ସ୍କୁଲ ଫି’ ଛାଡ଼ ମାମଲା : ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ, ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ କ୍ଷମତା ଅଛି

କଟକ : ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବାବେଳେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଙ୍ଗରେ ରହିଛି ବୋଲି ଦର୍ଶାଯାଇଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ୧୯୯୬, ସେପ୍ଟେମ୍ବର ୨୩ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲଗୁଡିକର ନିୟନ୍ତ୍ରଣ ପାଇଁ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ନିୟମାବଳୀ ଉଲ୍ଲଙ୍ଘନ ଯଦି ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ଏନଓସି ପ୍ରତ୍ୟାହାର କରାଯିବ। ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଘରୋଇ ସ୍କୁଲଗୁଡିକର ଫି ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବାବେଳେ ଏହି ବିଜ୍ଞପ୍ତି‌ରୁ କିନ୍ତୁ ସରକାରଙ୍କ କ୍ଷମତା ରହିଛି ବୋଲି ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍କୁଲ ଫି’ ଛାଡ ପ୍ରସଙ୍ଗରେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମଓୟୁ କାର୍ଯ୍ୟକାରୀ କରାଯାଉ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀକୁ ନେଇ ଦେଖା ଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ତିନିଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ ଓ ବିଭୂତି ଭୂ‌ଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ଏହି ମାମଲାରେ ପୂର୍ବରୁ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ସ୍କୁଲ ଫି’ ଛାଡ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ପ୍ରସଙ୍ଗରେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ସପକ୍ଷରେ ସରକାର ରହିଛନ୍ତି। ଘରୋଇ ଅଣଅନୁଦାନପ୍ରାପ୍ତ ଶିକ୍ଷା ଅନୁଷ୍ଠାନଗୁଡିକୁ ଓଡ଼ିଶା ଏଜୁକେସନ୍ ଆକ୍ଟ, ୧୯୬୯ରେ ଅନୁମତି ଓ ସ୍ବୀକୃତି ପ୍ରଦାନ କରାଯାଉଥିବା ବେଳେ ଏହି ଆଇନ ଓ ଏ ସଂପର୍କିତ ନିୟମାବଳୀରେ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ କେତେ ଫି ଦେବେ ତାହା ନିର୍ଦ୍ଧାରଣ କରିବା ବ୍ୟବସ୍ଥା ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇ ଓ ଆଇସିଏଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଘ‌େରାଇ ସ୍କୁଲଗୁଡିକର ଫି ଷ୍ଟ୍ରକଚର୍ ନିୟନ୍ତ୍ରଣ କରିବା ପାଇଁ ଆଇନରେ କିଛି ବ୍ୟବସ୍ଥା ନାହିଁ। ଅତୀତରେ ଡିଏଭି ସ୍କୁଲ ଫି ବିବାଦ ମାମଲାରେ ଜଷ୍ଟିସ୍ କେ.ପି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି ଷ୍ଟ୍ରକଚର୍ କମିଟି ଅନୁମୋଦନ ଗ୍ରହଣ ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।

Comments are closed.