ସାହିତ୍ୟ କହେ ନିରବ ଲୋକଙ୍କ କଥା: ଜଷ୍ଟିସ ରଘୁବୀର ଦାଶ

ବରଗଡ଼ରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଓ ‘ମହକ’ର ବିଶେଷ ସାରସ୍ୱତ ସମାରୋହ

ବରଗଡ : ସାହିତ୍ୟ କାଳେକାଳେ ନିରବ ଲୋକଙ୍କ କଥା କହିଆସିଛି। ‘ସମାଜ’ ଦୀର୍ଘକାଳ ଧରି ଓଡ଼ିଆ ସାହିତ୍ୟ, ଜନଜୀବନ ଓ ଓଡ଼ିଶାରେ ସମାଜସେବା ସହ ଯୋଡ଼ି ହୋଇରହିଛି । ଭବିଷ୍ୟତରେ ଏହି ଧାରା ଅବ୍ୟାହତ ରହୁ ଓ ସମସ୍ତେ ସତ୍ୟବାଦୀ ହୁଅନ୍ତୁ। ବରଗଡ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଡିସେମ୍ବର ସଂଖ୍ୟା ତଥା ‘ସମାଜ’ ସମ୍ବଲପୁର ସଂସ୍କରଣ ପକ୍ଷରୁ ପ୍ରକାଶ ପାଉଥିବା ସାପ୍ତାହିକ ସାହିତ୍ୟ ପୃଷ୍ଠା ‘ମହକ୍‌’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ ଅବସରରେ ଏହା କହିଛନ୍ତି ଓଡ଼ିଶା ମାନବାଧିକାର କମିଶନଙ୍କ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ। ଜଷ୍ଟିସ ଦାଶ ‘ସମାଜ’ର ଏହି ବିଶେଷ ସାରସ୍ୱତ ସମାରୋହ ଆୟୋଜନକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ‘ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ ଅତିଥି ପଦ୍ମଶ୍ରୀ ହଲଧର ନାଗ କହିଛନ୍ତି ଯେ, ଯେଉଁ ଭାଷା ସମାଜକୁ ଦିଗଦର୍ଶନ ଦିଏ, ସେ ଭାଷା କେବେ ବି ଛୋଟ ନୁହେଁ। କେବଳ ଲେଖିଦେଲେ ଚଳିବନାହିଁ, କବି କି ଲେଖକକୁ ଲଢେଇ କରିବାକୁ ପଡିବ। ଏବେ ସମ୍ବଲପୁରୀ-କୋଶଲୀ ଭାଷାର ଗ୍ରହଣୀୟତା ବଢିଛି ବୋଲି ଶ୍ରୀ ନାଗ କହିଥିଲେ।
ମୁଖ୍ୟବକ୍ତା ପ୍ରଫେସର ଡ.ସନ୍ତୋଷ ରଥ କହିଲେ, ଭାଷା ବିବାଦକୁ ନ ଯାଇ ଏହାକୁ ବଞ୍ଚାଇବା ବଡ କଥା। ଭାଷା ଏକ ସେତୁ, ମଣିଷ ସହ ମଣିଷକୁ ଯୋଡ଼େ। ସମ୍ମାନିତ ଅତିଥି ମନୋରଞ୍ଜନ ସାହୁ କହିଲେ, ବଲାଙ୍ଗିର-ସମ୍ବଲପୁର ମଝିରେ ବରଗଡ। ସମ୍ବଲପୁରୀ-କୋଶଲୀ କେଉଁ ଭାଷା ତାକୁ ନେଇ ଆମେ ମଝି ପଡିଛୁ ବୋଲି କହିଥିଲେ। ସମ୍ମାନିତ ଅତିଥି ଗୌରୀଦାସ ପ୍ରଧାନ କହିଲେ, ବର୍ତ୍ତମାନ ଶହ ଶହ ଭାଷା ମରିଯାଉଥିବାବେଳେ ତାହାକୁ ସାଇତି ରଖିବାର ପ୍ରୟାସ ‘ସମାଜ’, ‘ସତ୍ୟବାଦୀ’ ଓ ‘ମହକ’ କରିଛନ୍ତି। କଣ୍ଠଶିଳ୍ପୀ ରୀନା ଦାଶ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଲାଗି ‘ସମାଜ’ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ମୀନକେତନ ପାଠୀ ଓ ସାହିତ୍ୟିକା ପ୍ରଭାସିନୀ ହୋତା, ସତ୍ୟବାଦୀ ନୂଆ ଲେଖକଙ୍କୁ ସୁଯୋଗ ଦେବା ସହ କିଛି ଆର୍ଥିକ ସହାୟତା ଦେଉଥିବା କହିଥିଲେ। କେବଳ ଓଡ଼ିଆ ନୁହେଁ, ସମ୍ବଲପୁରୀ-କୋଶଲୀ ଭାଷାରେ ଲେଖୁଥିବା ଲେଖକ-ଲେଖିକଙ୍କୁ ମଧ୍ୟ ସୁଯୋଗ ମିଳୁଥିବା କହିଥିଲେ।
କାର୍ଯ୍ୟକ୍ରମ ସଂଯୋଜକ ତଥା ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଲେ, ପ୍ରଥମଥର ପାଇଁ କଟକ-ଭୁବନେଶ୍ୱର ବାହାରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସଂସ୍କରଣରେ ଏହି ସମାବେଶ ଆୟୋଜନ କରାଯାଇଛି ଏବଂ ବରଗଡ଼ ପରି ଏକ ସାରସ୍ୱତ ଭୂଇଁରେ ଏହା ଅନୁଷ୍ଠିତ ହେଉଛି। ଏଥିପାଇଁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥଙ୍କୁ କୃତଜ୍ଞତା ଜଣାଇଥିଲେ।
ନିଜ ସଭାପତିୟ ଅଭିଭାଷଣରେ ନିରଞ୍ଜନ ରଥ କହିଥିଲେ ଯେ ‘ସମାଜ’ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ‘ସତ୍ୟବାଦୀ’କୁ ଦୁନିଆଁକୁ ଆଣିଥିଲେ। ସେହି ଦୃଷ୍ଟିରୁ ‘ସତ୍ୟବାଦୀ’ ହେଉଛି ‘ସମାଜ’ର ବଡ଼ଭାଇ ପରି। ତେଣୁ ‘ସମାଜ’କୁ ଦେଉଥିବା ଅନୁରୂପ ସ୍ନେହ ଓ ଶ୍ରଦ୍ଧା ‘ସତ୍ୟବାଦୀ’କୁ ଦେବା ପାଇଁ ସେ ପାଠକମାନଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଅତିଥିମାନେ ‘ମହକ’ ପତ୍ରିକାରେ ନିୟମିତ ଗପ, କବିତା ଆଦି ଲେଖୁଥିବା ଲେଖକ, ଲେଖିକା ସୁଶୀଲ ପାଣିଗ୍ରାହୀ, ଡ. ସ୍ୱର୍ଣ୍ଣମୟୀ ପୁରୋହିତ, ଅଶୋକ ପୂଜାରୀ, ସତ୍ୟ ନାରାୟଣ ମିଶ୍ର, କନିଷ୍ଠ କିଶୋର ସାହୁ, ବୈକୁଣ୍ଠ ମେହେର, ଗୋବିନ୍ଦ ବାଗଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ‘ସତ୍ୟବାଦୀ’ର ଡିସେମ୍ବର ସଂଖ୍ୟା, ‘ମହକ୍‌’ର ସ୍ୱତନ୍ତ୍ର ସଂଖ୍ୟା ତଥା ଡ.ପ୍ରୀତିଶ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ‘ଚମ୍ପାରନ ଡାଏରୀ’ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ପ୍ରତିନିଧି ବାଲାଜୀ ବିଭୂରଂଜନ ତରାସିଆ ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିବାବେଳେ ସୁରେନ୍ଦ୍ର ହୋତା ସ୍ୱାଗତ ଭାଷଣ ଦେଇଥିଲେ। ସଭା ଆରମ୍ଭରେ ‘ସମାଜ’ ଶତବାର୍ଷିର୍କୀର ବୃତ୍ତଚିତ୍ର ସହ ‘ସମାଜ’ ସଂଗୀତ ପ୍ରଦର୍ଶନ କରାଯାଇଥିଲା। ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ, ଛାତ୍ରୀ ସୌଭାଗ ଲକ୍ଷ୍ମୀ ଦାଶ ଭଜନ ଓ ଜର୍ଜ ହାଇସ୍କୁଲର ଛାତ୍ରମାନେ ଦୁଲଦୁଲି ବାଦ୍ୟ, ଭାରତୀ କଳା ପରିଷଦର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ ଗୋପବନ୍ଧୁ ପୁରୋହିତ ବେଦପାଠ କରିଥିଲେ। ଶେଷରେ ଉପସ୍ଥିତ ଲେଖକ, ଲେଖିକା ଓ ଶୁଭେଚ୍ଛୁଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ‘ମହକ’ ପୃଷ୍ଠା ସଂଯୋଜକ ସୁକାନ୍ତ କର ଧନ୍ୟବାଦ ଦେଇଥିଲେ।
ଜଣାଶୁଣା ଟେରାକୋଟା ଶିଳ୍ପୀ ମନବୋଧ ରଣା ଏକ ‘ବୁଦ୍ଧ’ଙ୍କ ମୂର୍ତ୍ତି ଶ୍ରୀ ରଥଙ୍କୁ ଉପହାର ଦେଇଥିଲେ। ସେହିପରି ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ଶ୍ରୀ ଗଣେଶଙ୍କ ପ୍ରତିଛବି ପ୍ରଦାନ କରିଥିଲେ। ଏଥିସହିତ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁ ଯାତ୍ରାରେ ଏଥର କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଅଧ୍ୟକ୍ଷ ଶ୍ରୀ ରଥ ଓ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ଶ୍ରୀ ଦାଶଙ୍କୁ ଧନୁଯାତ୍ରାକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ।

Comments are closed.