ରାସ୍ତା କଡ଼ର ବଇଦ କର୍ମବୀର ବିଜୟ, ଚେରମୁଳି ଯୋଗାଉଛି ପେଟକୁ ଆହାର

ସାରନଗରୀ: କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ । ଛଅ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ଲାଗି ମନୁଷ୍ୟ ନାନାଦି ବୃତି କରିବା ଦେଖିବାକୁ ମିଳେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମଜନିତ ଅର୍ଥରେ ସଂସାରରୂପୀ ରଥକୁ ଆଗେଇ ନେଇଥାଏ । ସେହିଭଳି ଉତରପ୍ରଦେଶ ରାଜ୍ୟର ଜଣେ ଅଭାବୀ ମଣିଷକୁ ଦେଖିବାକୁ ମିଳିଛି ଜାତୀୟ ରାଜପଥ-୧୪୩ ସଂଲଗ୍ନ ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ନିକଟରେ । ଯୁବକ ଜଣଙ୍କର ନାଁ ବିଜୟ ସିଂ । ବୟସ ମାତ୍ର ୨୩ ବର୍ଷ । ତାଙ୍କ ଘର ସୁଦୂର ଉତ୍ତରପ୍ରଦେଶ ଜିଲାର ହରିଦ୍ୱାର ଅଞ୍ଚଳରେ । ପରିବାର କହିଲେ ବିଜୟଙ୍କ ସହ ତାଙ୍କ ପିତା ରାଜକୁମାର ସିଂ, ମା କଳାବତୀ, ଦୁଇ ଭଉଣୀ ଓ ଚାରିଭାଇଙ୍କୁ ନେଇ ସଂସାର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ଷଷ୍ଠ ଶ୍ରେଣୀ । ପରିବାରର ଆର୍ଥିକ ବୋଝ ମୁଣ୍ଡାଇ ଆର‌୍ୟୁବେଦିକ ଚେରମୂଳି ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ମନସ୍ଥ କଲେ କର୍ମବୀର ବିଜୟ । ଭାରତର କୋଣ ଅନୁକୋଣରେ ନିଜ ସହକର୍ମୀ ମାନଙ୍କ ସହିତ ଚେରମୂଳି କ୍ୟାମ୍ପ ରାସ୍ତା କଡ଼, ଜନବହୁଳ ଅଞ୍ଚଳରେ ପକାଇ ଅର୍ଥ ରୋଜଗାର ଅନ୍ୱେଷଣରେ ବାହାରି ପଡ଼ିଲେ । ଇତି ମଧ୍ୟରେ ଭାରତର ବିଭିନ୍ନ ସହରରେ ସଫଳତାର ସହିତ ନିଜର ଚେରମୂଳି କ୍ୟାମ୍ପ ପକାଇ ସାରିଛନ୍ତି । ଏହା ତାଙ୍କର ପାରମ୍ପାରିକ ପେଶା ବୋଲି ସେ କୁହନ୍ତି । ଓଡ଼ିଶାର ରାଜଧାନୀ ସମେତ ସମ୍ବଲପୁର, ଝାରସୁଗୁଡ଼ା, ବ୍ରହ୍ମପୁର ସହର ସମେତ ଅନ୍ୟ ଜିଲା ମଧ୍ୟ ପରିଭ୍ରମଣ ବିଜୟ କରି ସାରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏଭଳି ଚେରମୂଳି କ୍ୟାମ୍ପରେ ଜଣେ ସାଧାରଣ ବଇଦ ଭାବେ ରୋଗୀଙ୍କୁ ରୋଗର ଉପଚାର ବାବଦରେ ଚେରମୂଳି ଔଷଧ ବିକ୍ରୟ କରିଥାନ୍ତି । କେଉଁଦିନ ୨୦୦ ଟଙ୍କା ରୋଜଗାର ହୁଏ ତ ପୁ’ଣି କେଉଁ ଦିନ ହାତବାନ୍ଧି ବସି ରହିବାକୁ ପଡ଼ିଥାଏ ବୋଲି ବିଜୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଗତ ୧୨ ବର୍ଷ ହେଲା ଏହି ବୃତିରେ ସେ ନିୟୋଜିତ ଅଛନ୍ତି । ଏହି କ୍ୟାମ୍ପ ଭିତରେ ତାଙ୍କର ୬ ଜଣ ସହକର୍ମୀଙ୍କ ସହିତ କଟିଥାଏ ତାଙ୍କର ଦୈନନ୍ଦିନ ଜୀବନଶୈଳୀ । ସକାଳ ଭୋଜନ ଠାରୁ ରାତ୍ର ଭୋଜନ ଏହି ଠାରେ ପ୍ରସ୍ତୁତ କରାଯାଇଥାଏ । କିଛି ଦିନ ଗୋଟିଏ ସହରରେ ଡେରା