ଏସ୍‌ସିବିରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ବର/କଟକ : ଆର୍‌ଏମ୍‌ଆର୍‌ସି ଓ ଏମ୍ସ ପରେ ମଙ୍ଗଳବାରଠାରୁ ଏସ୍‌ସିବି ମେଡିକାଲ କଲେଜରେ କୋଭିଡ୍-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଏସ୍‌ସିବିରେ ନମୁନା ପରୀକ୍ଷା ପାଇଁ ଭାରତ ସରକାରଙ୍କ ଆଇସିଏମ୍‌ଆର ଅନୁମତି ପ୍ରଦାନ କରିଛି। ଏହାକୁ ମିଶାଇ ଓଡ଼ିଶାରେ ନମୁନା ପରୀକ୍ଷା କେନ୍ଦ୍ର ସଂଖ୍ୟା ୩ରେ ପହଞ୍ଚିଛି। ଆଗକୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି, ସମ୍ବଲପୁରର ଭିମ୍‌ସାର ହସ୍ପିଟାଲରେ ନମୁନା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ଦିନରେ ୩ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍‌ ଓ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର ସ୍ୱାବ୍‌ ରିପୋର୍ଟ ନେଗେଟିଭ ରହିଛି। ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଓ ଯନ୍ତ୍ରପାତି ରାଜ୍ୟ ସରକାର ଯୋଗାଇ ଦେବା ପରେ ଆଜିଠାରୁ ଏହି ପରୀକ୍ଷା ସେବା ଆରମ୍ଭ କରାଯାଇଛି। ଏସ୍‌ସିବିର ମାଇକ୍ରୋବାଇଓଲୋଜି ବିଭାଗ ଅଧୀନରେ ଏହା ରହିଛି। ପୂର୍ବରୁ କଟକ ବଡ଼ ଡାକ୍ତରଖାନାକୁ ଆସୁଥିବା କରୋନା ସନ୍ଦିଗ୍ଧଙ୍କ ସ୍ୱାବ୍‌ ଏବଂ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିକୁ ପଠାଯାଉଥିଲା।

ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରି ସରକାର କଟକ ବଡ଼ ଡାକ୍ତରଖାନାରେ ଏହି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏସସିବିରେ ଏହି ସେବା ଉପଲବ୍ଧ ହେବା ପରେ ଏଣିକି ଗୋଟିଏ ଦିନରେ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ମିଳିପାରିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ରାଜ୍ୟର ସବୁ ଜିଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ତେଣୁ ସବୁ ଜିଲାରେ କରୋନା ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ବିଭାଗ ଗୁରୁତ୍ବର ସହ ବିଚାର କରୁଛି। ଓଡ଼ିଶାର ଅନ୍ୟ ଜିଲା ବ୍ୟତିତ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯିବ। ସରକାରୀ ଓ ଘରୋଇ ମେଡିକାଲ କଲେଜରେ ସନ୍ଦିଗ୍ଦଙ୍କ ନମୁନା ପରୀକ୍ଷା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। କେୟାର ଓ ବିକାଶ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା ବେଳେ ଅନ୍ୟ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଏହା କରାଯିବ। ଶ୍ରୀ ଦାସ କହିଛନ୍ତି, ହସ୍ପିଟାଲ ପ୍ରତିଷ୍ଠା ନେଇ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନରେ ଉଚ୍ଚ କ୍ଷମତାସମ୍ପନ୍ନ ଭିଡ଼ିଓ କନଫରେନ୍ସ ଜରିଆରେ ସମୀକ୍ଷା କରାଯାଉଛି। ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ରାଜ୍ୟକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ମାସ୍କ ଓ ଅନ୍ୟ ଜରୁରୀ ସାମଗ୍ରୀ ଶୀଘ୍ର ଯୋଗାଇବା ପାଇଁ ଦାବି କରାଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ ସନ୍ଦିଗ୍ଧଙ୍କ ନମୁନା ସଂଖ୍ୟା ବୃଦ୍ଧି ପାଉଛି। ଏବେ ଆରଏମ୍‌ଆରସିରେ ଦୈନିକ ହାରାହାରି ୭୦ରୁ ୮୦ଟ ନମୁନା ପରୀକ୍ଷା ପାଇଁ ପଠାଯାଉ ଥିବାବେଳେ ଏମ୍ସରେ ୨୫ରୁ ୩୦ ନମୁନା ପରୀକ୍ଷା ହେଉଛି। ଆଗକୁ ସ୍ଥିତି ଜଟିଳ ହେଲେ ନମୁନା ସଂଖ୍ୟା ବୃଦ୍ଧି ପାଇବ। ଏପରିସ୍ଥଳେ ଅଧିକ ପରୀକ୍ଷା କେନ୍ଦ୍ର ଓ କିଟ୍‌ର ଆବଶ୍ୟକତା ଦେଖାଦେବ।

Comments are closed.