ଶେଷ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଉତ୍ସବ : ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ

ଲକଡାଉନ୍ ନିୟମ ପାଳନ ସହିତ ନିରାଡମ୍ବରରେ ସମ୍ପନ୍ନ ହେଲା ବିଧି ରକ୍ଷା

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବ ଶୀତଳଷଷ୍ଠୀର ଚଳିତ ବର୍ଷ ପାଇଁ ସରିଯାଇଛି । ସଂସ୍କୃତିର ସହର ସମ୍ବଲପୁର, ଏହି ଲୌକିକ ବିବାହ ପାଇଁ ସବୁ ବର୍ଷ ଉତ୍ସବମୂଖର ରହୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏଥିରେ ବ୍ୟତିକ୍ରମ ହୋଇଛି । କରୋନା ଲକ ଡାଉନ ଯୋଗୁଁ ଚଳିତ ବର୍ଷ ଏହି ଭବ୍ୟ ଓ ଦିବ୍ୟ ଦେବ ବିବାହ ଉତ୍ସବ କେବଳ ବିଧି ରକ୍ଷାରେ ସୀମିତ ହୋଇ ରହିଯାଇଛି । ଏହି ଭବ୍ୟ ଧାର୍ମିକ ଉତ୍ସବକୁ ନିରାଡମ୍ବର ଭାବରେ କେବଳ ବିଧି ରକ୍ଷାରେ ସୀମିତ କରାଯାଇଛି । ଦିବ୍ୟ ଦେବ ବିବାହ ଓ ବିବାହ ପରେ ନବ ଦମ୍ପତିଙ୍କ ଦର୍ଶନ ଦ୍ୱାରା ବହୁ ପୁଣ୍ୟ ଅର୍ଜନର ମାନ୍ୟତା ଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ଲୋକ ଧାଇଁ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ଭୂତାଣୁ ଯୋଗୁଁ ଲକ ଡାଉନ ଚାଲିଛି । ଏଣୁ ଚଳିତ ବର୍ଷ ସ୍ୱଚକ୍ଷୁରେ ଦର୍ଶନ ସହିତ ଲୌକିକ ଦେବ ବିବାହରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ନ ପାରି ମନସ୍ତାପ କରି ରହିଛନ୍ତି।

ମହାଦେବଙ୍କ ସହିତ ମାତା ପାର୍ବତୀଙ୍କର ସହିତ ବିବାହ ଗୁରୁବାର ସକାଳ ବ୍ରହ୍ମମୁହୁର୍ତ୍ତରେ ସମ୍ପନ୍ନ ପରେ ସେହି ରାତ୍ରି ପ୍ରାୟ଼ ୧୦ଟା ସମୟରେ ନବ ଦମ୍ପତ୍ତିଙ୍କର ମହାଆଳତୀ ପରେ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ନନ୍ଦପଡା, ଝାଡୁଆପଡା ଓ ମୋଦିପଡାରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଓ ସରକାରୀ କଟକଣା ଯୋଗୁଁ ଦେବ ବିବାହ ପରେ ନଗର ପରିକ୍ରମା ଶୋଭାଯାତ୍ରା ହୋଇ ନାହିଁ । ଏଣୁ ନବ ବିବାହିତ ଦେବ ଦମ୍ପତ୍ତି ସଂପୃକ୍ତ ମନ୍ଦିର ମାନଙ୍କ ପରିସରରେ କରାଯାଇଥିବା ଯୁଗଳ ଦର୍ଶନ ମଞ୍ଚରେ ରହି ଭକ୍ତ ମାନଙ୍କୁ ଯୁଗଳ ଦର୍ଶନ ଦେଇଥିଲେ ।

