ଜୁନ ପହିଲାରୁ ଭାରତୀୟ ନୌସେନାର ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

ନୂଆଦିଲ୍ଲୀ : ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ । ପରେ ମାଳଦୀପର ମାଲେରୁ ଆଉ ୭୦୦ ଭାରତୀୟଙ୍କୁ ତୁତିକୋରିନକୁ ଆଣିବ । ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା୧,୪୮୮ ଭାରତୀୟଙ୍କୁ ମାଲେରୁ କୋଚି ଆଣିଥିଲା । ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସିବାକୁ ଥିବା ନାଗରିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ଜାହାଜରେ ଆସୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ଦୂରତ୍ଵ ନିୟମ ମାନିବା ସହ ସେମାନଙ୍କୁ ଯାତ୍ରାକାଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ତୁତିକୋରିନରେ ପହଞ୍ଚିବା ପରେ ସେଠାରୁ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ହେପାଜତରେ ଛଡାଯିବ ।  ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ସମନ୍ଵୟରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି ।

Comments are closed.