ପୁଲିସ ଗାଡିରେ ତେଲଭର୍ତ୍ତିକୁ ନେଇ ଓଭର ବିଲିଂ -୩ କନେଷ୍ଟବଳ ନିଲମ୍ବିତ, ତଦନ୍ତ ଜାରି

ପୁଲିସ ବିଭାଗରେ ତୈଳ ଦୁର୍ନୀତି : ବଡବଡିଆ ଙ୍କୁ ପୁଲିସ ଧରିବ ତ ! 

ସମ୍ବଲପୁର (ସିଟି) – ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଜନତାଙ୍କ ପ୍ରିୟଭାଜନ ଆମ ପୁଲିସ ଅଭିଯାନ ସମେତ ବିଭିନ୍ନ ଯୋଜନା ପ୍ରାରମ୍ଭ କରାଯାଇଥିବା ବେଳେ ଏହି କ୍ରମରେ ସମ୍ବଲପୁର ଠାରେ ଜନତାଙ୍କୁ ସୁବିଧାରେ ଉତ୍ତମମାନର ପେଟ୍ରୋଲିୟମ ତୈଳ ଯୋଗାଣ ନିମନ୍ତେ ଏକ ପେଟ୍ରୋଲ ପମ୍ପ ଭାରତ ପେଟ୍ରୋଲିୟମ କମ୍ପାନୀ ସହାୟତାରେ ଖୋଲାଯାଇଛି । ୨୮ ମାର୍ଚ୍ଚ ୨୦୧୮ ମସିହାରେ ତତ୍‌କାଳୀନ ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସମ୍ବଲପୁର ଠାରେ ଏହି ପେଟ୍ରୋଲ ପମ୍ପର ଉଦଘାଟନ କରିଥିଲେ । ସେହି ଦିନଠାରୁ ସୁରୁଖୁରରେ ଉକ୍ତ ପମ୍ପଟି ଚାଲିଥିବା ବେଳେ ବିଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲା ପୁଲିସ ବିଭାଗ ପକ୍ଷରୁ ବ୍ୟବହୃତି ଗାଡି ଗୁଡିକରେ ତେଲ ଭର୍ତ୍ତି କୁ ନେଇ ଓଭର ବିଲିଂ କରାଯାଇ ଲକ୍ଷାଧିକ ଟଙ୍କାର ଦୁର୍ନୀତି କରାଯାଇଥିବାର ସମ୍ମୁଖକୁ ଆସିଛି । ଏହି ଘଟଣା ଜଣାପଡିବା ପରେ ପ୍ରାୟ ୧୦ ଦିନ ହେବ ଏହି ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ପ୍ରାଥମିକ ତଦନ୍ତ ସମୟରେ ଏଥି ପାଇଁ ୩ ଜଣ ତଳିଆ କର୍ମଚାରୀ କନେଷ୍ଟବଳ ଙ୍କୁ ନିଲମ୍ବିତ କରାଯାଇଛି । ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ରିଜର୍ଭ ପୁଲିସ ଲାଇନର ଏମଭି ସେକ୍ସନରେ କାର୍ଯ୍ୟରତ ୩ କନେଷ୍ଟବଳ ଅଜିତ ଧଳ, ସୀମାଞ୍ଚଳ ସେଠୀ ଓ ରଞ୍ଜିତ ସ୍ୱାଇଁ ଙ୍କୁ ନିଲମ୍ବନ କରିଛନ୍ତି ।

