ତବ ଇଚ୍ଛା ପୂର୍ଣ୍ଣ ହେଉ : ଏସ୍‌ସିବିର ବିକାଶ କାର୍ଯ୍ୟ ବେଶ୍‌ ଆହ୍ବାନମୂଳକ

ଓଡ଼ିଶାର ସାମଗ୍ରିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସେତେ​‌ ଭଲ ନୁହେଁ। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ପଛୁଆ। ରାଜ୍ୟର ସାଢ଼େ ଚାରିକୋଟି ଲୋକ ମୁଖ୍ୟତଃ ସରକାରୀ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରନ୍ତି ଏବଂ ଏଠାରେ ଘରୋଇ କ୍ଷେତ୍ରର ସ୍ବାସ୍ଥ୍ୟ ସେବା ଯୋଗାଣ ସୀମିତ। ଭୁବନେଶ୍ବର ଓ କଟକ ଭଳି ଯେଉଁ ସବୁ ପ୍ରମୁଖ ସହରରେ ଘରୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯୋଗାଇ ଦିଆଯାଉଛି ତାହା ବ୍ୟୟବହୁଳ। ତେଣୁ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡ଼ିକାଲ କଲେଜ ଓ ଜିଲାସ୍ତରୀୟ ହସପିଟାଲଗୁଡ଼ିକରେ ରୋଗୀ ଭିଡ଼ ଅଧିକ। ରାଜ୍ୟର ଅନଗ୍ରସର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ କାରଣ ରହିଛି। ସ୍ବାସ୍ଥ୍ୟସେବା କ୍ଷେତ୍ର ପ୍ରତି ଜିଡିପିର ଯେତିକି ଅଂଶ ଖର୍ଚ୍ଚ ହେବାକଥା ତାହା ପାଣ୍ଠି ଅଭାବରୁ ହୋଇପାରୁନାହିଁ। ଡାକ୍ତର ଓ ଭିତ୍ତିଭୂମିର ଅଭାବ ତଥା ଭୌଗୋଳିକ ପ୍ରତିବନ୍ଧକ ଏ କ୍ଷେତ୍ରରେ ଆଉ କେତେକ ମୁଖ୍ୟ ସମସ୍ୟା। ବଜେଟରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଯେଉଁ ଅର୍ଥ ବରାଦ ହୁଏ ତାହାର ଏକ ବଡ଼ଭାଗ ଡାକ୍ତର ଓ କର୍ମଚାରୀଙ୍କ ବେତନ ବାବଦରେ ଖର୍ଚ୍ଚ ହୋଇଥାଏ। ଏହା ସତ୍ତ୍ବେ ରାଜ୍ୟସରକାର ବିଗତ କେତେବର୍ଷ ଧରି ସ୍ବାସ୍ଥ୍ୟକ୍ଷେତ୍ର ପ୍ରତି ଅଗ୍ରାଧିକାର ଦେଇଆସୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ନୂତନ ହସପିଟାଲ ଓ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ବିଭିନ୍ନ ଯୋଜନାରେ ସହାୟତା କରୁଛନ୍ତି। ଏମ୍ସ ଭଳି ରାଜ୍ୟରେ ଏକ ସୁପରସ୍ପେଶାଲିଟି ହସପିଟାଲ କାର୍ଯ୍ୟକ୍ଷମ ହେବାସହିତ ଘରୋଇ କ୍ଷେତ୍ରରେ ଆଧୁନିକ ହସପିଟାଲ ତଥା ସୁପର ସ୍ପେଶାଲିଟି ବ୍ୟବସ୍ଥାମାନ ଖୋଲାଯାଇ ସେବା ଯୋଗାଇ ଦିଆଯାଉଛି। ଏବେ ରାଜ୍ୟରେ ମେଡ଼ିକାଲ କଲେଜ ସଂଖ୍ୟା ବଢ଼ିଛି ଏବଂ ପ୍ରାୟ ସବୁ ଅଞ୍ଚଳ, ବିଶେଷକରି ଦୂରଦୂରାନ୍ତ ଓ ଅନଗ୍ରସର ଇଲାକାଗୁଡ଼ିକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ସ୍ବାସ୍ଥ୍ୟ କ୍ଷେତ୍ରଟି ରାଜ୍ୟରେ ବହୁଦିନ ଧରି ଅବହେଳିତ ଥିବାରୁ ଏ କ୍ଷେତ୍ରରେ ଉନ୍ନତି ଆସିବାକୁ ଅବଶ୍ୟ ସମୟ ଲାଗିବ ଏବଂ ଯେଉଁ ପ୍ରକ୍ରିୟାରେ ଏଇକ୍ଷେତ୍ରର ସଂପ୍ରସାରଣ ଓ ବିକାଶ କାର୍ଯ୍ୟ ଚାଲିଛି ତାହା ଅବଶ୍ୟ କମ୍‌ଦିନ ମଧ୍ୟରେ ଫଳବତୀ ହେବ।
କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ଯାହା ଲୋକମୁଖରେ ବଡ଼ମେଡ଼ିକାଲ ନାମରେ ପରିଚିତ, ତାହା ରାଜ୍ୟର ସବୁଠୁ ପୁରୁଣା ଏବଂ ଏକ ଭରସାଯୋଗ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ। ରାଜ୍ୟର ଏଇ ବୃହତ୍ତମ ମେଡ଼ିକାଲ କଲେଜ ଓ ହସପିଟାଲ ଉପରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଲୋକେ ମଧ୍ୟ ନିର୍ଭର କରନ୍ତି। ଏହାର ପୁରୁଣାକାଳିଆ ଭିତ୍ତିଭୂମି ରୋଗୀଙ୍କ ଚାପ ସମ୍ଭାଳିବା ଅବସ୍ଥାରେ ନଥିବାରୁ ଏଇ ଅନୁଷ୍ଠାନର ସଂପ୍ରସାରଣ ଓ ଆଧୁନିକୀକରଣ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସହରର କଂକ୍ରିଟ ଜଙ୍ଗଲ ଓ ବସ୍ତିଭିତରେ ଲୁଚିଯାଉଥିବା ଏହି ସ୍ବାସ୍ଥ୍ୟାନୁଷ୍ଠାନର ସଂପ୍ରସାରଣ ଓ ଆଧୁନିକୀକରଣ କାମ ଏବେ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସଦ୍ଦିଚ୍ଛା ହେଉ କିମ୍ବା କିଛି ଆଗ୍ରହୀ ଅଧିକାରୀଙ୍କ ଚେଷ୍ଟା ହେଉ, ଏଇ ଅନୁଷ୍ଠାନର କାୟାକଳ୍ପରେ ପରିବର୍ତ୍ତନ ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି। କଟକ ବଡ଼ମେଡ଼ିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ଚିକିତ୍ସାନୁଷ୍ଠାନରେ ପରିଣତ କରିବାର ଲକ୍ଷ୍ୟ ଏ ଦିଗରେ ସର୍ବଶେଷ ପ୍ରୟାସ ଓ ଏହା ଅବଶ୍ୟ ଅଭିନନ୍ଦନୀୟ। ସରକାର ଏଥିପାଇଁ ଦେଶର ପ୍ରତିଷ୍ଠିତ ୧୦ଜଣ ଚିକିତ୍ସା ବିଶାରଦଙ୍କୁ ନେଇ ଏକ ପରାମର୍ଶଦାତା ମଣ୍ଡଳୀ ନିଯୁକ୍ତ କରିଛନ୍ତି। ସେଥିରେ ଏଇ ଅନୁଷ୍ଠାନରେ କାର୍ଯ୍ୟ କରିଥିବା ଓ ଏଠାରୁ ଡାକ୍ତରୀ ଡିଗ୍ରୀ ଲାଭ କରିଥିବା କେତେକ ପ୍ରମୁଖ ଓଡ଼ିଆ ଅଛନ୍ତି। ସେମାନଙ୍କ ପ୍ରସ୍ତାବ କ୍ରମେ କଟକ ବଡ଼ମେଡ଼ିକାଲ ବିଶ୍ବସ୍ତରୀୟ ହେବ। ଏଇ ପଦକ୍ଷେପଟି ଭଲ। ତେବେ ଯେଉଁ ପରାମର୍ଶଦାତା କମିଟି ଗଠନ କରାଯାଇଛି ସେଥିରେ ସ୍ବାସ୍ଥ୍ୟସେବାର ଘରୋଇ କ୍ଷେତ୍ରରେ କାର୍ଯ୍ୟ କରିଥିବା ବିଶେଷଜ୍ଞଙ୍କ ସଂଖ୍ୟା ଅଧିକ। ସେମାନେ ସମସ୍ତେ ପ୍ରାୟ ରାଜ୍ୟ ବାହାରେ ଏକ ଉନ୍ନତ ଓ ଭିନ୍ନ ପରିବେଶରେ କାମ କରିଛନ୍ତି ଯେଉଁଠି ଘରୋଇ ସ୍ବାସ୍ଥ୍ୟ ସେବା ଯୋଗାଣର ସୁଯୋଗ ସୁବିଧା ଅଧିକ ଏବଂ ସେହି ସ୍ବାସ୍ଥ୍ୟ ଅର୍ଥନୀତିଟି ପୁଞ୍ଜିବହୁଳ ତଥା ବ୍ୟୟ ସାପେକ୍ଷ। ତଥାପି ସେମାନେ ସେମାନଙ୍କ ଅଭିଜ୍ଞତା ଆଧାରରେ ସରକାରୀ କ୍ଷେତ୍ରର ଏକ ବିଶ୍ବସ୍ତରୀୟ ହସ୍‌ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ, ସୁପାରିସ ଦେବାରେ କିଛି ଅସୁବିଧା ନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରେ ରହନ୍ତି ଏବଂ ପେସାଗତ ଦୃଷ୍ଟିରୁ ବ୍ୟସ୍ତ। ସେମାନେ ଓଡ଼ିଶାର ଏଇ ପ୍ରକଳ୍ପ ପାଇଁ କେତେ ସମୟ ଦେଇପାରିବେ ତାହା ସବୁଠୁ ବଡ଼କଥା। ଓଡ଼ିଶାରେ ରହୁଥିବା ଏଇ ବିଶେଷଜ୍ଞ କମିଟିର ସଦସ୍ୟଙ୍କୁ ବାସ୍ତବରେ ହିଁ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ।
ପରିକଳ୍ପନାଟି ଭଲ, ପ୍ରୟାସ ବିଳମ୍ବରେ ହେଲେ ମଧ୍ୟ ସ୍ବାଗତଯୋଗ୍ୟ; କିନ୍ତୁ ମନରେ ସଂଶୟ ଆସିବା ସ୍ବାଭାବିକ ଯେ ଏକ ବିଶ୍ବସ୍ତରୀୟ ହସପିଟାଲ ଓ ମେଡ଼ିକାଲ ତିଆରି କରିବା ସହଜ କାମ ନୁହେଁ। ଏହା ବେଶ୍‌ ଆହ୍ବାନମୂଳକ। କଟକରେ ଯେଉଁସବୁ ଚିକିତ୍ସା ସୁବିଧାସୁ​‌େ​‌ଯାଗ ଅଛି ତାକୁ ପ୍ରଥମେ ବିଶ୍ବସ୍ତରୀୟ ନ’ହେଉ ପଛେ ଦିଲ୍ଲୀର ଏମ୍ସସ୍ତରୀୟ କରାଯାଉ। ତା’ପରେ ଏଇ ହସପିଟାଲ ଉପରେ ନିର୍ଭର କରୁଥିବା ରୋଗୀଙ୍କୁ ସୁବିଧାରେ ଓ ସହଜରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଣର ବ୍ୟବସ୍ଥା ହେଉ। ଏତିକି କାମ ପ୍ରାଥମିକ ଅବସ୍ଥାରେ ହୋଇପାରିଲେ କଟକ ବଡ଼ମେଡ଼ିକାଲ ଲୋକଙ୍କ ପାଇଁ ବିଶ୍ବସ୍ତରୀୟ ଓ ସୁପରସ୍ପେଶାଲିଟି ହସପିଟାଲ ଯଥାର୍ଥରେ ହୋଇପାରିବ। ସରକାରଙ୍କ ଏ ମହତ୍‌ ଇଚ୍ଛା ପୂରଣ ହେଉ। ଲୋକେ ଉପକୃତ ହୁଅନ୍ତୁ ଏବଂ ଓଡ଼ିଶାର ସୁନାମ ବଢ଼ୁ। ଏଥିରେ ରାଜନୈତିକ ଦୂରଭିସନ୍ଧି ବା ରାଜନୀତି ନ’ରହୁ।

Comments are closed.