ଲୌହମାନବୀ ସରଳା ଦେବୀଙ୍କ ୧୧୬ତମ ଜୟନ୍ତୀ

ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାରସ୍ବତ ଜଗତରେ ସରଳାଦେବୀ ଏକ ଉଦାତ୍ତ ଉଚ୍ଚାରଣ। ସେ ୧୯୦୪ ମସିହା ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମର ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୪ବର୍ଷ ବୟସରେ ନିକଟସ୍ଥ ଚାଟରା ଗ୍ରାମର ଜମିଦାର ପରିବାରରେ ଭାଗୀରଥି ମହାପାତ୍ରଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ବିଦ୍ୟାଳୟରେ ଅଳ୍ପକେତେ ମାସ ଅଧ୍ୟୟନ କରିଥିବା ସରଳାଙ୍କର ଅସଲ ବିଦ୍ୟାଶିକ୍ଷା ଜଣେ ଖ୍ରୀଷ୍ଟିୟାନ ଶିକ୍ଷୟିତ୍ରୀଙ୍କ ଦ୍ବାରା ହୋଇଥିଲା। ସରଳା ତାଙ୍କଠାରୁ ସଂସ୍କୃତ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ଶିଖିବା ପରେ ବିବିଧ ସାହିତ୍ୟ ଅଧ୍ୟୟନ କରି ନିଜ ଜ୍ଞାନକୁ ସମୃଦ୍ଧ କରିଥିଲେ। ସେ ଏକାଧାରରେ ଜଣେ ବିଦୁଷୀ, ବାଗ୍ମୀ, ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରିକା, ବିପ୍ଳବିଣୀ, ରାଜନେତୀ ଓ ସାରସ୍ବତ ସାଧିକା ଥିଲେ। ବହୁମୁଖୀ ପ୍ରତିଭାର ଅଧିକାରିଣୀ ସରଳା କେବଳ ପାରିବାରିକ ଜୀବନ ମଧ୍ୟରେ ଆବଦ୍ଧ ନ ରହି ନିଜକୁ ଜାତୀୟ ଜୀବନରେ ସାମିଲ କରିଥିଲେ।

ଭାରତର ତତ୍‌କାଳୀନ ସ୍ବାଧୀନତା ଆନ୍ଦୋଳନ ସରଳାଦେବୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ମହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସମ୍ପର୍କରେ ଆସି ସେ ଜାତୀୟ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ନିଜର ସମସ୍ତ ଅଳଙ୍କାରକୁ ସ୍ବରାଜ ପାଣ୍ଠିକୁ ଦାନ କରି ଦେଇଥିଲେ। ତାଙ୍କର ଅଗ୍ନିବର୍ଷୀ ବକ୍ତୃତା ମୁକ୍ତି ଆନ୍ଦୋଳନକୁ ତେଜୀୟାନ କରିବା ସହିତ ଜନତା ପ୍ରାଣରେ ଦେଶପ୍ରେମର ବହ୍ନି ଜାଳି ଦେଇଥିଲା। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ଯୋଗଦେଇ ବ୍ରିଟିଶ ପୁଲିସ ଦ୍ବାରା ନିର୍ଯାତିତା ହୋଇ ପ୍ରଥମ ଓଡ଼ିଆ ନାରୀ ଭାବେ ସେ କାରାବରଣ କରିଥିଲେ। ଜାତୀୟସ୍ତରର ସଂଗ୍ରାମୀମାନଙ୍କ ସହ ମିଶି ମହାଭାରତୀୟ ନାରୀଜାଗରଣ କ୍ଷେତ୍ରରେ ନିଜକୁ ସାମିଲ କରିଥିଲେ। ୧୯୩୦ ମସିହାରେ ନିଖିଳ ଭାରତ କଂଗ୍ରେସର କରାଚି ସମ୍ମିଳନୀରେ ଯୋଗଦେଇ ସେ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଏକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।
