ଜରାଜୀର୍ଣ୍ଣ ଏନ୍‌ଏଚ୍‌-୧୪୩ : ଚାଲିଛି ସଂପ୍ରସାରଣ, ବଢୁଛି ଦୁର୍ଘଟଣା

ସାରନଗରୀ: ସଡ଼କ ସୁରକ୍ଷା ଜୀବନ ରକ୍ଷା। ପ୍ରତିବର୍ଷ ଏହି ସ୍ଲୋଗାନକୁ ଜନହିତରେ ଜାରି କରାଯାଇ ସୁରକ୍ଷା ସପ୍ତାହ ପାଳିତ ହେଉଛି, ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି, ହେଲେ ସଡ଼କ ଦୁର୍ଘଟଣାର ହାର କମିବାର ନାଁ ନେଉନି। ବହୁ ସଂଖ୍ୟକ ଯାନବାହାନ ଚଳାଚଳ ସହ ରାସ୍ତା ମରାମତି ଅଭାବରୁ ରାଜପଥ ସମେତ ଜାତୀୟ ରାଜପଥରେ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ଲୋକେ ଗୁରୁତର ଆହତ ଅବା ମୃତ୍ୟୁବରଣ କରୁଛନ୍ତି। ଗୋଟିଏ ପଟେ ସରକାର ନୂତନ ପରିବହନ ନିୟମ ଲାଗୁ କରି ସଡ଼କ ଦୁର୍ଘଟଣାର ହାର କମାଇବାକୁ ଅଣ୍ଟା ଭିଡ଼ିଥିବା ବେଳେ, ସେହି ଅନୁପାତରେ ରାସ୍ତାର ମରାମତି କରାଯାଉ ନଥିବାରୁ ଏହା ସଡ଼କ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

 

ନୂତନ ପରିବହନ ନିୟମ ଅନୁଯାୟୀ, ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ଯଦି କିଏ ଏହାର ଖିଲାପ କରେ ତେବେ ଚାଳକଙ୍କ ଗାଡ଼ି ଲାଇସେନ୍ସ ବାତିଲ ହେବା ସହ ଜରିମାନାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ନିୟମକୁ ଏବେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଥିବା ବେଳେ, ଆସନ୍ତା ନୂଆବର୍ଷରୁ ଏହି ନିୟମ ଆହୁରି କଠୋର ହେବାର ଯଥେଷ୍ଟ ସମ୍ଭାବନା ରହିଛିା ଏହି ନିୟମକୁ ନେଇ ଅନେକ ବାଇକ ଓ କାର ଚାଳକ ବିଚଳିତ ହୋଇ ପଡୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ରାଜପଥ, ଜାତୀୟ ରାଜପଥ ସମେତ ଗଳିକନ୍ଦିର ନିମ୍ନମାନ ରାସ୍ତା ଚାଳକ ମାନଙ୍କୁ ଗାଡ଼ି ଚାଳନା ବେଳେ ଅଡ଼ୁଆରେ ପକାଉଥିବା ଅଭିଯୋଗ ହୋଇଛି। ରାସ୍ତାର ଉପଯୁକ୍ତ ଓ ଠିକଣା ସମୟରେ ଆବଶ୍ୟକୀୟ ମରାମତି ଅଭାବରୁ ରାସ୍ତା ଗୁଡ଼ିକ ଦିନକୁ ଦିନ ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରୁଛି, ଯାହାର କୁପରିଣାମ ଚାଳକ ମାନଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ଗାଡ଼ି ମାଲିକ ନିରଜଂନ ସ୍ୱାଇଁ ପ୍ରକାଶ କରିଛନ୍ତି। କେଉଁ ରାସ୍ତାର ପିଚୁ ଉଠିଯାଇ ଏହା ଆଁ କଲାଣି ତ, ପୁଣି କେଉଁଠି ପଥର ଓ ମାଟି ବାହାରି ଯିବାରୁ ଏହି ରାସ୍ତାରେ ଯିବା ଆସିବା କରିବା ପଥଚାରୀ ମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ବର୍ତ୍ତମାନ ଜାତୀୟ ରାଜପଥ-୧୪୩ର ସଂପ୍ରସାରଣ ଚାଲୁଥିବା ବେଳେ, ରାସ୍ତାର ପ୍ରାୟ ଜାଗାରେ ମରାମତି ହୋଇ ନଥିବାରୁ ଏହା ଯୋଗୁ ଅନେକ ଯାତ୍ରୀ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।

