ସମ୍ବଲପୁର ଗଣଦୁଷ୍କର୍ମ ମାମଲା:୨ ନାବାଳକ ଗିରଫ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ମଙ୍ଗଳବାର ପୁଲିସ ୨ ନାବାଳକଙ୍କୁ ଗିରଫ କରିଛି। ଦୁଇ ନାବାଳକଙ୍କୁ ମିଶାଇ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି ଅଇଁଠାପାଲି ପୁଲିସ। ଏହି ଘଟଣା​‌ରେ ପୁଲିସ ପୂର୍ବରୁ  ଅଟକ ରଖି ପଚରାଉଚରା କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଥିଲା।ସେମାନେ ହେଲେ ଶିବ ଶଙ୍କର ନାଏକ(୨୫), ଦୋଳମଣିଭୂଇ(୩୦), ମହେଶ ସେଠୀ(୨୪) ଏବଂ ଅକ୍ରୁର ଚୁରିଆ(୨୨)।  ଘଟଣାର ଯାଞ୍ଚ କରିବା ପରେ ପୁଲିସ ମଙ୍ଗଳବାର ୨ ଜଣ ନାବାଳକଙ୍କୁ ଗିରଫ କରିବା ସହ ଘଟଣା ସର୍ବିଶେଷ ତଥ୍ୟ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଅଇଁଠାପାଲି  ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିବା ବେଳେ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡି ଦେବା ପାଇଁ କହି ବାଇକରେ ନେଇ ଯାଇଥିଲେ। ପରେ ଏକ ନିଛାଟିଆ ସ୍ଥାନରେ ଦୁଇ ଯୁବକ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଆଉ କିଛି ସାଥିଙ୍କୁ ମଧ୍ୟ ସେମାନେ ଡାକିଥିଲେ। ରାତି ସାରା ମହିଳାଙ୍କୁ ଦୁର୍ଷ୍କମ କରିବା ପରେ ପୀଡିତା ସଜ୍ଞାହୀନ ହୋଇ ପଡିଥିଲେ। ଦୁଷ୍କର୍ମକାରୀମାନେ ପୀଡିତାଙ୍କୁ ମୃତ ଭାବି ବରେଇପାଲିରୁ ଡେଙ୍ଗସର୍ଗି ଗ୍ରାମରେ ଫିଙ୍ଗି ଚାଲି ଯାଇଥିଲେ। ମହିଳା ଜଣକ ସେଠାରେ ସଜ୍ଞାହୀନ ଅବସ୍ଥାରେ ପଡି ରହିଥିବା ବେଳେ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ଲୋକେ ଅଇଁଠାପାଲୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ବୁର୍ଲା ଭିମସାରକୁ ନେଇଥିଲା। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ମହିଳାଙ୍କ ହୋସ ଆସିବା ପରେ ଘଟଣା ବିଷୟରେ ପୁଲିସକୁ ବୟାନ ଦେଇଥିଲେ।

 

Comments are closed.