ଦେଓଗାଁ ନିର୍ବାଚନ ମାମଲା; ନିରକ୍ଷରତା ପାଇଁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ

କେଶଦୁରାପାଳ : ଘସିପୁରା ବ୍ଲକ ଦେଓଗାଁ ପଂଚାୟତ ସରପଂଚଙ୍କ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଆନନ୍ଦପୁର ସିଭିଲ କୋର୍ଟ ଜୁନିଅର ଡିଭିଜନ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ପଂଚାୟତର ନିର୍ବାଚିତ ସରପଂଚ ଅଶାନ୍ତି ବଳଙ୍କ ନିରକ୍ଷରତାକୁ ନେଇ ପରାଜିତ ପ୍ରାର୍ଥୀ ଅର୍ଚ୍ଚନା ରାଉତ ଏକ ମାମଲା ଦାୟର କରିଥିଲେ। ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪, ଧାରା-୩୧କୁ ଉଲଂଘନ କରାଯାଇଥିବା ନେଇ ଆବେଦନକାରିଣୀ ମାମଲାରେ ଦର୍ଶାଇଥିଲେ। ଏହି ମାମଲାରେ ଉଭୟ ପକ୍ଷଙ୍କ ଶୁଣାଣି କରି ଆନନ୍ଦପୁର ଜୁନିଅର ଡିଭିଜନ ସିଭିଲ ଜଜ୍‍ ଶ୍ରୀମତି ଶିବାନୀ ଆଚାର୍ଯ୍ୟ ରାୟ ଶୁଣାଇଛନ୍ତି। ଏଥିରେ ବର୍ତ୍ତମାନ ସରପଞ୍ଚ ଅଶାନ୍ତି ବଳଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ଉକ୍ତ ପଂଚାୟତରେ ସରପଂଚ ପଦବୀ ପାଇଁ ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଘସିପୁରା ବିଡିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଅଶ୍ୱିନୀ କୁମାର ମହାନ୍ତି ଓ ସୁବାଷ ଚନ୍ଦ୍ର ବିଶ୍ୱାଳ ଏବଂ ପ୍ରତିପକ୍ଷ ଓକିଲ ଭାବେ ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।

Comments are closed.