ମାନ୍ୟତାଙ୍କ ମିନତି

ରାଜକୁମାର ହିରାନୀଙ୍କ ନିର୍ଦେଶନାରେ ମୁନ୍ନା ଭାଇ ତୃତୀୟ ଭାଗର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣାଯାଉଥିଲା। ମୁଖ୍ୟ ଭୂମିକା ପାଇଁ ସଞ୍ଜୟ ଦତ୍ତ ସବୁଜ ସଙ୍କେତ ଦେଇସାରିଥିଲେ। ଚଳଚ୍ଚିତ୍ରର ନାମ ‘ମୁନ୍ନା ଭାଇ ଚଲେ ଆମେରିକା’ ସ୍ଥିର କରାଯାଇଥିଲା। ମୁନ୍ନା ଭାଇ ସଞ୍ଜୁ ବାବା ଏବେ ଆମେରିକା ଯାଉଛନ୍ତି ସତ, କିନ୍ତୁ ଅଭିନୟ ପାଇଁ ନୁହେଁ। ମଙ୍ଗଳବାର ସେ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ସଂଜୟଙ୍କ ପତ୍ନୀ ମାନ୍ୟତା ବେଶ୍‌ ଚିନ୍ତିତ ଥିବାବେଳେ ପ୍ରଶଂସକଙ୍କୁ ମିନତି କରି କହିଛନ୍ତି ଯେ ସେମାନେ ଅଯଥା କୌଣସି ପ୍ରକାରର ଗୁଜବ ତିଆରି କରନ୍ତୁ ନାହିଁ କି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ; ବରଂ ସଂଜୟ ଭଲ ହେବାପାଇଁ ପ୍ରାର୍ଥନା କରନ୍ତୁ। ଅତୀତରେ ଏପରି କଠିନ ସ୍ଥିତି ଆସିଛି ଏବଂ ତାଙ୍କ ପରିବାର ତା’ର ସାମ୍ନା କରିଛନ୍ତି; ଏବେ ମଧ୍ୟ ସେମାନେ ଏହି ଦୁଃସ୍ଥିତିରୁ ମୁକୁଳିଯିବେ ବୋଲି ସେ ଆଶା କରିଛନ୍ତି।
ସୂଚନାଯୋଗ୍ୟ, ଫୁସ୍‌ଫୁସ୍‌ କର୍କଟର ଷ୍ଟେଜ୍‌-୩ରେ ସଂଜୟ ଆକ୍ରାନ୍ତ। ବିଶେଷଜ୍ଞଙ୍କ କହିବାନୁସାରେ, ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଜଣାପଡ଼ିନଥାଏ। ଷ୍ଟେଜ୍‌-୩ବେଳକୁ ହିଁ ରୋଗୀ କିଛିଟା ଅସ୍ବସ୍ତିକର ଅନୁଭବ କରିଥାନ୍ତି। ସଞ୍ଜୟଙ୍କ କ୍ଷେତ୍ରରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଇଥିଲା। ଲକ୍-ଡାଉନ୍ କାରଣରୁ ତାଙ୍କ ପତ୍ନୀ ମାନ୍ୟତା ଦତ୍ତ ଓ ଦୁଇ ପିଲା ଏବେ ଦୁବାଇରେ ଅଛନ୍ତି। ପରିବାର ତରଫରୁ ମିଳିଥିବା ତଥ୍ୟ ଅନୁସାରେ, ସଞ୍ଜୟ ଦୁବାଇ ଯିବେ ଓ ସେହିଠାରୁ ମାନ୍ୟତାଙ୍କ ସହ ନ୍ୟୁୟର୍କ ଯାତ୍ରା ଆରମ୍ଭ କରିବେ। ସିନେଜଗତ ଓ ପ୍ରଶଂସକ ମହଲ ସଞ୍ଜୁ ବାବାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ସୋସିଆଲ ସାଇଟ୍‌ରେ ରୀତିମତ ପୋଷ୍ଟ କରିଚାଲିଛନ୍ତି। n

Comments are closed.