ସାତକୋଶିଆରେ ପକ୍ଷୀ ଗଣନା ଶେଷ : ୧୪ଟି ଦଳ ଦ୍ୱରା ଚାଲିଥିଲା ଗଣନା

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀଗଣ୍ଡର ଚକ୍ରଗଡଠାରୁ ବେଲପୁଞି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ବୁଧୁବାର ଚାଲିଥିବା ଦିନିକିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି । ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ଡ ଅଧିନରେ ୧୪ଟି ଦଳ ଦ୍ୱାରା କାଠ ଡଙ୍ଗା ସାହାଯ୍ୟରେ ମହାନଦୀ ଏବଂ ଅଭୟାରଣ୍ୟ ମଧ୍ୟରେ ଥିବା ଦୁଇଟି ପୋଖରୀରେ ଜଳଚର ପକ୍ଷୀଙ୍କ ଗଣନା କାର୍ଯ୍ୟ ଚାଲିଥିଲା। ଗଣନା କାର୍ଯ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୫ଟି ଦଳ, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୭ ଟି ଦଳ ଏବଂ ଆଠମଲ୍ଲିକ ବନଖଣ୍ଡ ଅଧିନରେ ୨ଟି ଦଳରେ ସମୁଦାୟ ୩୧ଜଣ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ଥିଲେ। କୁଶଙ୍ଗ ରେଞ୍ଜ ପକ୍ଷରୁ ମହାନଦୀର ମାରଡା ଠାରୁ କୁତୁରୀ, ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା, ହରଭଙ୍ଗା ଠାରୁ ଅଏଡା, ପଦ୍ମତୋଳା ଏବଂ ଭାବପୁର ଭଳି ଦୁଇଟି ପୋଖରୀରେ ଜଳଚର ପକ୍ଷୀଙ୍କ ବାଏନାକୁଲର ସାହାଯ୍ୟରେ ଗଣନା ଚାଲିଥିଲା। ସେହିପରି ଛମୁଣ୍ଡିଆ ରେଞ୍ଜର ମହାନଦୀର କୁତୁରୀ ଠାରୁ ବଡମୁଳ ଏବଂ ବଡମୁଳ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା। ସକାଳୁ ସକାଳୁ ବନ୍ୟପ୍ରାଣୀ କର୍ମଚାରୀମାନେ କାଠଡଙ୍ଗା ସାହାଯ୍ୟରେ ନଦୀରେ ବୁଲି ବୁଲି ପାଣିରେ ପହଁରୁଥିବା ଏବଂ ବାଲିରେ ବସିଥିବା ଜଳଚର ପକ୍ଷୀଙ୍କ ଗଣନା କରିଥିଲେ। ଗଣନା ବେଳେ ମହାନଦୀରେ ବିଦେଶୀ ପକ୍ଷୀ ବ୍ରାହି୍ମନୀ ଡକ(ଚକୁଆ), ପାଣି ଡୁବୁକି, ମାଈଗ୍ରାଟୋରୀ, ଲାଞି ଗେଣ୍ଡି, ହଂସରାଳି, ଟଂଟିଆ, ନଦୀ ଟଂଟିଆ, ହଳଦୀମୁହାଁ ଟଂଟିଆ, ପାଣିଚିରା ଗ୍ରେଟ ଥିକନୀ, କେଟିଂସ ପ୍ଲୋଭର, କମନ ଗ୍ରୀନ ସାଙ୍କ, ଭଳି ବିଭିନ୍ନ ପ୍ରଜାତିର ଜଳଚର ପକ୍ଷୀ ରହିଥିବା ଜଣାପଡିଛି।ଶୀତଦିନେ ସାଇବେରିଆ ଅଂଚଳରେ ବରଫପାତ ଯୋଗୁଁ ବହସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ଏଠାରେ ଆଗମନ ଦେଖିବାକୁ ମିଳୁଛି । ଚଳିତଥର ଗଣନାରୁ ଜଳଚର ବିଦେଶୀ ପକ୍ଷୀଙ୍କ ସାତକୋଶିଆରେ ବୃଦ୍ଧି ଘଟିଥିବା ବେଳେ ଓରିଏଟାଂଲ ଟାଟର ଭଳି ଏକ ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଚିହ୍ନଟ ହୋଇଥିବା ଜଣାପଡିଛି। ସମସ୍ତ ପକ୍ଷୀ ତୃଣଭୋଜି ଶ୍ରେଣୀର ହୋଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.