ମରିବୁ ପଛେ ସ୍କୁଲ ଛାଡିବୁ ନାହିଁ : ଜଟିପାଲି ଗ୍ରାମବାସୀଙ୍କ ବିକ୍ଷୋଭ

ବଲାଙ୍ଗିର : ଆମ ପିଲା ଆମ ଗାଁ ସ୍କୁଲରେ ପାଠ ପଢିବେ। ଅନ୍ୟତ୍ର ଯିବେ ନାହିଁ। ସରକାରଙ୍କ  ନିୟମାବଳୀ ଅନୁଯାୟୀ ଗାଁରେ ଯଥେଷ୍ଟ ପିଲା ଅଛନ୍ତି। ତେଣୁ ସ୍ଥାନାନ୍ତରଣ କରିବା ଅପେକ୍ଷା ଗାଁରେ ପୁର୍ନବାର ସ୍କୁଲ ରଖିବା ଦାବିରେ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ତଲିଉଡାର ଅନ୍ତର୍ଗତ ଜଟିପାଲିର ଗାଁ ଲୋକେ ସ୍ଥାନୀୟ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା ଏହି ସ୍କୁଲରେ ୪୦ ଜଣ ଛାତ୍ରଛାତ୍ରୀ ୧ ରୁ ୫ ଶ୍ରେଣୀରେ ପ୍ରବେଶ ନେବାର ଅପେକ୍ଷାରେ ଅଛନ୍ତି। କରୋନା ମହାମାରୀ ଯୋଗୁଁ ପୂର୍ବେ ୨୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଜଟିପାଲି ସ୍କୁଲକୁ ୪ କିମି ଦୂରରେ ଥିବା ତଲିଉଡାର ସ୍କୁଲରେ ମିଶ୍ରଣ କରାଯିବାକୁ ପ୍ରସ୍ଥାବ ରହିଛି। କିନ୍ତୁ ତାକୁ ଗ୍ରାମବାସୀ ଦୃଢହସ୍ତରେ ବିରୋଧ କରୁଛନ୍ତି। ଗାଁରୁ ବେଶି ଦୂରତା ଥିବା ବେଳେ ବେଶ ବିପଦ ସଙ୍କୁଳ ରାସ୍ତାରେ ଛୋଟ ଛୋଟ ଶିଶୁ ଯିବା ସମ୍ଭବ ନୁହେଁ। ଅଧିକାଂଶ ଲୋକ ଖଟିଖିଆ, ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ପିଲାଙ୍କୁ ନେବା ଆଣିବାରେ ମଧ୍ୟ ସମସ୍ୟା ଉପୁଜିବ। ଏହା ସହ ଖର୍ଚ୍ଚାନ୍ତ ମଧ୍ୟ ଲୋକେ ହେବେ। ଅବିଭାବକଙ୍କ ଅନୁପସ୍ଥିତିରେ ମଧ୍ୟ ପିଲା ଗାଁ ସ୍କୁଲକୁ ନିଜେ ପଢି ଯାଉଛନ୍ତି। ତେଣୁ ଜଟିପାଲି ସ୍କୁଲକୁ ଗାଁରେ ହିଁ ରଖାଯାଉ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ,ଜିଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବିପତ୍ର ଗ୍ରାମବାସୀ ପ୍ରଦାନ କରିଥିଲେ। ଭିଆଇପିର ଅଧ୍ୟକ୍ଷ ଡ. ବିପିନ କୁଶଲିଆଙ୍କ ନେତୃତ୍ୱରେ ତଲିଉଡାର ସରଞ୍ଚ ପଦ୍ମାଳୟା ନାଗ, ପରିଚାଳନା କମିଟି ସଭାପତି ରୂଷି ସାହୁ, ପ୍ରହଲ୍ଲାଦ ସାହୁ, ପ୍ରଦୀପ କୁମାର ଦିଶ୍ରୀ, ଉତ୍ତର କୁମାର ମେହେର, ଦୁର୍ବାସା ପଧାନ, ପ୍ରକାଶ ଗଡତ୍ୟା, ମାନରଂଜନ ସାହୁ, ସେବାକର ଭାଟି, ଇଶ୍ୱର ମନହୀରା, ମେନା ମେହେର, ଯୁବରାଜ ସାହୁ, ଶୁକ୍ରୁ ମେହେର, ନିତିଆ ସାହୁ, ଟଙ୍କଧର ଗଡତ୍ୟାଙ୍କ ସମେତ ଗ୍ରାମର ଶତାଧିକ ଲୋକେ ଉପସ୍ଥିତ ଥିଲେ।

Comments are closed.