ମୁମ୍ବଇରେ ୩ ଜୈନ ମନ୍ଦିର ଖୋଲିବା ନେଇ ସୁପ୍ରିମକୋର୍ଟଙ୍କ ଅନୁମତି, ପୁରୀ ରଥଯାତ୍ରାର ଉଦାହରଣ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୁମ୍ବଇର ଦାଦର, ଚେମ୍ବୁର ଓ ବାଇକୁଲାରେ ଥିବା ୩ଟି ଜୈନ ମନ୍ଦିରକୁ ଖୋଲିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ପର୍ଯ୍ୟୁଷଣ ପର୍ବ ପାଇଁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଏହି ଜୈନ ମନ୍ଦିରଗୁଡିକ ଖୋଲିବ ଓ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରାର୍ଥନା ଲାଗି ଯିବାକୁ ଅନୁମତି ଦିଆଯିବ।

ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବ ସୁପ୍ରିମକୋର୍ଟ ପୀଠ ଏକ ​ଜୈନ ଟ୍ରଷ୍ଟର ଆବେଦନ ଉପରେ ବିଚାର କରି ଏହି ଅନୁମତି ଦେଇଛନ୍ତି। ମନ୍ଦିର ମଧ୍ୟକୁ ଥରକେ ୫ଜଣ ଭକ୍ତଙ୍କୁ ଯିବାକୁ ଅନୁମତି ଦିଆଯିବ ଓ ଦିନକ ମଧ୍ୟରେ ସର୍ବାଧିକ ୨୫୦ ଭକ୍ତ ମନ୍ଦିର ଭିତରକୁ ଯାଇପାରିବେ। ତେବେ ଦେଶର ଅନ୍ୟ ଜୈନ ମନ୍ଦିରଗୁଡିକ କ୍ଷେତ୍ରରେ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଓଡିଶା ପୁରୀର ରଥଯାତ୍ରାକୁ ସାମାଜିକ ଦୂରତା ରକ୍ଷା ପୂର୍ବକ ପାଳନ କରାଯାଇଥିବାବେଳେ ଏହାର ଉଦାହରଣ ଦେଇ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଉତ୍ସବରେ ଯଦି ଭକ୍ତଙ୍କ ସାମାଗମ ନ ହୋଇ କେବଳ ନୀତିକାନ୍ତି ପାଳନ କରାଯାଏ ତେବେ ଏହାକୁ ଅନୁମତି ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସେହିପରି ଅର୍ଥନୈତିକ କାରବାର ଲାଗି ସରକାର ଦୋକାନ ବଜାର ଖୋଲିବାକୁ ଅନୁମତି ଦେଉଥିବାବେଳେ ଧାର୍ମିକ ଅନୁଷ୍ଠାନ ଖୋଲିବାରେ କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଜୈନ ଟ୍ରଷ୍ଟର ଆବେଦନକୁ ମହାରାଷ୍ଟ୍ର ସରକାର ବିରୋଧ କରିଥିଲେ। ସରକାର କହିଥିଲେ ଯେ ରାଜ୍ୟରେ କରୋନା ସଂକ୍ରମଣ ସର୍ବୋଚ୍ଚସ୍ତରରେ ଥିବାବେଳେ ଉତ୍ସବ ପାଳନକୁ ଅନୁମତି ଦିଆଯିବା ଠିକ୍‌ ନୁହେଁ। ପୂର୍ବରୁ ବମ୍ବେ ହାଇକୋର୍ଟ ଏହି ପିଟିସନକୁ ଅଗ୍ରାହ୍ୟ କରିଦେଇଥିଲେ।

Comments are closed.