କୃଷି ଆଇନ ବିରୋଧରେ ଦାଖଲ ଆବେଦନର ଶୁଣାଣି, ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିକଟର ଆଣିଥିବା ତିନୋଟି କୃଷି ଆଇନକୁ ନେଇ ସାରା ଦେଶରେ ତୁମ୍ବି-ତୋଫାନ ଲାଗି ରହିଛି । କେନ୍ଦ୍ରର ମୋଦୀ ସରକାର ଆଣିଥିବା ଏହି ଆଇନକୁ ଅନେକ ବିରୋଧୀ ଦଳ ସମେତ କୃଷକ ସଙ୍ଗଠନମାନେ ମଧ୍ୟ ବିରୋଧ କରୁଥିବା ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଏହି କୃଷି ଆଇନ ବିରୋଧରେ ରାଜ୍ୟସଭା ସାଂସଦ ମନୋଜ ଝା ଏବଂ ଟି. ଶିବା ସୁପ୍ରିମକୋର୍ଟ ଦାଖଲ କରିଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ‌ବୋବ​‌ଡ଼େଙ୍କ ନେତୃତ୍ୱରେ ଏକ ବେଞ୍ଚ ଚାରି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଆବେଦନକାରୀ ଉଠାଇଥିବା ପ୍ରସଙ୍ଗରେ ଉତ୍ତର ଦେବାକୁ କହିଛନ୍ତି। କେବଳ ଏତିକି ନୁହେଁ, କୃଷି ଆଇନ୍ ବିରୋଧରେ ଦେଶର ସମସ୍ତ ହାଇକୋର୍ଟରେ ଦାଖଲ ହୋଇଥିବା ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ମୋଦୀ ସରକାର ତିନୋଟି କୃଷି ଆଇନ ପ୍ରଣୟନ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ଅଧିନିୟମ, ୨୦୨୦, କୃଷକ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସରଳୀକରଣ) ଅଧିନିୟମ, ୨୦୨୦ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ, ସେପ୍ଟେମ୍ବର ୨୭,୨୦୨୦ରେ ଏହା କାର୍ଯ୍ୟକାରୀ କରାଯାଇଥିଲା ।

 

 

 

 

Comments are closed.