ବିଶ୍ବକପ୍‌ରେ ୧୦ମ ହ୍ୟାଟ୍ରିକ୍ ; ସାମି ୨ୟ ଭାରତୀୟ

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ରେ ଶନିବାର ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ୧୧ ରନ୍‌ରେ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ର ଅନ୍ତିମ ଓଭରର କ୍ରମାଗତ ୩ଟି ବଲ୍‌ରେ ୱିକେଟ ନେଇ ହ୍ୟାଟ୍ରିକ୍ ପୂରଣ କରିଛନ୍ତି ଭାରତୀୟ ପେସ୍ ବୋଲର ମହମ୍ମଦ ସାମି। ୩ୟ, ୪ର୍ଥ ଓ ୫ମ ବଲ୍‌ରେ ମହମ୍ମଦ ନବି, ଆଫ୍‌ତାବ ଆଲମ୍ ଓ ମୁଜିବ୍‌ ଉର୍ ରେହ୍‌ମାନଙ୍କୁ ଆଉଟ କରି ମହମ୍ମଦ ସାମି ହ୍ୟାଟ୍ରିକ୍ ପୂରଣ କରିଥିଲେ। ଚଳିତ ବିଶ୍ବକପ୍‌ରେ ଏହା ପ୍ରଥମ ହ୍ୟାଟ୍ରିକ୍ ହୋଇଥିବା ବେଳେ ବିଶ୍ବକପ୍ ଇତିହାସରେ ୧୦ମ ହ୍ୟାଟ୍ରିକ୍। ପୁଣି ୨ୟ ଭାରତୀୟ ବୋଲର ଭାବେ ସାମି ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ନେଇଛନ୍ତି।
ବିଶ୍ବକପ୍ ଇତିହାସରେ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା ହେଉଛନ୍ତି ଏକମାତ୍ର ବୋଲର; ଯିଏ ୨ଟି ହ୍ୟାଟ୍ରିକ୍ ନେଇଛନ୍ତି। ପୁଣି ମାଲିଙ୍ଗା ଏକମାତ୍ର ବୋଲର ଭାବେ ୪ଟି ବଲ୍‌ରୁ ୪ଟି ୱିକେଟ ନେଇଛନ୍ତି (୨୦୦୭ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ)। ବିଶ୍ବକପ୍ ଇତିହାସରେ ପ୍ରଥମ ହ୍ୟାଟ୍ରିକ୍ ନେବାର କୃତିତ୍ବ ଅର୍ଜନ କରିଥିଲେ ଭାରତର ଚେତନ ଶର୍ମା। ୧୯୮୭ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚେତନ ହ୍ୟାଟ୍ରିକ୍ ନେଇଥିଲେ। ୧୯୯୯ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷରେ ‌ପାକିସ୍ତାନର ସାକ୍‌ଲେନ୍ ମୁସ୍ତାକ୍, ୨୦୦୩ ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଚାମିଣ୍ଡା ଭାସ୍, ୨୦୦୩ ବିଶ୍ବକପ୍‌ରେ କେନିଆ ବିପକ୍ଷରେ ଅଷ୍ଟ୍ରେଲିଆର ବ୍ରେଟ୍‌’ ଲି, ୨୦୦୭ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା, ୨୦୧୧ ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର କିମାର ରୋଚ୍, ୨୦୧୧ ବିଶ୍ବକପ୍‌ରେ କେନିଆ ବିପକ୍ଷରେ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା, ୨୦୧୫ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଷ୍ଟିଭେନ୍ ସ୍ମିଥ୍ ଓ ୨୦୧୫ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଜେ.ପି. ଡ୍ୟୁମିନି ହ୍ୟାଟ୍ରିକ୍ ନେଇଥିଲେ।

Comments are closed.