ଗୁରୁବାର ରାତ୍ରିରୁ ଆରମ୍ଭ ହୋଇଥିବା ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ସହିତ ଲକ ଡାଉନ୍ ନିୟମର ପାଳନ ନିମନ୍ତେ ସୁବ୍ୟବସ୍ଥା ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟୀ ତରଫରୁ କରାଯାଇଥିଲା। ଏଣୁ ସମସ୍ତ ବିଷୟକୁ ଧ୍ୟାନରେ ରଖାଯାଇ କମିଟୀ ମାନଙ୍କ ତରଫରୁ ଯୁଗଳ ଦର୍ଶନ ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କୁ ପୁର୍ଣ୍ଣ ଭାବରେ ସାନିଟାଇଜ କରିବା ପାଇଁ ସାନିଟାଇଜର ଫ୍ୟାନ, ଥର୍ମାଲ ସ୍କ୍ରିନିଂ, ଡାକବାଜି ଯନ୍ତ୍ର ଜରିଆରେ କରୋନା ସଚେତନତା, ହାତ ସଫା ପାଇଁ ସାନିଟାଇଜର ସହିତ ମାସ୍କ ପରିଧାନକୁ ଅର୍ନିବାର୍ଯ୍ୟ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରାଯାଇ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଉଥିଲା । କମିଟି ଗୁଡିକ ସେମାନଙ୍କର ସାମାଜିକ ଦାୟିତ୍ୱ, ସରକାରୀ ଲକ ଡାଉନ ନିୟମର ପାଳନ, ଜନତାଙ୍କ ସ୍ୱାସ୍ଥ୍ୟ ରକ୍ଷା ଓ ଧାର୍ମିକ ଭାବନାକୁ ଧ୍ୟାନରେ ରଖି ସମସ୍ତ ବ୍ୟବସ୍ଥାକୁ ସ୍ୱେଚ୍ଛାସେବୀ ମାନେ ସୁବ୍ୟବସ୍ଥିତ କରିଥିଲେ। ଅପରାହ୍ନରେ ନବ ଦେବ ଦମ୍ପତିଙ୍କ ମଙ୍ଗଳ ଆଳତୀ ପରେ ଏହି ଦେବ ବିବାହ ଉତ୍ସବ ଚଳିତ ବର୍ଷ ପାଇଁ ଶେଷ ହୋଇଛି। ଏହା ପରେ ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍ତି।

ସର୍ବପୁରାତନ ନନ୍ଦପଡାର ଶୀତଳଷଷ୍ଠୀ ବିବାହ ଉତ୍ସବକୁ ଆୟୋଜନରେ ଅମୂଲ୍ୟ ମିଶ୍ର, ଫଣିଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ସମୀର ରଞ୍ଜନ ବାବୁ, ଭୁବନ ମୋହନ ମିଶ୍ର, ପ୍ରଶାନ୍ତ ବରେଇ, ଶିବ ମିଶ୍ର, ସନ୍ତୋଷ ମିଶ୍ର, ମାନସ ରଥ, ସୁଶ୍ରିତ ମିଶ୍ର, ସନତ ନନ୍ଦ, ପ୍ରଭୁଦତ୍ତ ପଣ୍ଡା, ବାଲଗୋପାଳ ନନ୍ଦ, ଧବଳେଶ୍ୱର ହୋତା, ମନୋଜ ମହାପାତ୍ର, ବିରାଜ ମିଶ୍ର, ଆଶୁତୋଷ ମିଶ୍ର, ଅରୁଣ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସେହିଭଳି ଝାଡୁଆପଡା କମିଟୀର ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ଅଭିଷେକ ମିଶ୍ର, ସଞ୍ଜୟ ମିଶ୍ର, ପାର୍ଥ ମିଶ୍ର, ମିଲୁ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର ପ୍ରମୁଖ ସହାୟତା କରିଥିଲେ। ମୋଦିପଡା କମିଟୀର ସୁନୀଲ ଦାଶ, ଗତିକୃଷ୍ଣ ଷଡଙ୍ଗୀ, ସୁଧିର ପଣ୍ଡା, ଖଡିରତ୍ନ ବେହେରା ଓ ଅନ୍ୟ ସଦସ୍ୟ ମାନେ ବିବାହ ଉତ୍ସବର ସୁପରିଚାଳନା କରିଥିଲେ। ସମସ୍ତ ଶୀତଳଷଷ୍ଠୀ ଉତ୍ସବ କମିଟୀ ମାନେ କେବଳ ସ୍ୱଳ୍ପ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଧାର୍ମିକ ପରମ୍ପରାର ଧାରାକୁ ବଜାୟ ରଖି ଶୀତଳଷଷ୍ଠୀ ଉତ୍ସବକୁ ସମ୍ପନ୍ନ କରିଛନ୍ତି।