ସ୍ବାଧୀନତା ପୂର୍ବରୁ ୧୯୩୭ ମସିହାରେ ହୋଇଥିବା ନିର୍ବାଚନରେ କଟକ ବିଧାନସଭା ଆସନରୁ ନିର୍ବାଚିତ ହୋଇ ସେ ନଅବର୍ଷ ଧରି ବିଧାୟିକା ଭାବରେ ଅନେକ ଲୋକହିତକର ଆଇନ୍‌ ପ୍ରଣୟନ ଓ ସଂଶୋଧନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାଲ୍ୟବିବାହ ଆଇନ ସଂଶୋଧନ, ଦାସୀପ୍ରଥାର ଉଚ୍ଛେଦ ଓ ପଶୁରକ୍ଷା ଆଦି ବିଲ୍‌ ସେ ବିଧାନସଭାରେ ଆଗତ କରିଥିଲେ। ନାରୀମାନଙ୍କର ଉନ୍ନତି ପାଇଁ ବାଳିକା ସ୍କୁଲ ସ୍ଥାପନ, ନାରୀକଲ୍ୟାଣ ସମିତି ପ୍ରତିଷ୍ଠା ଓ ନାରୀମାନଙ୍କ କର୍ମନିଯୁକ୍ତି ଆଦି କାର୍ଯ୍ୟ ଉପରେ ସେ ଗୁରୁତ୍ବ ଦେଇଥିଲେ। ୧୯୩୮ ମସିହାରେ ସେ ସରକାରଙ୍କ ନାରୀମଙ୍ଗଳ ବୋର୍ଡର ସଭାନେତ୍ରୀ ଭାବେ ନିର୍ବାଚିତ ହୋଇ ନାରୀସମାଜର ବିବିଧ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ଓଡ଼ିଶା ବିଧାନସଭାର ସେ ଥିଲେ ପ୍ରଥମ ବିଧାୟିକା ତଥା ପ୍ରଥମ ମହିଳା ବାଚସ୍ପତି। ବାଲ୍ୟାବସ୍ଥାରୁ ଓଡ଼ିଆଭାଷା ଓ ସାହିତ୍ୟ ପ୍ରତି ସରଳାଙ୍କର ଗଭୀର ଅନୁରକ୍ତି ଥିଲା। ସମାଜର ବିବିଧ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ସେ ବ୍ରତୀ ଥିଲେ। ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, ଗଳ୍ପ, ଉପନ୍ୟାସ, ନାଟକ, ଅନୁବାଦ, ଭ୍ରମଣ ଅନୁଭୂତି, ଜୀବନୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା ଓ ଶିଶୁସାହିତ୍ୟରେ ଲେଖନୀ ଚାଳନା କରି ସେ ନିଜ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି। ନବଭାରତ ସହକାର, ଯୁଗବୀଣା, ଉତ୍କଳ ସାହିତ୍ୟ, ଆଶା, ଆସନ୍ତାକାଲି ଓ ଝଙ୍କାର ଆଦି ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇ ପାଠକମହଲରେ ବେଶ୍‌ ଆଦୃତି ଲାଭ କରିଛି। ତାଙ୍କ କୃତିରାଜି ‘ନାରୀର ଦାବି’, ‘ବିଶ୍ବବିପ୍ଳବିଣୀ’, ‘ଉତ୍କଳର ନାରୀ ସମସ୍ୟା’, ‘କୁନ୍ତଳା କୁମାରୀଙ୍କ କବିପ୍ରତିଭା’, ‘ବାସନ୍ତୀ’ ଉପନ୍ୟାସର ନଅଟି ପରିଚ୍ଛେଦ, ‘ସାରଳା ମହାଭାରତରେ ନାରୀଚିତ୍ର’ ଆଦି ଗ୍ରନ୍ଥ ଶତଶତ ପ୍ରବନ୍ଧ ତାଙ୍କ ସାରସ୍ବତ ପ୍ରତିଭାର ଜ୍ବଳନ୍ତ ଆଲେଖ୍ୟ। ସମାଜର ବହୁ ନବନବ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାରେ ସରଳା ହେଉଛନ୍ତି ପ୍ରଥମ ନାରୀ। ତାଙ୍କ ଜୀବନବ୍ୟାପୀ ସାଧନା ଓ ସିଦ୍ଧିକୁ ସ୍ବୀକୃତି ଜଣାଇ ୧୯୭୫ ମସିହା ଜାନୁଆରୀ ମାସରେ ଜନ୍ମମାଟି ଜଗତସିଂହପୁରଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ‘ଲୌହମାନବୀ’ ଉପାଧିରେ ଭୂଷିତ କରାଯାଇଥିଲା। ଆଜି ସେହି ତେଜସ୍ବିନୀ ମହାମାନବୀଙ୍କ ୧୧୬ତମ ଜୟନ୍ତୀ ଅବସରରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Comments
Loading...