ଏଠାରେ ପ୍ରକାଶ ଥାଉକି, ପାନପୋଷରୁ ବାରକୋଟ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୪୩ ରାଉରକେଲା ଓ ଦକ୍ଷିଣ ରାଉରକେଲା ଦେଇ ଲମ୍ବିଛି। ଏହି ଜାତୀୟ ରାଜପଥର ସଂପ୍ରସାରଣ ଏକ ଠିକା ସଂସ୍ଥା ପକ୍ଷରୁ କରାଯାଉଛି। ରାସ୍ତା କାର୍ୟ୍ୟ ଚାଲୁଥିବା ଯୋଗୁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥ ଦେଇ ଦକ୍ଷିଣ ରାଉରକେଲା ସମେତ ଲାଠିକଟା ଅଂଚଳର ଲୋକ ମାନେ ରାଉରକେଲାର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିଥାନ୍ତି। ପ୍ରତିଦିନ ଶହଶହ ଯାତ୍ରୀବାହୀ ବସ, ଡମ୍ପର, ଟ୍ରଲର, ଟ୍ରକ ଏହି ରାସ୍ତାରେ ଯାତାୟତ କରିବା ଦେଖିବାକୁ ମିଳିଥାଏ। ଫଳରେ ରାସ୍ତାରେ ଭିଡ଼ ଉତ୍ପନ ହେବା ସ୍ୱାଭାବିକ। ଏହା ଦ୍ୱାରା ସମୟ ସମୟରେ ଟ୍ରାଫିକ ସମସ୍ୟା ଉତ୍ପନ ହୋଇଥାଏ। ଜାତୀୟ ରାଜପଥ- ୧୪୩ର ଦେଓଗାଁ, ବାଲୁଘାଟ, ଗାନ୍ଧି କଲେଜ ସମ୍ମୁଖ ଆଦି ଜାଗାରେ ରାସ୍ତାର ସ୍ଥାନେ ସ୍ଥାନେ ଛୋଟବଡ଼ ଖାଲଖମା ସୃଷ୍ଟି ହେବା ଫଳରେ ଯାନବାହାନ ଚଳାଉଥିବା ଚାଳକ ମାନେ ନିଜକୁ ଆଦୌ ସୁରକ୍ଷିତ ମଣୁ ନାହାନ୍ତି। ବାଇକ ଚାଳକ ମାନେ ବାଇକ ଚାଳନା କରିବା ବେଳେ ସତର୍କତା ଅବଲମ୍ବନ କରୁଛନ୍ତି। ବିଶେଷ କରି ରାତ୍ରି ସମୟରେ ଏହି ରାସ୍ତା ଏକ ବିପଦଜ୍ଜନକ ରାସ୍ତା ଭାବେ ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ ଏହି ରାସ୍ତାରେ ଦୁର୍ଘଟଣା ଘଟି ଜୀବନହାନି ହେବା ବହୁବାର ନଜିର ରହିଛି। ସେହିପରି ଦୁର୍ଘଟଣାରେ ଚାଳକ ଗୁରୁତର ଅବା ଆହତ ମଧ୍ୟ ହୋଇଛନ୍ତି। ମାତ୍ର ଏଯାଏ ରାସ୍ତାକୁ ସଂପୂର୍ଣ୍ଣ ଭାବେ ମରାମତି କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। କେବଳ ଖାଲଢିପ ହୋଇଥିବା ରାସ୍ତାରେ ପ୍ୟାଚ ପକାଯାଇ କାମଚଳା ନିତୀରେ ରାସ୍ତା ମରାମତି ଚାଲୁଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଖାଲରେ ପଡ଼ିଥିବା ପିଚୁ ଉଠି ଯିବାରୁ ଜାତୀୟ ରାଜପଥ ପୁଣି ସମାନ ଅବସ୍ଥାକୁ ଫେରି ଆସିବାରୁ ରାସ୍ତାରେ ଗାଡ଼ି ଚଳାଇବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି।