ପକାଇ ରହିବା ପରେ ପୁଣି ଅନ୍ୟ ଏକ ସହର ଅଭିମୁଖେ ଯାତ୍ରା କରିଥାନ୍ତି ବିଜୟ ସିଂ ଓ ତାଙ୍କର ସାଥୀ ମାନେ । ବିଶେଷ କରି ବର୍ଷା ସମୟରେ ଏମାନଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । କରୋନା ମହାମାରୀ ପୂର୍ବରୁ ବିଭିନ୍ନ ପ୍ରକାର ଚେରମୂଳି ଯେପରି ଅଙ୍କୁରି, ଅଶ୍ୱଗନ୍ଧା, ସାଲାପଂଜା, ମିଶ୍ରି, କେଶର ଓ ଅନ୍ୟ ଜଡ଼ିବୁଟି ବିକ୍ରୟ କରି ଭଲ ପଇସା ରୋଜଗାର ହେଉଥିଲେ ମଧ୍ୟ ଲକଡାଉନ ଓ ସଟଡାଉନ ଦେଶସାରା ଲାଗି ରହିବା ଫଳରେ ରୋଜଗାର ସାମାନ୍ୟ ଫିକା ପଡ଼ି ଯାଇଛି ବୋଲି ବିଜୟ ସିଂ ପ୍ରକାଶ କରିଥିଲେ । କରୋନା ଆରମ୍ଭ ହେବା ପରେ ନିଜ ରାଜ୍ୟ ଉତ୍ତରପ୍ରଦେଶରୁ ଆସି ସୁନ୍ଦରଗଡ ପହଞ୍ଚିଥିଲେ ବିଜୟ ସିଂ । ସୁନ୍ଦରଗଡ଼଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଚେରମୂଳି ଅବା ଜଡ଼ବୁଟି ଔଷଧର ଚାହିଦା ରହିବା ତଥା ଏହା ଗରିବ ଶ୍ରେଣୀୟ ଲୋକଙ୍କ ଦ୍ୱାରା ଆଦୃତ ହେଉଥିବାରୁ ସେ ବର୍ତମାନ ଏହି ଜିଲାରେ ନିଜ କାରବାର କରୁଥିବା ପ୍ରକାଶ । ଏପରି ସମୟ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ଯେ, ଯେଉଁ ସମୟରେ ଗୋଟିଏ ଓଳି ପେଟ ପାଇଁ ଦାନା ଯୋଗାଡ଼ କରିବା ମଧ୍ୟ କାଠିକର ପାଠ ହୋଇ ପଡ଼ୁଥିଲା । ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ଯାଏ କୌଣସି ସରକାରୀ ସାହାଯ୍ୟ ଏଯାଏ ମିଳି ପାରିନଥିବା ସେ କୁହନ୍ତି । ଗତ ପ୍ରାୟ ମାସେରୁ ଉର୍ଦ୍ଧ ହେବ ବିଜୟ ଏନଏଚ-୧୪୩ କଡ଼ରେ ନିଜର କ୍ୟାମ୍ପ ଲଗାଇ ବିଭିନ୍ନ ରୋଗ ଯେପରି ବଦହଜମୀ, ଗ୍ୟାସ, ଦନ୍ତରୋଗ, ଗ୍ୟାଷ୍ଟ୍ରିକ, ମଳକଣ୍ଟକ, ପେଟ ପୋଡ଼ାଜଳା କରିବା, ବିଭିନ୍ନ ଗୁପ୍ତ ରୋଗ ପାଇଁ ଚେରମୂଳି ବିକ୍ରୟ କରିବା ଦେଖିବାକୁ ମିଳୁଛି । ରାସ୍ତା କଡ଼ରେ ରହିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ରାତ୍ରୀ ସମୟରେ ସରିସୃପ ଭୟ ସମେତ ଅଜଣା ଦୃବୃର୍ତ ମାନଙ୍କ ଭୟ ପ୍ରାୟ ସବୁ ଜାଗାରେ ରହିଥାଏ । ଏହି ସମସ୍ୟା ଗୁଡ଼ିକ ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଗୁହାରି କରିଛନ୍ତି । ସେହିପରି ଶୌଚ କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବିଜୟ ପ୍ରକାଶ କରିଥିଲେ । ଏହ ଏଭଳି ଜଣେ ରାସ୍ତା କଡ଼ର କର୍ମବୀର ବଇଦ ବିଜୟକୁ ଆଜି ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକରେ ଦେଖିବାକୁ ମିଳୁଥିବା ବେଳେ, ପୁଣି ହୁଏତ କେବେ ଦେଖିବାକୁ ମିଳେ ଅନ୍ୟ ଏକ ସହରର କୌଣସି ଅଜଣା ଗଳିରେ ।

Comments are closed.