ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ପିଟିଶନ ଉପରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ଜରିମାନା ଚେତାବନୀ ଦେଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଧ୍ବଂସ ହୋଇଯାଇଥିବା ଏବଂ ଅପରାଧ ବୃଦ୍ଧି ପାଉଥିବା ଦର୍ଶାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ତେବେ ଏଭଳି ପିଟିଶନ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ପିଟିଶନ ପାଇଁ ଆବେଦନକାରୀ ଏବଂ ତାଙ୍କ ଓକିଲଙ୍କ ଉପରେ ଜରିମାନା ଲାଗୁ କରିବାକୁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ଏପରି କି ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ରାଜ୍ୟଗୁଡ଼ିକର ଅପରାଧ ତଥ୍ୟ ସମ୍ପର୍କିତ ଗବେଷଣା ସହ ଜଡ଼ିତ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ବିଚାରପତି ଏ. ଏସ. ବୋପାନ୍ନା ଏବଂ ବିଚାରପତି ଭି. ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଓ ତାଙ୍କ ଓକିଲ ସି. ଆର. ଜୟା ସୁକିନଙ୍କୁ କହିଥିଲେ ଯେ, ସେମାନେ ଯେଉଁ ଦାବି କରୁଛନ୍ତି ତାହା କୌଣସି ଗବେଷଣା ଆଧାରରେ ହୋଇନାହିଁ। ଏପରି କି ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କିପରି ହେଉଛି ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ସୁକିନ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏବଂ ଜାତୀୟ ମାନବାଧିକାର ଆୟୋଗ (ଏଚଏନଆରସି) ତଥ୍ୟକୁ ଦର୍ଶାଇ କହିଥିଲେ ଯେ, ସେମାନେ ଏହା ଉପରେ ଗବେଷଣା କରିଛନ୍ତି ଏବଂ ଉତ୍ତର ପ୍ରଦେଶରେ ଅପରାଧର ଗ୍ରାଫ୍‌ ବୃଦ୍ଧି ପାଇଛି। ଖଣ୍ଡପୀଠ କହିଥିଲେ, ଆପଣ କେତୋଟି ରାଜ୍ୟରେ ଅପରାଧ ତଥ୍ୟ ଉପରେ ଅଧ୍ୟୟନ କରିଛନ୍ତି ? ଅନ୍ୟ ରାଜ୍ୟଗୁଡ଼ିକରେ ଅପରାଧ ରେକର୍ଡ ଉପରେ ଆପଣଙ୍କ ଗବେଷଣା କ’ଣ ରହିଛି। ଆମକୁ ଦେଖାନ୍ତୁ, ଆପଣ କେଉଁ ଆଧାରରେ ଗବେଷଣା କରୁଛନ୍ତି ?

ସୁପ୍ରିମକୋର୍ଟ କହିଥିଲେ ଯେ, ସେମାନଙ୍କ ଦ୍ବାରା କରାଯାଇଥିବା ଦାବିର ସନ୍ଦର୍ଭରେ କୌଣସି ଗବେଷଣା କରାଯାଇ ନାହିଁ। ପୀଠ ପିଟିଶନକୁ ଖାରଜ କରି କହିଥିଲେ ଯେ, ଯଦି ଆପଣ ଅଧିକ ଯୁକ୍ତି କରିବେ ତେବେ ଆମେ ଆପଣଙ୍କ ଉପରେ ବଡ଼ ଜରିମାନା ଲଗାଇବୁ।

Comments are closed.