ପ୍ରାଣଘାତୀ ହୋଇପାରେ ସୁଗନ୍ଧଯୁକ୍ତ ମହମବତୀ

ମହମବତୀ ନିଜେ ଜଳି ଆଖପାଖକୁ ଆଲୋକିତ କରିଥାଏ। ଇତିହାସ ଅନୁସାରେ ଖ୍ରୀଷ୍ଟପୂର୍ବ ୨୨୧-୨୦୬ ମଧ୍ୟରେ ଚୀନର ହ୍ବେଲ୍‌ ଅଫ ଫ୍ୟାଟ୍‌ରେ ପ୍ରଥମେ ମହମବତୀ ତିଆରି ହୋଇଥିଲା। ଭାରତରେ ବି ପାଖାପାଖି ସେହି ସମୟରେ ମହମବତୀର ପ୍ରଚଳନ ହୋଇଥିଲା। କିନ୍ତୁ ସମୟ ଅନୁସାରେ ମହମବତୀର ବ୍ୟବହାର ମଧ୍ୟ ବଦଳି ଯାଇଛି। ପୂର୍ବରୁ ଆଲୋକ ପାଇଁ ଏହାକୁ ବ୍ୟବହାର କରାଯାଉଥିବା ବେଳେ ଏବେ ବିଭିନ୍ନ ପାର୍ଟି ଏବଂ ପରମ୍ପରାରେ ସାଜସଜ୍ଜା ଉଦ୍ଦେଶ୍ୟରେ ଏହାର ଉପଯୋଗ ହେଉଛି।

କାଳକ୍ରମେ ସାଧାରଣ ମହମବତୀ ବଦଳରେ ସୁଗନ୍ଧଯୁକ୍ତ ମହମବତୀ ମଧ୍ୟ ତିଆରି ହେଲାଣି। ଲୋକଙ୍କୁ ଆକର୍ଷିତ କରିବା ଲାଗି ଏହି ମହମବତୀର ଚାହିଦା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ଏହି ସୁଗନ୍ଧଯୁକ୍ତ ମହମବତୀ ମଣିଷ ଶରୀର ପାଇଁ କେତେ ହାନିକାରକ ବା ପ୍ରାଣଘାତୀ ତାହା ଅନେକ ଜାଣି ନ ଥିବେ।

Image Courtesy: UA magazine

ସୁଗନ୍ଧଯୁକ୍ତ ମହମବତୀ ଶରୀର ପାଇଁ କେତେ ପ୍ରାଣଘାତୀ ହୋଇପାରେ ସେ ଦିଗରେ ଅନୁଧ୍ୟାନ କରିଛନ୍ତି ୱାର୍‌ସ ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଜୁଜାନା କୋଜଲୋସ୍କା, ମାଗ୍‌ଡାଲେନା ଓସିଆଲ ଏବଂ ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ଟେକ୍ନୋଲୋଜି ରିସର୍ଚ୍ଚର ଆଗ୍ନିଜ୍‌କା ପ୍ରେଗୋସ୍କା। ଏହି ୩ ଜଣଙ୍କ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ବିଜ୍ଞାନ ଭିତ୍ତିକ ପତ୍ରିକା ୟୁଏ ମାଗାଜିନରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି, ସୁଗନ୍ଧଯୁକ୍ତ ମହମବତୀରେ ଯେଉଁ ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ତାହା ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି କେମିକାଲ୍‌ଗୁଡ଼ିକ ଦ୍ବାରା ମଣିଷଠାରେ ଶ୍ବାସ ରୋଗ ସମେତ ଆଖି ଏବଂ ଗଳାରେ ଜଳାପୋଡ଼ା ମଧ୍ୟ ହେବାର ଆଶଙ୍କା ରହିଛି। ତେବେ କାଠ ପଲିସ୍‌ କରିବା ପାଇଁ ବ୍ୟବହୃତ ପଦାର୍ଥ ବା ବିଜ୍‌ୱାକ୍ସ ଏବଂ ସୋୟାବିନ୍‌ ୱାକ୍ସ ଭଳି ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ମହମବତୀରେ କମ୍‌ ବିଷାକ୍ତ ପଦାର୍ଥ ରହିଥାଏ। କିନ୍ତୁ ଅଧିକ ସୁଗନ୍ଧଯୁକ୍ତ ମହମବତୀ ପାରାଫିନ୍‌ ୱାକ୍ସରୁ ତିଆରି ହୋଇଥାଏ, ଯାହା ପେଟ୍ରୋଲିୟମ, କୋଇଲା ଏବଂ ଶେଲ୍‌ ତେଲରୁ ପ୍ରସ୍ତୁତ ହୋଇଥାଏ। ଏହି ମହମବତୀ ଜଳିଲେ ସେଥିରୁ ବିଭିନ୍ନ ପ୍ରକାର ସୁଗନ୍ଧ ପ୍ରସ୍ଫୁଟିତ ହୁଏ ସତ, କିନ୍ତୁ ସେଥିରୁ ଅତ୍ୟନ୍ତ କ୍ଷତିକାରକ ଟକ୍ସିକ୍‌ ବା ବିଷାକ୍ତ ବସ୍ତୁ ମଧ୍ୟ ନିର୍ଗତ ହୋଇଥାଏ।

Image Courtesy: UA magazine

ସୁଗନ୍ଧଯୁକ୍ତ ମହମବତୀର ଏକ ଉପାଦାନ ହେଉଛି ଫର୍ମାଲଡିହାଇଡ୍‌, ଯାହା କର୍କଟ ରୋଗର ମୂଳ କାରଣ ଭାବେ ଜଣାଶୁଣା। ଏହାଦ୍ବାରା ଲ୍ୟୁକେମିଆ ବା ଶ୍ବେତ କଣିକା ବୃଦ୍ଧି ରୋଗ ହେବାର ବି ସମ୍ଭାବନା ରହିଥାଏ। ଫର୍ମାଲଡିହାଇଡ୍‌ ଦ୍ବାରା କେବଳ କର୍କଟ ରୋଗ ସୃଷ୍ଟି ହୋଇ ନ ଥାଏ, ଏହାର ମାତ୍ରା କମ୍‌ ରହିଲେ ବି ଆଖି ଜଳାପୋଡ଼ା ହୋଇଥାଏ।

ସୁଗନ୍ଧଯୁକ୍ତ ମହମବତୀରୁ ଅନ୍ୟ କେତେକ ରସାୟନିକ ପଦାର୍ଥ ମଧ୍ୟ ନିର୍ଗତ ହୋଇଥାଏ। ସେଥିରୁ ଗୋଟିଏ ହେଲା ନାପ୍‌ଥାଲିନ୍‌, ଯାହା ଶରୀରରେ ପ୍ରଦାହ ସୃଷ୍ଟି କରିବା ସହିତ ଡିଏନଏ ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଏକ କର୍କଟ ରୋଗ ସୃଷ୍ଟିର କରାଉଥିବା ଏକ ପଦାର୍ଥ।

ଟଲ୍ୟୁଇନ୍‌ ନାମକ ଅନ୍ୟ ଏକ ରସାୟନିକ ପଦାର୍ଥ ଉଭୟ ମହମବତୀ ଏବଂ ନେଲ୍‌ ପଲିସରେ ମିଳିଥାଏ। ଏହା ମଣିଷ ଶରୀରର ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ବା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ କ୍ଷତିଗ୍ରସ୍ତ କରିଥାଏ, ଯାହା ମଣିଷର ମସ୍ତିଷ୍କକୁ ସ୍ଥାୟୀ ଭାବେ ବିଷାକ୍ତ କରିଦେଇଥାଏ। କେବଳ ଏତିକି ନୁହେଁ, ଟଲ୍ୟୁଇନ୍‌ ଆମ ଫୁସଫୁସ, କିଡ୍‌ନୀ, ଆଖି ଏବଂ ଚର୍ମକୁ କ୍ଷତିଗ୍ରସ୍ତ କରିବା ସହିତ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତିର ବି କାରଣ ସାଜିଥାଏ।

ଆନ୍ଥ୍ରାସିନ ନାମକ ଆଉ ଏକ ରସାୟନିକ ପଦାର୍ଥ ସୁଗନ୍ଧଯୁକ୍ତ ମହମବତୀରେ ବ୍ୟବହାର ହୋଇଥାଏ। ଏହା ଶରୀରର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଟ୍ରାକ୍ଟରେ ପ୍ରଦାହ ସୃଷ୍ଟି କରିବା ସହିତ ଚର୍ମ ସମସ୍ୟା ସୃଷ୍ଟି କରିଥାଏ। ମହମବତୀ ଜଳିବା ଫଳରେ ଆନ୍ଥ୍ରାସିନ ବାୟୁ ଜରିଆରେ ଶରୀରରେ ପ୍ରବେଶ କରି ଶ୍ବାସଜନିତ ସମସ୍ୟା ସୃଷ୍ଟି କରେ। ଏହାବ୍ୟତୀତ ସୁଗନ୍ଧଯୁକ୍ତ ମହମବତୀରୁ ବେଞ୍ଜିନ, ମେଥାକ୍ରୋଲିନ ଭଳି କେମିକାଲ୍‌ସ ମଧ୍ୟ ନିର୍ଗତ ହୋଇଥାଏ।

କେବଳ ମହମବତୀ ନୁହେଁ, ସୁଗନ୍ଧଯୁକ୍ତ ବିଭିନ୍ନ ଉତ୍ପାଦରେ ପ୍ରାୟ ୧୦୦ ପ୍ରକାର କେମିକାଲ୍ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଏସବୁ କେମିକାଲ୍‌ ଦ୍ବାରା ଶ୍ବାସକ୍ରିୟା, ଚର୍ମ ଏବଂ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ କମ୍‌ ସୁଗନ୍ଧଯୁକ୍ତ ଏବଂ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ମହମବତୀ ଏହାର ବିକଳ୍ପ ବୋଲି ରିପୋର୍ଟରେ କୁହାଯାଇଛି। ସିନ୍ଥେଟିକ୍‌ ୱାକ୍ସ ଦ୍ବାରା ପ୍ରସ୍ତୁତ ମହମବତୀ ବଦଳରେ ବିଜ୍‌ୱାକ୍ସ, ସୋୟାବିନ ୱାକ୍ସ ଏବଂ ବିଭିନ୍ନ ବୃକ୍ଷରୁ ପ୍ରସ୍ତୁତ ମହମରୁ ତିଆରି ହେଉଥିବା ମହମବତୀ ବ୍ୟବହାର କରିବା ଭଲ ବୋଲି କୁହାଯାଇଛି।

 

input: UA magazine

Comments are closed.