ଦୁଷ୍କର୍ମ ମାମଲାର ବିଳମ୍ବିତ ନ୍ୟାୟ ଆକ୍ରୋଶ ବଢ଼ାଉଛି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ଓ ଏହାର ବିଳମ୍ବିତ ଶୁଣାଣିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ. ବୋବ୍‌ଡେ। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଦ୍ବାରା ଦୋଷୀମାନଙ୍କୁ ତୁରନ୍ତ ଶାସ୍ତିପ୍ରଦାନ କରାଯାଇପାରୁନି। ନିର୍ଭୟା ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ଦେଶବ୍ୟାପୀ ଜୋରଦାର ଦାବି ହେଉଛି। ଏହି ମାମଲାର ବିଚାର ଶେଷ ହୋଇ ସମସ୍ତ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇ ସାରିଛନ୍ତି। ତଥାପି ଦୋଷୀମାନେ ଆଇନର ବ୍ୟବସ୍ଥାର ଫାଙ୍କକୁ ଆଧାର କରି ଜଣକ ପରେ ଜଣେ ରିଟ୍‌, ରିଭ୍ୟୁ ଓ କ୍ୟୁରେଟିଭ୍‌ ଭଳି ଏକାଧିକ ପିଟିସନ୍ ଦାଖଲକରି ଅଯଥା ଦଣ୍ଡାଦେଶକୁ ବିଳମ୍ବିତ କରୁଛନ୍ତି। ଏପରିକି ଗୋଟିଏ ପରେ ଗୋଟିଏ ରାଜକ୍ଷମା ଆବେଦନ ଯୋଗୁଁ ମଧ୍ୟ ଦଣ୍ଡାଦେଶ ଅଧିକ ବିଳମ୍ବିତ ହେଉଛି। ଫଳରେ ଏଭଳି ଜଘନ୍ୟ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ତାରିଖ ଗଡିଚାଲିଛି। ଏହା ପରୋକ୍ଷରେ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିବାଦ, ଉତ୍କଣ୍ଠା, ଆକ୍ରୋଶ ଓ ଅଶାନ୍ତି ସୃଷ୍ଟି କରୁଛି। ବଳାତ୍କାର ସଂକ୍ରାନ୍ତ ଅଭିଯୋଗର ତୁରନ୍ତ ଏତଲା ଗ୍ରହଣ କରି ପୁଲିସ ମାମଲା ପଞ୍ଜିକରଣ କରିବାଠାରୁ ତଡିତ ତଦନ୍ତ ଓ ଚାର୍ଜସିଟ୍‌ ଦାଖଲ, ଅଦାଲତରେ ତୁରନ୍ତ ଶୁଣାଣି, ପୀଡିତା ଓ ସାକ୍ଷୀମାନଙ୍କ ସୁରକ୍ଷା, ପୀଡିତଙ୍କୁ ମାଗଣା ଚିକିତ୍ସା, ଅଦାଲତ ଓ ବିଚାରପତିଙ୍କ ସଂଖ୍ୟା, ତଦନ୍ତ ସଂସ୍ଥାର ଭିତ୍ତିଭୂମି ଆଦି ବିଭିନ୍ନ ପ୍ରସଙ୍ଗରେ ରହିଥିବା ସମସ୍ୟାକୁ ଦୂରକରି ଏକ ସମୟୋଚିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବୁଧବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ. ବୋବଡେ କହିଛନ୍ତି। ଏସଂକ୍ରାନ୍ତରେ ନିଜେ ଏକ ଆବେଦନକୁ ଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ନୋଟିସ ଜାରି କରିଛନ୍ତି। ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

କିଭଳି ବଳାତ୍କାର ମାମଲା ଗୁଡିକର ତ୍ବରିତ୍‌ ଶୁଣାଣି କରାଯାଇପାରିବ ସେଥିପାଇଁ ଖୋଦ୍ ପ୍ରଧାନ ବିଚାରପତି ବୋବ୍‌ଡେ ବୁଧବାର ନିଜେ ଏକ ରିଟ୍‌ ପିଟିସନ୍‌ ଜରିଆରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରମାନଙ୍କୁ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ଓ ପ୍ରାଦେଶିକ ସରକାର ପ୍ରଚଳିତ ଆଇନ ବ୍ୟବସ୍ଥା ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଶୈଳୀକୁ ମଜବୁତ୍ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ବଳାତ୍କାର ମାମଲା ଗୁଡିକ​‌େ​‌ର କିଭଳି ତୁରନ୍ତ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପ୍ରଧାନ ବିଚାରପତି ବୋବଡେ କହିଛନ୍ତି।

ସିଜେଆଇ ରାଜ୍ୟମାନଙ୍କୁ ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ, ୨୦୧୭ ମସିହାରେ ଦେଶରେ ମୋଟ ୩୨,୫୫୯ଟି ବଳାତ୍କାର ମାମଲା ରୁଜୁ କରାଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ବଳାତ୍କାର ମାମଲା ଗୁଡିକରେ ପୁଲିସ ଓ ପ୍ରଶାସନ କି ଆଇନଗତ ପଦକ୍ଷେପ ନେଇଛି ସେ ସଂପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସ୍ଥିତିପତ୍ର (ଷ୍ଟାଟସ୍‌ ରିପୋର୍ଟ) ଦାଖଲ କରିବା ଲାଗି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକମାନଙ୍କୁ ପ୍ରଧାନ ବିଚାରପତି ବୋବଡେ ନିର୍ଦେଶ ଦେଇଛନ୍ତି। ବଳାତ୍କାର ମାମଲାର ତଦନ୍ତ ଓ ଯାଞ୍ଚ ଲାଗି କି ବ୍ୟବସ୍ଥା ରହିଛି, କେତୋଟି ଫୋରେନ୍‌ସିକ୍‌ ସଂସ୍ଥା ରହିଛି ଓ ଏଥିରେ କେତେ କର୍ମଚାରୀ କାମ କରୁଛନ୍ତି, ଯେଉଁ ପୁଲିସ ଅଧିକାରୀ ଏଭଳି ଏତଲା ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ସୁପ୍ରିମକୋର୍ଟ ମାଗିଛନ୍ତି। ବଳାତ୍କାର ମାମଲାରେ କୋର୍ଟ ଗୁଡିକ ମଧ୍ୟ ସମୟୋଚିତ ଫଇସଲାକୁ ସୁନିଶ୍ଚିତ କରୁଛନ୍ତି କି ନାହିଁ ତାହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି। ସମସ୍ତ ବଳାତ୍କାର ପୀଡିତାଙ୍କୁ ସରକାରୀ ତଥା ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ଉପଲବ୍ଧ କରାଯାଉଛି କି ନାହିଁ ତାହାର ଉତ୍ତର ମଧ୍ୟ ଅଦାଲତ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ଏପରିକି ପୀଡିତା ଓ ସାକ୍ଷୀମାନଙ୍କୁ ବଳାତ୍କାରୀଙ୍କଠାରୁ ଆବଶ୍ୟକ ସୁରକ୍ଷା ଦିଆଯାଉଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବାକୁ କୁହାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା କରିବା ଲାଗି (ଆମିକକସ୍‌ କ୍ୟୁରୀ) ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥେରା ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହଯୋଗ ଲୋଡିଛି। ଏହି ମାମଲାର ଶୁଣାଣି ଲାଗି ୭ ଜାନୁଆରୀ ୨୦୨୦କୁ ତାରିଖ ଧାର୍ଯ୍ୟ କରିଛନ୍ତି ପ୍ରଧାନ ବିଚାରପତି ବୋବଡେ।

Comments are closed.