ସୁଇଟ ଛାତ୍ରୀଙ୍କୁ ପ୍ରଫେସରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ, ୧୦ ଦିନ ତଳେ ଘଟିଥିଲା ଘଟଣା ଚପାଇ ରଖିଛନ୍ତି କର୍ତ୍ତୃପକ୍ଷ

ବୁର୍ଲା: ସମ୍ବଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି(ସୁଇଟ୍)ମହାବିଦ୍ୟାଳୟ ପୁଣି ଚର୍ଚ୍ଚା ପରିସର ଭୁକ୍ତ ହୋଇଛି। ଏଠାକାର ଛାତ୍ରୀଙ୍କୁ ଜଣେ ପ୍ରଫେସର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାବେଳେ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ରଖିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଶୃଙ୍ଖଳା କମିଟି ତଦନ୍ତ ବିଶେଷ ଭାବେ ଆଗକୁ ବଢ଼ି ନାହିଁ। ସୁଇଟ୍ ନିର୍ଦେଶକ ପ୍ରଫେସର ବି.କେ. ମହାନ୍ତି ଏହି ଘଟଣାକୁ ସ୍ୱୀକାର କରିବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ଶୃଙ୍ଖଳା କମିଟି ଗଠନ କରାଯାଇ ତଦନ୍ତ ଚାଲିଛି ବୋଲି କହିଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ କର୍ତ୍ତୃପକ୍ଷ ଏଭଳି ସମୟ ଗଡାଇ ତଥ୍ୟ ପ୍ରମାଣ ନଷ୍ଟ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ ପୁଲିସର ଦ୍ୱାରସ୍ତ ହେବେ ବୋଲି ଚେତାବନି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୁଇଟ କଲେଜର ଜଣେ ଚତୁର୍ଥ ବର୍ଷ ଛାତ୍ରୀଙ୍କର ୨ଟି ବ୍ୟାକ ପେପର ରହିିଥିଲା। ବ୍ୟାକ୍ କ୍ଲିୟର୍ ହେଉ ନ ଥିବାରୁ ସେ କୌଣସି ଚାକିରି ପାଇଁ ଆବେଦନ କରି ପାରୁନ ଥିଲେ। ସେ କଲେଜକୁ ଆସି ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ସହିତ ଏହି ବ୍ୟାକ୍ ପେପର କ୍ଲିୟର କିଭଳି ହେବ ସେଥିପାଇଁ ଆଲୋଚନା କରିଥିଲେ। ମାତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ଛାତ୍ରୀଙ୍କୁ ସହଯୋଗ କରିବା ବଦଳରେ ତାଙ୍କ ଅସହାୟର ଫାଇଦା ଉଠାଇ ସମ୍ପୃକ୍ତା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। କେବଳ ଅସଦାରଣ କାହିଁକି ସମ୍ପୃକ୍ତ ଅଧ୍ୟାପକ ତାଙ୍କୁ ଯୌନ ନିର୍ଯ୍ୟାତନା ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ କକ୍ଷରୁ ବାହାରିବା ପରେ ଜଣେ ଅଧ୍ୟାପିକାଙ୍କ ସହ ଦେଖା ହୋଇଥିଲା। ଛାତ୍ରୀଙ୍କୁ ପାଖକୁ ଡାକି କାହିଁକି କାନ୍ଦୁଛ ବୋଲି ଅଧ୍ୟାପିକା ପଚାରି ଥିଲେ। ଏହାପରେ ଛାତ୍ରୀ ଜଣକ ଅଧ୍ୟାପିକାଙ୍କୁ ଘଟଣା ବିଷୟରେ କହିଥିଲେ। ଅଧ୍ୟାପିକା ଛାତ୍ରୀଙ୍କୁ ନେଇ ଅନୁଷ୍ଠାନର ନିର୍ଦେଶକଙ୍କ ପାଖକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଥିଲେ। ସୁଇଟ ନିର୍ଦେଶକ ଅଭିଯୋଗ ପାଇବା ପରେ ଉଭୟ ପକ୍ଷଙ୍କୁ ଡକାଇଥିଲେ ଓ ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଛାତ୍ରୀଙ୍କ ପରିବାର ରାଜି ହୋଇ ନ ଥିଲେ। ସୁଇଟ କଲେଜର ଜଣେ ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଶୃଙ୍ଖଳା କମିଟି ଗତ ୩ ତାରିଖରେ ଗଠନ ପରେ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାଟି ଗତ ୩ ତାରିଖ ପୁର୍ବରୁ ଘଟିଥିଲେ ମଧ୍ୟ ସୁଇଟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ତଦନ୍ତ ବିଶେଷ ଭାବରେ ଆଗକୁ ବଢ଼ି ପାରିନାହିଁ।

Comments are closed.