କୋଭିଡ ନିୟମ ସହ ସ୍କୁଲ ଖୋଲୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପିଲାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ

ଭୁବନେଶ୍ୱର :  ପିଲାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ । କୋଭିଡ ନିୟମ ସହ ସ୍କୁଲ୍ ଖୋଲାଯାଇ ପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ପିଲାମାନଙ୍କର ସାଧାରଣ ରୋଗ ପ୍ରତିରୋଧକ ଶକ୍ତି  ଅଲଗା, ଯେଉଁଥିପାଇଁ ଶିଶୁଙ୍କ ଉପରେ ସେତେ ବାହ୍ୟ ପ୍ରଭାବ ରହେ ନାହିଁ । ସ୍କୁଲ ଖୋଲିବା ଆବଶ୍ୟକ କିନ୍ତୁ ନିଜେ ନିଜ ହିସାବରେ ସଚେତନ ରହିବା ଦରକାର। ଶିକ୍ଷକ ମାନେ ସ୍ଥିତି ତଦାରଖ କରିବା ସହ ଅଭିଭାବକ ମଧ୍ୟ ଦାୟିତ୍ୱବାନ ହେବା ଆବଶ୍ୟକ । ସେହିପରି ପିଲାମାନେ ନିଜେ ସଚେତନ ରହିବା ଦରକାର। ଅନ୍ୟପକ୍ଷରେ ପିଲାମାନଙ୍କ ଟିକାକାରଣ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଲାଗି ଆମେ ପ୍ରସ୍ତୁତ ଅଛୁ। ନିର୍ଦେଶ ଆସିଲେ ଆମେ ପିଲାଙ୍କ ଟିକାକାରଣ ମଧ୍ୟ ଯଥାଶୀଘ୍ର କରିବୁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ କମୁଛି, ଯାହା ଏକ ଆଶ୍ୱସ୍ତିକର ବିଷୟ। ପଡ଼ୋଶୀ ଦେଶରେ ଯେହେତୁ ପୁଣି କିଛିଟା ସଂକ୍ରମଣ ବଢୁଛି, ଆମେ ସଜାଗ ଓ କୋଭିଡ୍ ମାର୍ଗ ଦର୍ଶୀକା ମାନିବା ଉଚିତ । ବର୍ତମାନ ଯେଉଁଭଳି ଭବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ । ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି ବୋଲି ସେ କହିଛନ୍ତି ।
କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି । ଜନସାଧାରଣ ତାହାକୁ ବୁଝିପାରିଛନ୍ତି । ତେଣୁ ଆଗାମୀ ଦିନରେ ସେ ସବୁକୁ ଆମେ ଜାରି ରଖିଲେ ସଂକ୍ରମଣ ଭୟ ରହିବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ । ପାଖାପାଖି ୭୩ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଓ ଦୈନିକ ପାଖାପାଖି ୭୦ ହଜାର ପରୀକ୍ଷଣ କରାଯାଉଛି ।

Comments are closed.