ଲୋକଭାଷାରେ ସାହିତ୍ୟ ସୃଷ୍ଟି ପାଇଁ ପୂଜା ପାଉଛନ୍ତି ସାରଳା ଦାସ : ଆନ୍ଧ୍ର ରାଜ୍ୟପାଳ

ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବ

କଟକ: ରାଜାରାଜୁଡ଼ା ଅମଳରେ ସଂସ୍କୃତ ଭାଷା ବ୍ୟତୀତ ସାଧାରଣ ମଣିଷର ଭାଷାରେ କେହି ସାହିତ୍ୟ ଲେଖିବାକୁ ସାହସ କରୁ ନ ଥିଲେ। ସେତେବେଳେ ସାରଳା ଦାସ ପାରମ୍ପରିକତାକୁ ଭାଙ୍ଗି ଲୋକକଥା, ଲୋକଭାଷାରେ ସାହିତ୍ୟ ରଚନା କରିଥିଲେ। ସେଥିପାଇଁ ସେ ସମଗ୍ର ଓଡ଼ିଆ ଜାତି ଭିତରେ ପୂଜା ପାଉଛନ୍ତି ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।
ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସାରସ୍ବତ ପୀଠ ସାରଳା ଭବନଠାରେ ରବିବାର ସନ୍ଧ୍ୟାରେ ଆୟୋଜିତ ସଂସଦର ୩୮ତମ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରି କହିଲେ, ସାରଳା ଦାସ ହେଉଛନ୍ତି ଓଡ଼ିଆ ଜାତିର ଯୁଗସ୍ରଷ୍ଟା। ବିଶ୍ବର ଅନନ୍ୟ ପ୍ରତିଭା ସାରଳା ଦାସ। ସାରଳା ସାହିତ୍ୟ ହେଉଛି ମହାସମୁଦ୍ର। ରାଜା କପିଳେନ୍ଦ୍ରଦେବଙ୍କ ରାଜତ୍ବ ସମୟରେ ଲୋକଭାଷାରେ ସାହିତ୍ୟ ରଚନା କରି ସେ ସଂସ୍କୃତ ପଣ୍ଡିତଙ୍କ ରୋଷର ଶିକାର ହୋଇଥିଲେ। ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତଥାପି କୌଣସି ପ୍ରତିକୂଳତା ତାଙ୍କୁ ରୋକିପାରିନଥିଲା। ଓଡ଼ିଶାର ଭୌଗୋଳିକ, ଅର୍ଥନୈତିକ, ସାମାଜିକ ସବୁ ଦିଗକୁ ଛୁଇଁ ସାହିତ୍ୟ ରଚନାରେ ଏକ ବିପ୍ଲବ ସୃଷ୍ଟି କରିଥିଲେ ସାରଳା ଦାସ। ସାରଳା ଦାସଙ୍କ ମହାଭାରତର ଭିନ୍ନ ଦୃଷ୍ଟିକୋଣକୁ ରାଜ୍ୟପାଳ ଅତ୍ୟନ୍ତ ସଂସ୍କାରଧର୍ମୀ ଭାବରେ ଉପସ୍ଥାପନା କରିଥିଲେ। ସାରଳା ଦାସ ତାଙ୍କ ମହାଭାରତରେ ଯୁଧିଷ୍ଠିରଙ୍କୁ ଧର୍ମରାଜ ବଦଳରେ ଏକ ଦୁର୍ବଳ, ପରାଂପୁଷ୍ଟ, ପୌରୁଷହୀନ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିବା ​‌େ​‌ସ କହିଥିଲେ। ସାରଳା ସାହିତ୍ୟ ସଂସଦର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିବା ସହ ଓଡ଼ିଆ ସାହିତ୍ୟକୁ ଆଗକୁ ନେବାରେ ସଂସଦର ପ୍ରୟାସ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ କହିଲେ, ସାହିତ୍ୟ ଆମକୁ କାଳେକାଳେ ପ୍ରଚୋଦିତ କରିଆସିଛି। ଯେଉଁ ସାହିତ୍ୟ ମୃତବ୍ୟକ୍ତିର ଦେହରେ ସ୍ପନ୍ଦନ ସୃଷ୍ଟି କରେ ତାହା ସତ୍‌ ସାହିତ୍ୟ। ମହାତ୍ମା ଗାନ୍ଧୀଙ୍କ ଜୀବନରେ ସାହିତ୍ୟର ଭୂମିକାକୁ ଦର୍ଶାଇବାକୁ ଯାଇ ଶ୍ରୀ ନାୟକ କହିଲେ, ମୋହନ ମହାତ୍ମାରେ ରୂପାନ୍ତରିତ ହେବା ପଥ ସୁଦୀର୍ଘ। ଅନ୍‌ ଟୁ ଦିସ୍ ଲାଷ୍ଟ ନାମକ ଅର୍ଥନୀତିର ଏକ ପୁସ୍ତକ ମହାତ୍ମା ଗାନ୍ଧୀଙ୍କୁ ଉତ୍ତରିତ ସତ୍ତାରେ ପରିଣତ କରିପାରିଥିଲା। ସେହିପରି ଆମେରିକାରେ କ୍ରୀତଦାସ ପ୍ରଥାର ବି​‌େ​‌ଲାପ ଘଟାଇବାରେ ଅଙ୍କଲ ଟମ୍‌ଙ୍କ କାହାଣୀ ଯଥେଷ୍ଟ ଥିଲା। ସାମାଜିକ ସଂସ୍କାର ପାଇଁ ସାହିତ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀ ନାୟକ କହିବା ସହ ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରଚନାବଳୀ ଜାତୀୟ ଜୀବନକୁ ପ୍ରଚୋଦିତ କରିଥିଲା। ସେ ସମୟର ସାହିତ୍ୟ ସ୍ବାଧୀନତା ସଂଗ୍ରାମକୁ ଆଗକୁ ନେଇଥିଲା। ସାହିତ୍ୟ ହିଁ ବ୍ୟକ୍ତିର ଆତ୍ମିକ ବଳ ଜିତିବାରେ ଯଥେଷ୍ଟ ସହାୟକ ହୋଇଥାଏ ବୋଲି ମୁଖ୍ୟବକ୍ତା ଶ୍ରୀ ନାୟକ ମତପୋଷଣ କରିଥିଲେ।
ସମ୍ମାନିତ ଅତିଥି ବ୍ୟାସ ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ହିନ୍ଦୀ ସାହିତ୍ୟିକା ଚିତ୍ରା ମୁଦ୍‌ଗଲ ତାଙ୍କ ବକ୍ତବ୍ୟରେ ପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ଗୁଣାବଳୀ ବର୍ଣ୍ଣନା କରି କହି​‌େ​‌ଲ, ପ୍ରତିଭା କେବଳ ଓଡ଼ିଶା ନୁହେଁ, ସାରା ଭାରତର ଲେଖିକା। ପ୍ରତିଭାଙ୍କ ଦ୍ରୌପଦୀ ସାରା ଭାରତର ଦ୍ରୌପଦୀ। ପ୍ରତିଭା ଏବେ ହିନ୍ଦୀ, ତେଲଗୁ, ମରାଠୀ ଆଦି ବିଭିନ୍ନ ଭାଷାର ଲେଖିକା ଭାବେ ପରିଚିତା ହୋଇଛନ୍ତି। ସମାଜର ଅସଙ୍ଗତି, ପୀଡ଼ା ସହ ଆଦିବାସୀ, ଦଳିତ, ଅବହେଳିତ, ବୃଦ୍ଧବୃଦ୍ଧା, ପିଲା ଆଦି ସମସ୍ତଙ୍କର ଲେଖିକା ହୋଇଛନ୍ତି। ଭାରତୀୟ ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଭାଙ୍କ ଲେଖନୀ ସଦା ତତ୍ପର ବୋଲି ଶ୍ରୀମତୀ ମୁଦ୍‌ଗଲ ପ୍ରଶଂସା କରି କହିଥିଲେ।
ବରେଣ୍ୟ ଅତିଥି ସଂସଦର ମୁଖ୍ୟ ଉପଦେଷ୍ଟା ସହଦେବ ସାହୁ କହିଲେ, ଅନ୍ୟମାନେ ଶୋଇଥିବା ବେଳେ ଯେଉଁମାନେ କାମ କରିଚାଲିଥାନ୍ତି ସେମାନେ ସମାଜକୁ ଆଗେଇ ନେଇଥାନ୍ତି। ଜାତିକୁ ଆଗେଇ ନେବାରେ ସେହି ଲୋକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସଭାପତି ଡ. ସ୍ବାଇଁ କହିଲେ, ସାରଳା ମହାଭାରତ ଭାରତୀୟ ପ୍ରାନ୍ତୀୟ ସାହିତ୍ୟରେ ପ୍ରଥମ ପୂର୍ଣ୍ଣାଙ୍ଗ ମହାଭାରତ। ସାରଳାଙ୍କ ମହାଭାରତ ଓଡ଼ିଆ ଭାଷା ସାହିତ୍ୟର କୋଣାର୍କ ବୋଲି ସେ କହିଥିଲେ।
ଏହି ଅବସରରେ ସଂସଦ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟଙ୍କୁ ‘ସାରଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ତାଙ୍କୁ ପୁରସ୍କାରସ୍ବରୂପ ୧ ଲକ୍ଷ ୫ ହଜାର ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢୌକନ ଦିଆଯାଇଥିଲା। ଡ. ପ୍ରତିଭା ରାୟ ତାଙ୍କ ଉତ୍ତରରେ ସାହିତ୍ୟ ସର୍ବଦା କ୍ରାନ୍ତିକାରୀ ଓ ନିଜ ମାଟିରୁ ସାରଳାଙ୍କ ନାମରେ ନାମିତ ପୁରସ୍କାର ପାଇ ଉତ୍ସାହିତ​‌ ବୋଲି କହିଥିଲେ। ସେହିପରି ପ୍ରଖ୍ୟାତ ପ୍ରସ୍ତର ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ରଙ୍କୁ ‘କଳିଙ୍ଗ ରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କୁ ରୌପ୍ୟ ନିର୍ମିତ ସରସ୍ବତୀଙ୍କ ପ୍ରତିକୃତି, ତାମ୍ରଫଳକ ଓ ଉପଢୌକନ ପୁରସ୍କାରସ୍ବରୂପ ପ୍ରଦାନ କରାଯାଇଥିଲା। ଏଥିସହ ସଂସଦ ଦ୍ବାରା ପ୍ରକାଶିତ ‘ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର’ ସମୀକ୍ଷା ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା।
ସଂସଦର ସମ୍ପାଦକ ଡା. ନିରଞ୍ଜନ ତ୍ରିପାଠୀ ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଗାଳ୍ପିକା ରୁମ୍‌ଝୁମ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ବନ୍ଦିତା ଦାଶ ଓ ସଂଜିତ କୁମାର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ସମାରୋହରେ ଜଷ୍ଟିସ ମଦନମୋହନ ଦାସ, ଜଷ୍ଟିସ ବିଜୟ କୁମାର ନାୟକ, ଜଷ୍ଟିସ ଦୁର୍ଗାପ୍ରସାଦ ଚୌଧୁରୀ, ପ୍ରାକ୍ତନ ପୁଲିସ ଡିଜି ବିପିନ୍ ବିହାରୀ ମିଶ୍ର, ଜଷ୍ଟିସ ଏ. ଏସ୍. ନାଇଡ଼ୁ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, ଡ. ମନୋରମା ମହାପାତ୍ର, ପ୍ରଫେସର ଦାଶରଥୀ ଦାଶ, ଡ. ଶଙ୍କରଲାଲ ପୁରୋହିତ, ଡ. ରାଜେନ୍ଦ୍ର ପ୍ରସାଦ ମିଶ୍ର, ଡ. ନଟବର ଶତପଥୀ, ତ୍ରିଲୋଚନ କାନୁନ୍‌ଗୋ, ପ୍ରସନ୍ନ କୁମାର ଜେନା, ଡା. ନିମାଇଁ ଚରଣ ପରିଜା, ଡା. ନୀରଦ କୁମାର ଗଚ୍ଛାୟତ, ଡ. ମହେଶ୍ବର ମହାନ୍ତି, ଡ. ସୁଲୋଚନା ଦାସ, ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଡ. ବାବାଜୀ ଚରଣ ପଟ୍ଟନାୟକ, ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଡା. ଉପେନ୍ଦ୍ର ପ୍ରସାଦ ନାୟକ, ଡା. କୃପାସିନ୍ଧୁ ପଣ୍ଡା, ପ୍ରଫେସର ପ୍ରଭାତ ମିଶ୍ର, ପ୍ରଫେସର ସଙ୍ଗୀତା ରଥ, ପ୍ରଫେସର ପଦନ କୁମାର ଜେନା, ଦେବବ୍ରତ ମଦନରାୟ, ଡ. ବିଦ୍ୟାନନ୍ଦ ଝୀଙ୍କ ସମେତ ବହୁ ସାହିତ୍ୟିକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ, ଇଂ ଶିଶିର କୁମାର ସାହୁ, କବୀ ବିଜୟଲକ୍ଷ୍ମୀ ନାୟକ, ବନଶ୍ରୀ ମହାପାତ୍ର, ଇଂ ବାବାଜୀ ଚରଣ ବେହେରା, ଚୌଧୁରୀ ସତ୍ୟ ଦାସ, ସରୋଜିନୀ ରାଉତରାୟ, ପ୍ରାଧ୍ୟାପକ ସୁଶାନ୍ତ କୁମାର ସେଠୀ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହି, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.