ଯୁଗଳ ଦର୍ଶନ ପରେ ପରାମ୍ପରାନୁଯାୟୀ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ

ସର୍ବପ୍ରଥମ ଶୀତଳଷଷ୍ଠୀ ଯାତ୍ରା କମିଟି , ନନ୍ଦପଡାର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଯୁଗଳ ଦର୍ଶନ ପରେ ଶୁକ୍ରବାର ଅପରାହ୍ନରେ ମନ୍ଦିର ପ୍ରବେଶ କରିଛନ୍ତି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପରେ ଯୁଗଳ ଦର୍ଶନର ଶେଷ ପର୍ଯ୍ୟାୟରେ ଅପରାହ୍ନ ୩ଟାରେ ମଙ୍ଗଳ ଆଳତୀ ସହିତ ଶୀତଳ ଷଷ୍ଠୀ ଉତ୍ସବର ସମାପନ ହୋଇଥିଲା। ମନ୍ଦିର ପ୍ରବେଶ ପୂର୍ବରୁ ବାଲୁଙ୍କେଶ୍ୱର ମଣ୍ଡପରେ ପାରମ୍ପରିକ ବିଧି ଅନୁଯାୟୀ ଦେବ ଦମ୍ପତିଙ୍କର ସୁନା ଓ ରୂପାର ଅଳଙ୍କାର ଗୁଡିକୁ ଅବତରଣ କରିବା ପରେ ପଞ୍ଚାମୃତ ସ୍ନାନ କରାଯାଇଥିଲା। ପଞ୍ଚାମୃତ ସ୍ନାନ ପରେ ଗଙ୍ଗାଜଳରେ ଦମ୍ପତିଙ୍କୁ ସ୍ନାନ କରାଯାଇ ମନ୍ଦିରକୁ ପ୍ରବେଶ କରାଯାଇଥିଲା। ମନ୍ତ୍ରୋଚାରଣ ଓ ଶଙ୍ଖ ଧ୍ୱନି ମଧ୍ୟରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ମନ୍ଦିର ପ୍ରବେଶ କରିଥିଲେ। ଏହା ପରେ ବିଧି ଅନୁଯାୟୀ ନୂତନ ଦେବ ଦମ୍ପତିଙ୍କୁ ପଖାଳ ଓ ଦହି ଭୋଗ ଲାଗିଥିଲା ଏବଂ ଦେବ ଦମ୍ପତି ପିଠାସୀନ ହୋଇଥିଲେ। ସେହିଭଳି ଝାଡୁଆପଡାର ଶ୍ରୀ ଶ୍ରୀ ଲୋକନାଥ ଓ ମୋଦିପଡାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଓ ମାତା ପାର୍ବତୀ ମଧ୍ୟ ଅପରାହ୍ନରେ ମଙ୍ଗଳ ଆଳତୀ ପରେ ବିଧି ପୂର୍ବକ ମନ୍ଦିର ପ୍ରବେଶ କରିଥିଲେ । ଅନ୍ୟ କମିଟୀ ମାନେ ଗୁରୁବାର ରାତ୍ରିରୁ ଦେବ ଦମ୍ପତିଙ୍କୁ ମନ୍ଦିର ପ୍ରବେଶ କରାଇସାରିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଶହ ଶହ ବର୍ଷର ଏହି ଭବ୍ୟ ଧାର୍ମିକ ଉତ୍ସବରେ ବ୍ୟତିକ୍ରମ ଘଟିଛି ଏବଂ ସମସ୍ତ କାର୍ଯ୍ୟ କେବଳ ବିଧି ରକ୍ଷାକୁ ସୀମିତ କରାଯାଇ ସରକାରୀ ଲକ ଡାଉନ ନିୟମାନୁଯାୟୀ ସମ୍ପନ୍ନ କରାଯାଇଛି ।

Comments are closed.