ସାରା ଦେଶରେ କେବେ ଖୋଲିବ ସ୍କୁଲ ; ନିଷ୍ପତ୍ତି ନେବେ ସରକାର – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସ୍ଥାନରେ କରୋନା ମହାମାରୀର ସ୍ଥିତି ଭିନ୍ନ ରହିଛି। ‘ସାରା ଦେଶରେ କେବେ ଖୋଲିବ ସ୍କୁଲ’ ଏହାର ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ। ଏହା ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି। କରୋନା ମହାମାରୀ ମାମଲା ହ୍ରାସକୁ ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। ଏହାସହ ପିଲାମାନଙ୍କୁ ଏଥିରେ ସାମିଲ ହେବା ଉଚିତ ନୁହେଁ। ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢିବା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି।
ପିଲାମାନେ ପୁଣି ସ୍କୁଲ ଯିବା ଜରୁରୀ ମାତ୍ର ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ। ପିଲାମାନଙ୍କୁ ସାମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ। ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

 

Comments are closed.