ପିଲାଙ୍କ ସୁରକ୍ଷାକୁ ଗୁରୁତ୍ବ, ସବୁ ଜିଲାରେ ନିଯୁକ୍ତ ହେବେ ନୋଡାଲ ଅଧିକାରୀ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଦଶମ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକ ସ୍ଥିତି ଓ କରୋନା କଟକଣା ମଧ୍ୟରେ କିପରି ଶିକ୍ଷାଦାନ କରାଯିବା ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ରବିବାର ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ, ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ ୩୦ଟି ଜିଲାର ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ କରୋନା ମାର୍ଗଦର୍ଶିକା (ଏସ୍‌ଓପି) ଠିକ୍‌ ଭାବେ ପାଳନ ଓ ଆସନ୍ତା ୩୦ ଜୁଲାଇ ଆରମ୍ଭ ହେବାକୁ ଥିବା ମାଧ୍ୟମିକ (ମାଟ୍ରିକ୍‌) ପରୀକ୍ଷା କିପରି ଆୟୋଜନ କରାଯିବ ତା’ ଉପରେ ଆଲୋଚନା ହୋଇଥିଲା। ସବୁ ଜିଲାରେ ବିଦ୍ୟାଳୟ ସ୍ଥିତି ପରଖିବା ପାଇଁ ନୋଡାଲ ଅଧିକାରୀ ଏବଂ କରୋନା ସ୍ଥିତି ପରଖିବାକୁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଭାଗର ସମସ୍ତ ପଦାଧିକାରୀ, ନୋଡାଲ ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ପ୍ରଭୃତି ବିଭିନ୍ନ ବିଦ୍ୟାଳୟକୁ ଯାଇ ସେଠାକାର ସ୍ଥିତି ପରଖିବେ।

ସ୍ବଚ୍ଛତା ଓ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ବୈଠକରେ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ଦକ୍ଷତା ସିବିଏସ୍‌ଇ ଢାଞ୍ଚାରେ କରାଯିବ।, ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା କିପରି ଆୟୋଜନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବାକୁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ପରୀକ୍ଷାର୍ଥୀ କିମ୍ବା ବିଦ୍ୟାର୍ଥୀ ଯେପରି ଅସବୁିଧାର ସମ୍ମୁଖୀନ ହେବେ ନାହିଁ ସେ ଉପରେ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହୋଇଛି।

ପରୀକ୍ଷାର୍ଥୀଙ୍କ ବସିବା ବ୍ୟବସ୍ଥାଠାରୁ ଆରମ୍ଭ କରି ସଫେଇ ପର୍ଯ୍ୟନ୍ତ ଯେପରି କୌଣସି ତ୍ରୁଟି ହେବନି ସେ ନେଇ ସବୁ ଜିଲା ଓ ମଣ୍ଡଳ ଶିକ୍ଷାଧିକାରୀଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ରାବାସ ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ଆଦର୍ଶ ବିଦ୍ୟାଳୟ ଅବା ଯେକୌଣସି ସ୍ଥାନରେ ଥିବା ଛାତ୍ରାବାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Comments are closed.