ପେସାଦାର କ୍ରିକେଟ୍‌ରୁ ସାମୁଏଲ୍‌ସଙ୍କ ଅବସର

କିଙ୍ଗଷ୍ଟନ୍ : ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ମାର୍ଲନ୍‌ ସାମୁଏଲ୍‌ସ ପେସାଦାର କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ସାମୁଏଲ୍‌ସ ଶେଷଥର ପାଇଁ ୨୦୧୮ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍‌ ପାଇଁ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ତାଙ୍କର ସବୁଠାରୁ ବଡ଼ କୃତିତ୍ବ ହେଲା ୱେଷ୍ଟଇଣ୍ଡିଜ୍ ୨ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିବା ବେଳେ ଉଭୟ ଫାଇନାଲରେ ସାମୁଏଲ୍‌ସ ସର୍ବାଧିକ ସ୍କୋର୍ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କ୍ରିକେଟ୍‌ରୁ ଅବସର ନେବା ସଂପର୍କରେ ଚିନ୍ତା କରୁଥିବା ସାମୁଏଲ୍‌ସ ଗତ ଜୁନ୍‌ରେ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡକୁ ସୂଚନା ଦେଇଥିଲେ। ୨୦୧୨ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ୫୬ ବଲ୍‌ରୁ ୭୮ ରନ୍ କରିଥିଲେ। ଇଣ୍ଡିଜ୍ ଏହି ଫାଇନାଲ ଜିତିଥିଲା। ୨୦୧୬ରେ ଇଂଲଣ୍ଡ ବିପକ୍ଷରେ କଲକାତାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ସାମୁଏଲ୍‌ସ ୬୬ ବଲ୍‌ରୁ ଅପରାଜିତ ୮୫ ରନ୍‌କରି ଦଳକୁ ୨ୟ ଥର ଚମ୍ପିଆନ୍ କରାଇଥିଲେ। ୩୯ ବର୍ଷ ବୟସ୍କ ସାମୁଏଲ୍‌ସ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧,୧୩୪ ରନ୍ କରିଛନ୍ତି। ସେଥିରେ ୧୭ଟି ଶତକ ରହିଛି। ଏହାବାଦ୍‌ ସେ ୧୫୨ଟି ୱିକେଟ୍‌ ହାସଲ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ଦଳରେ ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ଭାବେ ଜଣାଶୁଣା ଥିଲେ ସାମୁଏଲ୍‌ସ। ତେବେ କିଛିଦିନ ହେବ ସେ ବିବାଦରେ ରହି ଆସୁଥିଲେ। ୨୦୦୨ରେ କଲକାତାରେ ଭାରତ ବିପକ୍ଷରେ ସାମୁଏଲ୍‌ସ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ୨୦୧୨ରେ ବାଂଲାଦେଶ ବିପକ୍ଷରେ ସାମୁଏଲ୍‌ସ ଜୀବନର ସର୍ବାଧିକ ଟେଷ୍ଟ ସ୍କୋର୍ ୨୬୦ ରନ୍ ହାସଲ କରିଥିଲେ। ୨୦୧୫ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷରେ କ୍ରିସ୍ ଗେଲ୍‌ଙ୍କ ସହ ସାମୁଏଲ୍‌ସ ୩୭୫ ରନ୍‌ର ଭାଗିଦାରୀ କରିଥିଲେ; ଯାହା ଯେକୌଣସି ୱିକେଟ ପାଇଁ ବିଶ୍ବରେକର୍ଡ। ୨୦୦୮ରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଅର୍ଥ ଗ୍ରହଣକରି ସାମୁଏଲ୍‌ସ ୨ ବର୍ଷ ବାସନ୍ଦ ହୋଇଥିଲେ।

Comments are closed.