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ଆସିବ କେବଳ ସେମାନଙ୍କୁ ସ୍କୁଲକୁ ଆସିବା ପାଇଁ ଅନୁମତି ଦିଆଯିବ ଏବଂ ସେମାନେ ଛାତ୍ରଛାତ୍ରୀ ପାଠ ପଢ଼ାଇପାରିବେ ବୋଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଯାଇଛି।


ଜିଲା ଶିକ୍ଷା ଅଧିକାରୀ ନରସିଂହ ରେଡ୍ଲି କହିଛନ୍ତି ଯେ ରାଜ୍ୟ ସରକାର ପ୍ରାୟ ୯୮% ସ୍କୁଲ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ତେବେ କରୋନା ସଂକ୍ରମଣ ଆଶଙ୍କାରେ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୪୫%ରୁ କମ୍‌ ରହୁଛି।
ଚିତ୍ତୋର ଜିଲା ଶିକ୍ଷା ଅଧିକାରୀ କହିଛନ୍ତିଯେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨,୫୩୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫୭ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ସେହିପରି ୬୦୮ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଚନ୍ଦ୍ରଗିରିରୁ ୨ ଓ କେଭି ପାଲେମଣ୍ଡଲ୍‌ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେପଟେ ରାଜ୍ୟରେ ନଭେମ୍ବର ମାସରୁ ସ୍କୁଲ ଖୋଲିବା ନେଇ ଓଡ଼ିଶା ସରକାର ପ୍ରସ୍ତୁତ ହୋଇଛନ୍ତି। ବର୍ତ୍ତମାନ ପଡୋଶୀ ରାଜ୍ୟରୁ ଏଭଳି ଘଟଣା ଆସିବା ପରେ ତାହା ରାଜ୍ୟରେ ସ୍କୁଲ ଖୋଲିବା ନେଇ ସରକାରଙ୍କ ଚିନ୍ତା ବଢାଇ ଦେଇଛନ୍ତି।

Comments are closed.