ବିଶ୍ୱ ସଂସ୍କୃତ ସପ୍ତାହ ସମାରୋହ ଉଦ୍‍ଯାପିତ

ଆଠଗଡ : ଗୋପବନ୍ଧୁ ବିଜ୍ଞାନ କଲେଜରେ ୧୨ତାରିଖ ଠାରୁ ଚାଲିଥିବା ବ୍ଲକସ୍ତରୀୟ ବିଶ୍ୱ ସଂସ୍କୃତ ସପ୍ତାହ ସମାରୋହ ବୁଧବାର ଉଦ୍‍ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡାକ୍ତର ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‍ଯାପନୀ ଉତ୍ସବରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ଡଃ ନିରଞ୍ଜନ ପତି ଏଥିରେ ମୁଖ୍ୟଅତିଥି ଏବଂ ବଡମ୍ବାସ୍ଥିତ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଚିସ୍ମିତା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସବୁ ଭାଷାର ଉତ୍ପତ୍ତି ସଂସ୍କୃତ ଭାଷାରୁ ହୋଇଥିବାବେଳେ ଏହା ସବୁ ଭାଷା ମଧ୍ୟରେ ସର୍ବଶେଷ୍ଠ ବୋଲି ମୁଖ୍ୟଅତିଥି ଡଃ ପତି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଡକ୍ଟର ମହାନ୍ତି ସଂସ୍କୃତ ଭାଷାର ବୈଜ୍ଞାନିକ ଭିତ୍ତି ଏବଂ ସଂସ୍କୃତ ଭାଷା କିପରି କମ୍ପ୍ୟୁଟର ଦ୍ୱାରା ଆଦୃତ ହୋଇଥାଏ ସେ ସଂପର୍କରେ ଅବତାରଣା କରିଥିଲେ। ସଭାପତିତ୍ୱ କରୁଥିବା କଲେଜର ଅଧ୍ୟକ୍ଷ ଡଃ ସାହୁ ଗଣିତ ଓ ସଂସ୍କୃତ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା ଓ ସ୍ୱାଗତ ସଂଗୀତ ଗାନ ପରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ପ୍ରଭାତୀ ଦେବୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ବିଶ୍ୱ ସଂସ୍କୃତ ସପ୍ତାହ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଆଠଗଡ ବ୍ଲକର ୫ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପିକା ଏଥିରେ ଯୋଗଦେଇଥିଲେ। ପୂର୍ବରୁ ଆୟୋଜିତ ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ବିଭାଗୀୟ ଅଧ୍ୟାପକ ଡଃ ଅଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡଃ ଶୁଭଦର୍ଶୀ ଦାଶ, ସଂସ୍କୃତ ଶିକ୍ଷକ ରାମଚନ୍ଦ୍ର ମହାରଣା, ଜଳନ୍ଧର ସାହୁ ଓ ଶୁଭେନ୍ଦୁ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭାଗୀୟ ଅଧ୍ୟାପିକା ଡଃ ସୁରେଖା ଦାସ ପ୍ରାରମ୍ଭରେ ବେଦପାଠ ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.