’ନିର୍ବାଚନୀ ବଣ୍ଡ’ ଉପରେ ଲାଗୁ ହେବନି ମଧ୍ୟବର୍ତ୍ତିକାଳୀନ ରହିତାଦେଶ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଯୋଜନା ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଲାଗୁ କରିବାକୁ ସୁପ୍ରିମ କୋର୍ଟ ମନାକରି ଦେଇଛନ୍ତି । ରାଜନୈତିକ ଦଳକୁ ଅର୍ଥ ଦାନ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ଏହି ନିର୍ବାଚନୀ ବଣ୍ଡ ଯୋଜନା ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଲାଗୁ କରିବାକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ସେହିପରି ମଧ୍ୟବର୍ତ୍ତିକାଳୀନ ରହିତା ଦେଶ ଲାଗୁ କରିବା ପାଇଁ ଦାଖଲ କରାଯାଇଥିବା ଆବେଦନ ଉପରେ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଛନ୍ତି ।
ମୁଖ୍ୟ ବିଚାରପତି ଏସ୍‍.ଏ ବୋବଡେ ଏବଂ ବିଚାରପତି ବି. ଆର ଗବାଇ ଏବଂ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ୨ ସପ୍ତାହ ମଧ୍ୟରେ ନିଜର ପ୍ରତିକ୍ରିୟା ଜଣାଇବାକୁ କହିଛନ୍ତି । ଏହି ଯୋଜନା ଚାଲୁ ରଖିବା ପାଇଁ ‘ଆସୋସିଏସନ ଫର ଡେମୋକ୍ରେଟିକ ରିଫରମ୍ସ’(ଏଡିଆର) ପକ୍ଷରୁ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରାଯାଇଥିଲା।
ଏଡିଆର ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ଦର୍ଶାଇଥିଲେ ଯେ, ଏହି ଯୋଜନା ମାଧ୍ୟମରେ କ୍ଷମତାସୀନ ଦଳ ବେହିସାବ କଳାଧନର ପ୍ରସାର ଘଟାଉଛି । ସେ ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଦସ୍ତାବେଜ ଉପସ୍ଥାପିତ କରିଥିଲେ।
ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାକେଶ ଦ୍ୱିୱେଦୀ ଏହି ଆବେଦନ ଉପରେ ଚାରି ସପ୍ତାହର ସମୟ ଲୋଡିଛନ୍ତି।

Comments are closed.