ଭାରୀଯାନ ଗୁଡ଼ିକ ଜାତୀୟ ରାଜପଥ-୧୪୩ରେ ଦ୍ରୁତ ଗତିରେ ଯିବା ସମୟରେ ପ୍ରବଳ ଧୂଳି ଉଡୁଛି। ବର୍ତମାନ ଶୀତ ଦିନରେ ଧୂଳି ଓ କୁହୁଡ଼ିର ଆବରଣ ଯୋଗୁ ବାଇକ ଓ କାର ଚାଳକ ମାନଙ୍କୁ ଆଗର ରାସ୍ତା ସ୍ପଷ୍ଟ ଭାବେ ଦୃଶ୍ୟମାନ ନହେବା କାରଣରୁ ଦୁର୍ଘଟଣାର ଶୀକାର ହେଉଛନ୍ତି। ପୂର୍ବାହ୍ନ ୯ରୁ ରାତ୍ରି ୯ଯାଏ ଜାତୀୟ ରାଜପଥ-୧୪୩ରେ ଭିଡ଼ ରହୁଥିବା ଯୋଗୁ ଯାନବାହାନ ଚଳାଚଳ ସମୟରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ରାସ୍ତା ସଂପ୍ରସାରଣ କାର୍ୟ୍ୟ ଚାଲୁଥିବାରୁ ଗୋଟିଏ ପଟ ରାସ୍ତା ସାମୟିକ ସମୟ ବନ୍ଦ କରାଯାଇ ଅନ୍ୟପଟ ରାସ୍ତା ମରାମତି କାର୍ୟ୍ୟ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କରାଯାଉଛି। ଏପରିସ୍ଥଳେ ବାହାର ରାଜ୍ୟରୁ ଭାରୀଯାନ ନେଇ ରାଉରକେଲା ଆସୁଥିବା ଚାଳକ ମାନେ ପ୍ରକୃତ ରାସ୍ତା ଚିହ୍ନଟ କରି ନପାରି ଦୁର୍ଘଟଣାର ଶୀକାର ହେଉଛନ୍ତି। ଗତ କିଛି ଦିନ ତଳେ ଜଲଦା ସି ବ୍ଲକ ଛକ ନିକଟରେ ଏକ ଟ୍ରଲର ବାଟବଣା ହୋଇ ଏକ ଡିଭାଇଡ଼ର ଉପରକୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ, ମାତ୍ର ଦୁର୍ଘଟଣା ପରେ ବହୁ ସମୟ ଧରି ଜାତୀୟ ରାଜପଥ-୧୪୩ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଣୁ ରାସ୍ତା ମରାମତି କାର୍ୟ୍ୟ ସମୟରେ ଉପଯୁକ୍ତ ଫଳକ ଲଗାଇବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଜାତୀୟ ରାଜପଥ-୧୪୩ର ସ୍ଥାନେ ସ୍ଥାନେ ଖାଲଖମା ରହିଥିବାଯୋଗୁ ରୋଗୀ ନେଇ ହସ୍ପିଟାଲ ଅଭିମୁଖେ ଯାତ୍ରା କରୁଥିବା ଆମ୍ବୁଲାନ୍ସ ଚାଳକ ଜଣଙ୍କୁ ମଧ୍ୟ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି। ଏପରିସ୍ଥଳେ ସମୟ ସମୟରେ ଠିକ ସମୟରେ ହସ୍ପିଟାଲରେ ପହଂଚି ନପାରି ରୋଗୀର ଜୀବନ ମଧ୍ୟ ବଳି ପଡୁଛି। ଏସବୁ ଘଟଣାକୁ ଅନୁଧ୍ୟାନ କଲେ ସରକାରଙ୍କ ନୂତନ ପରିବହନ ନିୟମକୁ ବହୁ ବ୍ୟକ୍ତି ସ୍ୱାଗତ କରୁଥିବା ବେଳେ, ଦୁର୍ଘଟଣା ହ୍ରାସ ନିମନ୍ତେ ରାସ୍ତା ମରାମତି ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.