ଦଶମରୁ ପାଠ ଛାଡୁଛନ୍ତି ୨୪ % ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଆଗକୁ ବଢ଼ିବା ପରିବର୍ତ୍ତେ ପଛାଇ ଚାଲିଛି। ଦଶମ ଉତ୍ତୀର୍ଣ୍ଣ ହେବା ପରେ ୨୪ ପ୍ରତିଶତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ମନ ବଳାଉ ନାହାନ୍ତି। ଦାରିଦ୍ର୍ୟ, ନିଯୁକ୍ତିର ଅଭାବ, ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ନହେବା, ଉଚ୍ଚଶିକ୍ଷା ପାଇଁ ବଜେଟରେ କମ ଅର୍ଥ ବରାଦ ଏବଂ ସମତା ରକ୍ଷା କରିବା ପାଠ୍ୟକ୍ରମ (ମଡୁଲାର କୋର୍ସ) ଲାଗୁ ନହେବା ପାଠ ଛାଡିବାର ପ୍ରମୁଖ କାରଣ ବୋଲି ଶିକ୍ଷାବିତ ମତ ଦେଇଛନ୍ତି।

୨୦୧୯-୨୦୨୦ ଶିକ୍ଷା ବର୍ଷର ତଥ୍ୟ କହୁଛି, ପାଠ ଛାଡିବାରେ ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ସଂଖ୍ୟା ଅଧିକ। କେବଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ନୁହନ୍ତି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷାରୁ ଅନେକ ପିଲା ପାଠ ଛାଡ଼ୁଛନ୍ତି। ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ପଞ୍ଚମ ଶ୍ରେଣୀ)ରେ ୦.୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡୁଛନ୍ତି। ଏମାନଙ୍କ ମଧ୍ୟରେ ଛାତ୍ର ୦.୯ ପ୍ରତିଶତ ଏବଂ ଛାତ୍ରୀ ୦.୮ ପ୍ରତିଶତ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ)ରେ ୪.୩ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢା ଛାଡୁଛନ୍ତି। ଏମାନଙ୍କ ମଧ୍ୟରେ ୪.୬ ପ୍ରତିଶତ ଛାତ୍ର ଏବଂ ୩.୯ ପ୍ରତିଶତ ଛାତ୍ରୀ ଅଛନ୍ତି।

ଉଚ୍ଚ ବିଦ୍ୟାଳୟ (ନବମରୁ ଦଶମ ଶ୍ରେଣୀ)ରେ ୨୫.୭ ପ୍ରତିଶତ ଛାତ୍ର ଏବଂ ୨୨.୨ ପ୍ରତିଶତ ଛାତ୍ରୀ ରହିଛନ୍ତି। ରାଜ୍ୟରେ ମୋଟ ୬୭,୦୨୦ ବିଦ୍ୟାଳୟ ରହିଛି। ସେଥିରୁ ୫୩, ୨୬୦ ସରକାରୀ, ୫୮୩୯ ଅନୁଦାନପ୍ରାପ୍ତ ସରକାରୀ ଏବଂ ୬୩୭୫ ଘରୋଇ ବିଦ୍ୟାଳୟ। ଏହି ସମସ୍ତ ବିଦ୍ୟାଳୟରୁ ମାତ୍ର ୬.୪୬ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଛି। ୨.୭୨ ପ୍ରତିଶତ ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ।

୧୪୫୦ ସରକାରୀ ବିଦ୍ୟାଳୟ, ୨୨୩୧ ଘରୋଇ ବିଦ୍ୟାଳୟ ଓ ୩୩୫ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଇଣ୍ଟରନେଟ ସୁବିଧା ଥିବା ତଥ୍ୟରେ କୁହାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପୂର୍ବତନ ସଚିବ ଡ. ଅରୁଣ କୁମାର ରଥ କହିଛନ୍ତି, ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଯୋଗୁଁ ଅନେକ ପିଲା ପାଠପଢା ଛାଡୁଛନ୍ତି। ଦଶମ ଉତ୍ତୀର୍ଣ୍ଣ ପରେ ସବୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ମହାବିଦ୍ୟାଳୟ ଯିବେ ତା’ର କିଛି ମାନେ ନାହିଁ। ଆର୍ଥିକ ସମସ୍ୟା ପାଇଁ ନିଶ୍ଚିତ ଭାବେ କିଛି ବିଦ୍ୟାର୍ଥୀ ଶିକ୍ଷା ଛାଡି ଚାକିରି ଖୋଜିବେ। କିନ୍ତୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଲାଗୁ କରାଯାଉ ନଥିବାରୁ ପିଲା ଦଶମ ଶ୍ରେଣୀରୁ ପାଠ ଛାଡିଲେ ବି ଚାକିରି ଖଣ୍ଡେ ପାଇପାରୁନି।

୨୦୨୦ ଜାତୀୟ ଶିକ୍ଷା ନୀତି କହୁଛି, ଏଣିକି ୬ଷ୍ଠରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯିବ। ୫ ପ୍ରତିଶତ ବିଦ୍ୟାର୍ଥୀ ଧନ୍ଦାମୂଳକ ଶିକ୍ଷା ପାଉଥିବା ବେଳେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତ ବିଦ୍ୟାର୍ଥୀ ଧନ୍ଦାମୂଳକ ଶିକ୍ଷା ପାଇବେ। ପିଲା ବିଦ୍ୟାଳୟରେ ପାଠପଢି ବାହାରିଲା ବେଳକୁ ଚାକିରି ଖଣ୍ଡେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଥିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ମଡୁଲାର କୋର୍ସ ଲାଗୁ କରିବା ଆବଶ୍ୟକ। ଏହି କୋର୍ସ ଲାଗୁ କରାଗଲେ ପ୍ରାୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ଜାତୀୟ ଶିକ୍ଷା ନୀତି କହୁଛି ମଡୁଲାର କୋର୍ସ ଲାଗୁ ହେବା ଦ୍ବାରା ପିଲା ସ୍ନାତକ ପ୍ରଥମ ବର୍ଷରେ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ପାଇବ। ଅର୍ଥ ଅଭାବ ହେଲେ ଦ୍ବିତୀୟ ବର୍ଷରେ ନପଢି ଚାକିରି କରିପାରିବ। ପରବର୍ଷ ପଢିବାକୁ ଚାହିଁଲେ ପ୍ରମାଣପତ୍ର ଦେଖାଇ ଦ୍ବିତୀୟ ବର୍ଷରେ ନାମଲେଖାଇ ହେବ। ଏହାଦ୍ବାରା ବିଦ୍ୟାର୍ଥୀ ଶିକ୍ଷାରୁ ବଞ୍ଚିତ ହୋଇପାରିବ ନାହିଁ।

ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ସରକାରୀ ଓ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସୁଦୃଢ ଏବଂ ସ୍ଥାନ ବୃଦ୍ଧି କରାଗଲେ ଛାତ୍ରଛାତ୍ରୀ ଗାଁରେ ରହି ପାଠ ପଢିବା ସୁଯୋଗ ପାଇପାରିବେ।

Comments are closed.