ଆସନ୍ତା ୬ରୁ ଚିପଲିମା ଓଏଚପିସି ଶକ୍ତି କେନ୍ଦ୍ରରେ ମରାମତି, ୪ ଦିନ ଧରି ଦିନକୁ ୬ ଘଣ୍ଟା ବିଦ୍ୟୁତ କାଟ

ସମ୍ବଲପୁର: ସମ୍ବଲପୁରର ଚିପଲିମା ଠାରେ ରହିଥିବା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଠାରେ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (ଓଏଚପିସି) ଦ୍ୱାରା ଆଗାମୀ ୬ ତାରିଖରୁ ରକ୍ଷଣାବେକ୍ଷେଣ କାର୍ଯ୍ୟ କରାଯିବ ବୋଲି ପଶ୍ଚିମ ଓଡିଶାରେ ବିଜୁଳି ବିତରଣ କରୁଥିବା କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି। ଟିପିଡବ୍ଲ୍ୟୁଓଡିଏଲ ତରଫରୁ ଶୁକ୍ରବାର ଜାରି ସୂଚନାନୁଯାୟୀ, ଚିପଲିମା ସ୍ଥିତ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିଭା ୧୨.୫ ଏମଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମରର ଏକ ପାୱାର ବ୍ରେକର କୁ ଓଏଚପିସି ତରଫରୁ ବଦଳାଯିବ। ଏହି କାର୍ଯ୍ୟ ଆସନ୍ତା ୬ ତାରିଖ ସକାଳ ୮ଟାରୁ ୧୦ ତାରିଖ ଦିନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ। ଏଣୁ ଓଏଚପିସି ତରଫରୁ ଟିପିଡବ୍ଲ୍ୟୁଓଡିଏଲକୁ ବିଜୁଳି ବିତରଣ ନିମନ୍ତେ ପ୍ରତି ଦିନ ୨୪ ମେଗାୱାଟ ବିଜୁଳି ଯୋଗାଇ ଦିଆଯାଉଥିବା ବେଳେ ମରାମତି କାର୍ଯ୍ୟ ପାଇଁ ଏହାକୁ ୮ ମେଗାୱାଟ କମାଇ ଦିଆଯାଇ ୧୬ ମେଗାୱାଟ ବିଜୁଳି ଯୋଗାଣ କରାଯିବ।

ଏଥିପାଇଁ ଆଗାମୀ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବୈଦ୍ୟୁତିକ ସାର୍କିଲରେ ଗୋଶାଳା, ଚିପଲିମା, ଧମା, କୁଦଗୁଣ୍ଡେରପୁର, ହାତିବାରି, ତୁଲଣ୍ଡି ଓ ଯୁଯୁମୁରା ଏବଂ ବରଗଡ ବୈଦ୍ୟୁତିକ ସାର୍କିଲର ଖୁଣ୍ଟଲିପାଲି, ଗଣ୍ଡତୁରୁମ, ମହୁଲପାଲି ଓ ଧାଟୁକପାଲି ଅଞ୍ଚଳରେ ଦିନକୁ ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ। ଓଏଚପିସି ତରଫରୁ କମ ବିଜୁଳି ଯୋଗାଣ ଯୋଗୁଁ ସୀମିତ ବ୍ୟବସ୍ଥାରେ ସମସ୍ତ ଅଞ୍ଚଳକୁ ସୁଚାରୁ ରୂପେ ବିଜୁଳି ଯୋଗାଣ ନିମନ୍ତେ ଉପରୋକ୍ତ ଅଞ୍ଚଳ ଗୁଡିକରେ ପ୍ରତି ୩ ଘଣ୍ଟାରେ ୧ ଘଣ୍ଟା ବିଦ୍ୟୁତ କାଟ କରାଯିବ। ପାଣିପାଗ ଖରାପ ହେଲେ ଏହି ବିଦ୍ୟୁତ କାଟର ସମସ ସୀମା ବୃଦ୍ଧି ମଧ୍ୟ ପାଇପାରେ। ଏଣୁ ସମସ୍ତ ଡାକ୍ତରଖାନା, ଜରୁରୀକାଳୀନ ସେବା, ଆଦି ପ୍ରତିଷ୍ଠାନ ମାନଙ୍କୁ ଆଗାମୀ ୪ ଦିନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଟିପିଡବ୍ଲ୍ୟୁଓଡିଏଲ ତରଫରୁ ଅନୁରୋଧ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରାଯାଉଥିବାରୁ ଯଥାଶିଘ୍ର ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ପୁର୍ଣ୍ଣ ରୂପେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କାର୍ଯକ୍ଷମ ହେବ ଏବଂ ଏହା ପରେ ବିଦ୍ୟୁତ ସରବରାହ ନିରନ୍ତର ହୋଇ ପାରିବ। ଏଣୁ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲର ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ମନୋଜ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Comments are closed.