ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କମନ ଇନଷ୍ଟ୍ରୁମେଣ୍ଟେସନ କେନ୍ଦ୍ର ପ୍ରତିଷ୍ଠା କରାଯିବ

ବୁର୍ଲା: ମୌଳିକ ଓ ପ୍ରୋୟଗାତ୍ମକ ବିଜ୍ଞାନ କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ଗବେଷଣା ବିକାଶ ପାଇଁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଏନାଲିଟିକାଲ ଉପକରଣ ଯୋଗାଇ ଦେବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଏକ କମନ୍‍ ଇନଷ୍ଟ୍ରୁମେଣ୍ଟେସନ୍‍ ଫେସିଲିଟି-ସିଆଇଏଫ୍‍ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ଜ୍ୟୋତିବିହାର ପରିସରରେ କୋଠା ନିର୍ମାଣ କରାଯିବ। ଏଥି ସହିତ ସିଆଇଏଫ୍‍ କେନ୍ଦ୍ର ସକାଶେ ଆବଶ୍ୟକ ଉପକରଣ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଏ ବାବଦରେ ସୂଚନା ଦେଇ କହିଛନ୍ତି ଯେ, ଏହି କେନ୍ଦ୍ର ଅଞ୍ଚଳରେ ଗବେଷଣା ଓ ବିଜ୍ଞାନ ଶିକ୍ଷାକୁ ଉତ୍ସାହିତ କରିବାରେ ସହାୟକ ହେବ। ବିଜ୍ଞାନର ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଉପକରଣ ଏହି କେନ୍ଦ୍ରରେ ରହିବ। ବିଭିନ୍ନ ବିଭାଗରେ ଗବେଷଣା ପାଇଁ ଆଧୁନିକ ବୈଷୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଗୋଟିଏ ଛାତ ତଳେ ସୁବିଧା ଉପଲବ୍ଧ କରିବାକୁ ଏହି ପ୍ରକଳ୍ପରେ ଲକ୍ଷ୍ୟ ରଖାଯାଇଛି।

ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ୨ କୋଟି ଟଙ୍କା କୋଠା ନିର୍ମାଣ ଓ ଅବଶିଷ୍ଟ ଅର୍ଥରେ ଉପକରଣ ଓ ଯନ୍ତ୍ରପାତି କ୍ରୟ କରାଯିବ। ବିଶ୍ୱବ୍ୟାଙ୍କ ପକ୍ଷର ବିଶ୍ୱବିଦ୍ୟାଳୟକୁ ୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପାଣ୍ଠିରୁ ସିଆଇଏଫ୍‍ କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବ। ଆସନ୍ତା ବର୍ଷ ଅକ୍ଟୋବର ମାସ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅନ୍ୱେଷଣ ସଂସ୍କୃତିର ବିକାଶ ପାଇଁ ଯୁଗପଯୋଗୀ ଅତ୍ୟାଧୁନିକ ଭିତ୍ତିଭୂମି ଓ ଉପକରଣର ଆବଶ୍ୟକତା ରହିଛି। ଏହା ହେଲେ ଉଚ୍ଚସ୍ତରୀୟ ଗବେଷଣା ଓ ଅଧ୍ୟୟନ ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ସିଆଇଏଫ୍‍ କେନ୍ଦ୍ର ଦ୍ୱାରା ବିଭିନ୍ନ ଶିଳ୍ପସଂସ୍ଥାର ପ୍ରକଳ୍ପ କାମ ମଧ୍ୟ ହାତକୁ ନିଆଯାଇ ପାରିବ। ସିଆଇଏଫ୍‍ କେନ୍ଦ୍ର ପାଇଁ ଜଣେ ସ୍ୱତନ୍ତ୍ର ସଂଯୋଜକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

Comments are closed.