ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର : ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ରବିବାର ରାତିରେ ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କୁ ନିମୋନିଆ ହୋଇଥିବା ସ୍ପଷ୍ଟ ହୋଇଛି। ଶ୍ରୀ ମହାପାତ୍ର ଚିକିତ୍ସାଧୀନ ଥିବା ପରିବାର ସୂତ୍ରରୁ କୁହାଯାଇଛି।
ସୂଚନା ଅନୁସାରେ ଶ୍ରୀ ମହାପାତ୍ରଙ୍କୁ ଗତ କିଛି ଦିନ ହେଲା ଥଣ୍ଡା ଲାଗି ରହିଥିଲା। ଶୁକ୍ରବାର ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏମିତିକି ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଘରେ ଅକ୍ସିଜେନ ଦିଆଯାଇଥିଲା। ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏନେଇ ଗତକାଲି ରାତି ୧୧ଟାରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଯାଞ୍ଚ କରିବା ପରେ ତାଙ୍କୁ ନିମୋନିଆ ହୋଇଥିବା ସୂଚନା ଦେଇଥିଲେ। ଶ୍ରୀ ମହାପାତ୍ରଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିବା ସହିତ କିଡ୍‌ନୀ କାମ କରୁନଥିବା ଡାକ୍ତର ପ୍ରାରମ୍ଭିକ ରିପୋର୍ଟରେ ସ୍ପଷ୍ଟ କରିଥିଲେ। ତେବେ ଡାକ୍ତର ଶ୍ରୀ ମହାପାତ୍ରଙ୍କ ଡାଏଲିସିସ୍‌ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆସନ୍ତାକାଲି ସୁଦ୍ଧା ଡାଏଲିସିସ୍‌ ହୋଇପାରିଲେ ସେ ପୂର୍ବ ଭଳି ସୁସ୍ଥ ହୋଇପାରିବେ। ଆସନ୍ତାକାଲି ଡାକ୍ତର ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ସୂଚନାଥାଉ କି ଶ୍ରୀ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଚିରସବୁଜ ସଙ୍ଗୀତ ଭେଟି ଦେଇଛନ୍ତି। ତାଙ୍କ ସଙ୍ଗୀତ ଦର୍ଶକଙ୍କ ହୃଦୟରେ ବସା ବାନ୍ଧି ରହିଛି। ଓଡ଼ିଆ ଚଳଚ୍ଚିତ୍ର, ସଙ୍ଗୀତ ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.