ଇକୋ ରିଟ୍ରିଟରେ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦେବାକୁ ଦାବି

ସମ୍ବଲପୁର: ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗତ ବର୍ଷ ଠାରେ ଇକୋ ରିଟ୍ରିଟ ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ସହିତ ପ୍ରଚାର ପ୍ରସାର କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଇକୋ ରିଟ୍ରିଟ ଗୁଡିକରେ ଆର୍ନ୍ତଜାତୀୟସ୍ତରର ସୁଖ ଓ ସୁବିଧା ପ୍ରଦାନ କରାଯାଉଛି। ପର୍ଯ୍ୟଟକ ମାନଙ୍କ ପାଇଁ ଇକୋ ରିଟ୍ରିଟ କେନ୍ଦ୍ର ଗୁଡିକରେ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। କିନ୍ତୁ ଏଥିରେ ରାଜ୍ୟର କଳାକାର ମାନଙ୍କୁ ସ୍ଥାନ ଦିଆଯାଉ ନ ଥିବାରୁ ଉଦବେଗ ପ୍ରକାଶ କରିଛି ଅଲ ଓଡିଶା ପର୍ଫମିଂ ଆର୍ଟିଷ୍ଟ ଆସୋସିଏସନ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଦିଆଯାଇଥିବା ପତ୍ର ଅନୁଯାୟୀ ରାଜ୍ୟର କଳାକାର ମାନେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗ ଦ୍ୱାର କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କର କଳାର ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଇକୋ ଟୁରିଜମକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଥିବା ଇକୋ ରିଟ୍ରିଟ କେନ୍ଦ୍ର ଗୁଡିକରେ ରାଜ୍ୟର କଳାକାର ମାନଙ୍କୁ ସୁଯୋଗ ନ ଦେବା ଦୁଃଖର ବିଷୟ ଅଟେ। ଏଭଳି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ଉପକୃତ ହେବା ସହିତ ରାଜ୍ୟର କଳା ଓ ସଂସ୍କୃତିର ଆର୍ନ୍ତଜାତୀୟ ସ୍ତରରେ ପ୍ରଚାର ପ୍ରସାର ହୋଇ ପାରିବ। ଯତଦ୍ୱାରା ରାଜ୍ୟରେ ପର୍ଯ୍ୟଟନର ବିକାଶରେ ବିଶେଷ ସହାୟ ହେବ। ଏଣୁ ତୁରନ୍ତ ସ୍ଥାନୀୟ କଳାକାର ମାନଙ୍କୁ ପ୍ରଦର୍ଶନ ପାଇଁ ସୁଯୋଗ ଦେବା ପାଇଁ ଆସୋସିଏସନର ସଭାପତି ପ୍ରତିଭା ପଣ୍ଡା, ଉପ ସଭାପତି ଆଲୋକ କୁମାର ପଣ୍ଡା, ସଚିବ ବାସୁଦେବ ନାଥ, କୋଷାଧ୍ୟକ୍ଷ ଚିତ୍ରସେନ ସ୍ୱାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Comments are closed.