୭.୫%ରୁ ୩୦% ପର୍ଯ୍ୟନ୍ତ କମିପାରେ ଘରୋଇ ସ୍କୁଲ ଫି’: କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦେଶ

କରୋନା ସମୟରେ ଶିକ୍ଷାଦାନ ବ୍ୟାହତ ପ୍ରସଙ୍ଗରେ ଘରୋଇ ସ୍କୁଲର  ଫି ହ୍ରାସକୁ ନେଇ ଚାଲିଛି ବିତର୍କ । ଅଭିଭାବକ ଫି ହ୍ରାସ ପାଇଁ ଦାବି କରୁଥିବାବେଳେ ସ୍କୁଲଗୁଡ଼ିକ ଟଙ୍କାଟିଏ ବି ଫି କମାଇବାକୁ ନାରାଜ । ଏହି ପ୍ରସଙ୍ଗ ଯାଇ ଅଦାଲତରେ ପହଞ୍ଚିଛି । ଅନ୍ୟପକ୍ଷରେ ଘରୋଇ ସ୍କୁଲର ଫି’ ନିର୍ଧାରଣରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି । ଏହି ସ୍ଥିତିରେ ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି  ଆଧାରରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଅଦାଲତ କହିଛନ୍ତି । ଏହା ସହ କମିଟି ରିପୋର୍ଟ ଉପରେ ଆପତ୍ତି ଥିଲେ ଏଥିନେି ଅଦାଲତରେ ସାନି ରିଟ୍ ଦାଖଲ କରିବାକୁ ମଧ୍ୟ ଅଦାଲତ ପରାମର୍ଶ ଦେଇଛନ୍ତି ।

କରୋନା କାଳରେ ଶିକ୍ଷାଦାନ ବନ୍ଦ ରହିବା ପ୍ରସଙ୍ଗକୁ ନେଇ ଅଭିଭାବକ ସଂଘର ଦାବି ପରେ ଅଦାଲତ ଏକ କମିଟି ଗଠନ କରି ଫି’ ନିର୍ଧାରଣ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଫି’ ହ୍ରାସ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ଆବାସିକ ବିଦ୍ୟାଳୟଗୁଡ଼ିକର ଫି ସର୍ବାଧିକ ୩୦% ହ୍ରାସ ନିମନ୍ତେ ସୁପାରିସ କରାଯାଇଥିଲା । ବାର୍ଷିକ ୧ ଲକ୍ଷ ଟଙ୍କା ବା ତହିଁରୁ ଅଧିକ ସ୍କୁଲ ଫି ନେଉଥିବା ଘରୋଇ ସ୍କୁଲ ଫି’ ୨୬% ଛାଡ଼ କରିବାକୁ କମିଟି ପ୍ରସ୍ତାବ ଦେଇଥିଲା । ସେହିପରି ବାର୍ଷିକ ୭୨ ହଜାରରୁ ୧ ଲକ୍ଷ ଟଙ୍କା ନେଉଥିବା ସ୍କୁଲ ଫି ୨୫%, ବାର୍ଷିକ ୪୮ହଜାରରୁ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲଗୁଡ଼ିକ ୨୦%, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ଫି ସଂଗ୍ରହ କରୁଥିବା ସ୍କୁଲ ୧୫%, ସେହିପରି ଅଭିଭାବକଙ୍କଠାରୁ ବାର୍ଷିକ ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଫି ଆଦାୟ କରାଯାଉଥିଲେ ୧୨% ଏବଂ ବାର୍ଷିକ ୬ ହଜାରରୁ ୧୨ ହଜାର ଟଙ୍କା ସ୍କୁଲ ଫି କ୍ଷେତ୍ରରେ ୭.୫% ସ୍କୁଲ ଫି ଛାଡ଼ କରିବାକୁ ପ୍ରସ୍ତାବ ରହିଥିଲା। ତେବେ ବାର୍ଷିକ ୬ ହଜାର ଟଙ୍କା ସ୍କୁଲ ଫି ଦେଉଥିବା ଅଭିଭାବକଙ୍କୁ ଏଥିରେ କୌଣସି ଛାଡ଼ର ବ୍ୟବସ୍ଥା ହୋଇ ନ ଥିଲା ।

ମାତ୍ର ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ଘରୋଇ ସ୍କୁଲଗୁଡ଼ିକ ସ୍କୁଲ ଫି ହ୍ରାସ କରିବେ କି ଏହା ବିରୋଧରେ ହାଇକୋର୍ଟରେ ସାନି ପିଟିସନ ଦାଖଲ କରିବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

Comments are closed.