କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଶୀର୍ଷକ ୱେବିନାର ଆୟୋଜିତ

ସମ୍ବଲପୁରସ୍ଥିତ ଭାରତ ସରକାରଙ୍କ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଏଥିରେ ବରଗଡ ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଦୈତ ନାରାୟଣ ପାଢି, ଡାଃ. ସାଧୁ ଚରଣ ଦାସ, ପଦମପୁର ଏନଏସି ହସପିଟାଲର ଡାଃ. ତହସିଲ ସାହୁ ପ୍ରମୁଖ ଯୋଗଦେଇ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ସହ ହାତ ଓ ମୁଁହକୁ ବାରମ୍ବାର ଧୋଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ତିନୋଟି ବିଷୟ ପ୍ରତି ଧ୍ୟାନ ଦେଲେ ୯୦ ପ୍ରତିଶତରୁ ଅଧିକ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଏହି ୱେବିନାରରେ ମତ ପ୍ରକାଶ ପାଇଛି।

‘କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ଜାତୀୟ ଜନ ସଚେତନତା ଅଭିଯାନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶୁଭାରମ୍ଭ କରିଛନ୍ତି। ଏହାର ଅଂଶ ସ୍ବରୁପ ସମ୍ବଲପୁରସ୍ଥିତ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୁପ ସଚେତନତାମୂଳକ ୱେବିନାର ଆୟୋଜିତ ହୋଇଯାଇଛି। ଏଥିରେ ବରଗଡର ବରିଷ୍ଠ ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ବାଳ, ବରଗଡ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଏବଂ ପୂର୍ବତଟ୍ଟ ରେଳବାଇର ଡିଆରଏମଙ୍କ ପ୍ରୋଟକଲ ଅଧିକାରୀ ନିହାର ରଂଜନ ମିଶ୍ର ଓ ସମ୍ବଲପୁର ରେଳ ଡିଭିଜନର ଲୋକ ସମ୍ପର୍କ ଅଧିକାରୀ ତ୍ରିବିକ୍ରମ ସେଠ୍ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ରାମେଶ୍ବର ନାୟକ ପରିଚାଳନା କରିଥିବା ବେଳେ ଭୁବନେଶ୍ବରସ୍ଥିତ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ।

Comments are closed.