ବିଗତ ପଞ୍ଚାୟତ ନିର୍ବାଚନରେ ପୁଲିସ ବିଭାଗ ଦ୍ୱାରା ବ୍ୟବହୃତ ଯାନବାହନ ଗୁଡିକରେ ତେଲ ଭରିବା ପାଇଁ ରିଜର୍ଭ ପୁଲିସ ଲାଇନ ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନିର୍ବାଚନ ସକାଶେ ଶତାଧିକ ମୋଟର ଯାନ ରାଜ୍ୟ ପରିବହନ ବିଭାଗ ଦ୍ୱାରା ପୁଲିସ ବିଭାଗକୁ ପ୍ରଦାନ କରାଯାଇଥିଲା । ଗାଡି ଗୁଡିକରେ ବ୍ୟବହାର ହେବାକୁ ଥିବା ପେଟ୍ରୋଲ ଓ ଡିଜେଲ ପାଇଁ ରିର୍ଜଭ ପୁଲିସ ଲାଇନରୁ ଜଣେ ଏସଆଇ ସ୍ତରୀୟ ଅଧିକାରୀଙ୍କ ଜରିଆରେ ଗାଡି ଗୁଡିକରେ ତେଲ ଭରିବା ପାଇଁ ସ୍ୱତନ୍ତ୍ର ଭାବରେ ଟୋକନ ଦିଆଯାଉଥିଲା । ଚାରି ଚକିଆ ଯାନ ଗୁଡିକ ୧୦ କିମି ଯିବା ପାଇଁ ୧ ଲିଟର ଓ ଭାରୀଯାନ ଗୁଡିକରେ ପ୍ରତି ୩ କିମି ପାଇଁ ୧ ଲିଟର ଡିଜେଲ ପ୍ରଦାନ କରାଯାଇଥିଲା । ସେହିଭଳି ସ୍ୱତନ୍ତ୍ର ଦୁଇ ଚକିଆ ଯାନ ପାଇଁ ମଧ୍ୟ ପେଟ୍ରୋଲ ପ୍ରଦାନ କରାଯାଇଥିଲା । ନିର୍ବାଚନ ପରେ ଜିଲାରେ ନିର୍ବାଚନ ସକାଶେ ବ୍ୟବହୃତ ସରକାରୀ ଓ ବେସକାରୀ ଗାଡି ଗୁଡିକର ବିଲ ସର୍ମ୍ପକୀତ କାଗଜପତ୍ର ରାଜ୍ୟ ପୁଲିସ ମୁଖ୍ୟାଳୟ ଓ ନିର୍ବାଚନ କମିଶନ ଙ୍କ ନିକଟକୁ ଯିବା ପରେ ସେଠାରେ ଏହି ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା । ଉପସ୍ଥାପିତ ବିଲ ଗୁଡିକ ସାଧାରଣ ଖର୍ଚ୍ଚ ଠାରୁ ଅଧିକ ଥିବା ଦେଖି ତୁରନ୍ତ ଏ ସର୍ମ୍ପକରେ ସମ୍ବଲପୁର ଜିଲା ପୁଲିସକୁ ଏ ବାବଦରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଣୁ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଏହି ଘଟଣାର ତଦନ୍ତ ନିମନ୍ତେ ହୋମଗାର୍ଡ ଡିଏସପି ଯୋଗେଶ୍ୱର ଓରାମ ଙ୍କୁ ଦାୟିତ୍ୱ ଦେଇ ତଦନ୍ତ ଆରମ୍ଭ କରିଥିଲେ । ଦୁର୍ନୀତି ଜଣାପଡିବା ପରେ ତୁରନ୍ତ ପୁଲିସ ପେଟ୍ରୋଲ ପମ୍ପକୁ ଅଚାନକ ବନ୍ଦ କରି ଦିଆଯାଇଥିବା ବେଳେ ପ୍ରାଥମିକ ତଦନ୍ତ ସମୟରେ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ଜଣାପଡିବାରୁ ଘଟଣାକୁ ପ୍ରଶମିତ କରିବା ନିମନ୍ତେ ପ୍ରଥମେ ୩ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଏ ସର୍ମ୍ପକରେ ତଦନ୍ତକାରୀ ଅଧିକାରୀ ଓରାମ ଙ୍କୁ ପଚରାଯିବାର ଘଟଣାକୁ ସ୍ୱିକାର କରିବା ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ଏବଂ ୩ ଜଣ କନେଷ୍ଟବଳ ଙ୍କୁ ଏସପି ନିଲମ୍ବନ କରିଛନ୍ତି ବୋଲି କହିଛନ୍ତି । ଏବେ ନିର୍ବାଚନରେ ଲାଗିଥିବା ଗାଡି ଗୁଡିକ କେତେ କିମି ଚଳାଚଳ କରିଛନ୍ତି, କେଉଁ ଗାଡିରେ କେତେ ତେଲ ଭର୍ତ୍ତି ହୋଇଛି ଇତ୍ୟାଦି ବିଭିନ୍ନ ବିଷୟକୁ ନେଇ ତଦନ୍ତ ଚାଲିଛି ବୋଲି ଡିଏସପି ଓରାମ କହିଛନ୍ତି ।

ଏ ସର୍ମ୍ପକରେ ଏସପି ବାଟ୍ଟୁଲା ଗଙ୍ଗାଧର କହିଛନ୍ତି ଯେ, ଏହି ଘଟଣାରେ ଗାଡି ଗୁଡିକ ଚାଲିବା ଏବଂ ତେଲ ଭର୍ତ୍ତି କରିବାରେ ଗଡବଡ ରହିଥିବାରୁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହାର ତଦନ୍ତ ଦିଆଯାଇଛି । ପ୍ରାଥମିକ ତଦନ୍ତୁ ୩ ଜଣ କନେଷ୍ଟବଳ ଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ମାନଙ୍କର ବିରୋଧରେ ଯଦି କିଛି ବାହାରେ ତାହା ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଗଙ୍ଗାଧର କହିଛନ୍ତି ।

ତେବେ ଏହି ଘଟଣାକୁ ନେଇ ପୁଲିସ ମହଲ ସମେତ ସବୁ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏତେ ବଡ ଦୁର୍ନୀତି ଚାଲିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ କୌଣସି ବଡବଡିଆ ଅଧିକାରୀ ଜାଣି ନ ପାରିବା ବେଳେ ଘଟଣାର ତଦନ୍ତ ପାଇଁ ଉପରିସ୍ଥ କତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପରେ ମାମଲାକୁ ରଫାଦଫା କରିବା ନିମନ୍ତେ ତଳିଆ କର୍ମଚାରୀ ମାନଙ୍କୁ ନିଲମ୍ବନ କରାଯାଇଥିବାର ବିଭାଗୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥି ସହ ଏହି ଘଟଣାରେ ବଡ ଅଧିକାରୀ ମାନେ ମଧ୍ୟ ସଂପୃକ୍ତ ଥିବାର ଅଭିଯୋଗ ହେଉଥିବା ବେଳେ କେବଳ ତଳିଆ କର୍ମଚାରୀଙ୍କ ମୁଣ୍ଡ ଉପରେ ଅଠା ବୋଳି ଦିଆଯାଇ ଅଧିକାରୀ ମାନଙ୍କୁ ଖସାଇ ଦିଆଯାଉଥିବାରୁ ବିଭାଗୀୟ ମହଲରେ ଅସନ୍ତୋଷ ପୂଞ୍ଜିଭୂତ ହେଉଛି । ଅପର ପକ୍ଷରେ ପେଟ୍ରୋଲ ପମ୍ପର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସେମାନଙ୍କ ଖସାଇବା ପାଇଁ ମାର ଭଣ୍ଡାରିଆ ନିତି ଅବଲମ୍ବନ କରାଯାଉଥିବାର ଅଭିଯୋଗ ହେଉଛି ।

 

 

Comments are closed.